ଅର୍ଥନୀତିର ଗତି କମିଥିବା ମାନିଲେ ସରକାର

ଦରଦାମ୍‌ ଜନିତ ମାନ୍ଦାବସ୍ଥା ଆଶଙ୍କା କମ୍: ଅର୍ଥ ମନ୍ତ୍ରାଳୟ

ନୂଆଦିଲ୍ଲୀ: ଦେଶର ଅର୍ଥନୈତିକ ଅଭିବୃଦ୍ଧି ମନ୍ଥର ହୋଇଛି। ଏହି ସତ୍ୟକୁ ସ୍ବୀକାର କରିଛନ୍ତି କେନ୍ଦ୍ର ସରକାର। ଯେଉଁ ହାରରେ ଅର୍ଥନୀତି ଆଗକୁ ବଢ଼ୁଥିଲା ସେହି ଗତି କମ୍ ହୋଇଯାଇଛି ବୋଲି ଅର୍ଥ ମନ୍ତ୍ରାଳୟ ପକ୍ଷରୁ କୁହାଯାଇଛି। ଦରଦାମ୍ ଜନିତ ମାନ୍ଦାବସ୍ଥାକୁ ଏକ ଭୟଙ୍କର ସ୍ଥିତି ଭାବେ ବିଚାର କରାଯାଏ। ଏଭଳି ସ୍ଥିତି ସୃଷ୍ଟି ହେଲେ ବହୁ ସାମଗ୍ରୀର ଦାମ୍ ଏତେ ବଢ଼ିଯାଏ ଯେ ଜନସଂଖ୍ୟାର ଏକ ବଡ଼ ଭାଗ ତାହାକୁ କିଣିପାରନ୍ତି ନାହିଁ। ଅନ୍ୟ ପକ୍ଷରେ ବେକାରି ମଧ୍ୟ ବହୁତ ବଢ଼ିଯାଏ। ସେଭଳି ସ୍ଥିତି ମନ୍ତ୍ରାଳୟ ଜଣାଇଛି।

ମେ’ ମାସର ଅର୍ଥନୈତିକ ରିପୋର୍ଟ ଜାରି କରି ମନ୍ତ୍ରାଳୟ ଜଣାଇଛି ଯେ ଦେଶ ପାଇଁ ଏବେ ବିଭିନ୍ନ ପ୍ରକାର ଆହ୍ବାନ ରହିଛି। ସେଗୁଡ଼ିକ ହେଉଛି ଆୟଠାରୁ ବ୍ୟୟ ଅଧିକ ରହୁଥିବା ସୃଷ୍ଟି ହୋଇଥିବା ବିତ୍ତୀୟ ନିଅଣ୍ଟ ସ୍ଥିତିର ମୁକାବିଲା କରିବା ଓ ଅର୍ଥନୈତିକ ଅଭିବୃଦ୍ଧିକୁ ଆହୁରି ତ୍ବରାନ୍ବିତ କରିବା। ଦରଦାମ୍ ସ୍ଥିତି ଉପରେ ଲଗାମ କଷିବା ଓ ରପ୍ତାନି ତୁଳନାରେ ଆମଦାନି ଅଧିକ ରହିବା କାରଣରୁ ସୃଷ୍ଟି ହୋଇଥିବା ଚଳନ୍ତୀ ଖାତା ନିଅଣ୍ଟ ଉପରେ ନିୟନ୍ତ୍ରଣ ହାସଲ କରିବା। ଶେଷରେ ଭାରତୀୟ ମୁଦ୍ରା ଟଙ୍କାର ମୂଲ୍ୟକୁ ଅନ୍ୟ ବିଦେଶୀ ମୁଦ୍ରା ମୂଲ୍ୟ ତୁଳନାରେ ଦୃଢ଼ ରଖିବା। କେବଳ ଭାରତ ନୁହେଁ ବିଶ୍ବର ବହୁ ଦେଶ ଏଭଳିକି ବିକଶିତ ଦେଶଗୁଡ଼ିକ ମଧ୍ୟ ଏଭଳି ସମସ୍ୟା ସାମ୍ନା କରୁଛନ୍ତି। ସେମାନଙ୍କ ତୁଳନାରେ ଭାରତ ଭଲ ସ୍ଥିତିରେ ଅଛି।

ଟିକାକରଣରେ ସଫଳତା ଓ ଆର୍ଥିକ ବଜାରରେ ସ୍ଥିରତା ରହିଥିବାରୁ ଭାରତ ଏହି ଆହ୍ବାନଗୁଡ଼ିକୁ ଉଚିତ ଢଙ୍ଗରେ ମୁକାବିଲା କରିପା‌ରିବ। ମଧ୍ୟବର୍ତ୍ତୀକାଳୀନ ଭିତ୍ତିରେ ଭାରତୀୟ ଅର୍ଥନୀତିର ଭବିଷ୍ୟତ ଉଜ୍ଜ୍ବଳ ବୋଲି ରିପୋର୍ଟରେ ଆକଳନ କରାଯାଇଛି। ନିଜର କ୍ଷମତା ସମ୍ପ୍ରସାରଣ କରିବା ଲାଗି ଘରୋଇ ସଂସ୍ଥାଗୁଡ଼ିକ ନିବେଶ ବଢ଼ାଇବେ ଯାହାର ପ୍ରଭାବରେ ନୂତନ ନିଯୁକ୍ତି ସୃଷ୍ଟି ହେବ ବୋଲି ରିପୋର୍ଟରେ କୁହାଯାଇଛି। ବିଶ୍ବ ସ୍ତରରେ ଘଟୁଥିବା କିଛି ଘଟଣା ଯୋଗୁଁ ବିଭିନ୍ନ ସାମଗ୍ରୀର ଦାମ୍ ଅଧିକ ରହିବ, ଯୋଗାଣ ସ୍ବାଭାବିକ ରହିବ ନାହିଁ ଏବଂ ‌କେନ୍ଦ୍ରୀୟ ବ୍ୟାଙ୍କଗୁଡ଼ିକ ଆହୁରି କଠୋର ଆଭିମୁଖ୍ୟ ପୋଷଣ କରିବେ। ସାରା ବିଶ୍ବର ଅର୍ଥନୈତିକ ଅଭିବୃଦ୍ଧି ମନ୍ଥର ହେବ ଓ ଭାରତରେ ମଧ୍ୟ ଅର୍ଥନୀତିର ଗତି କମ୍ ହେବ ବୋଲି ରିପୋର୍ଟରେ କୁହାଯାଇଛି।

ସମ୍ବନ୍ଧିତ ଖବର