ସରକାରୀ ବ୍ୟାଙ୍କ ‌‌ଦେବେ କୋଭିଡ୍‌ ଋଣ

ଭୁବନେଶ୍ବର: କରୋନା ମହାମାରୀ ସମୟରେ ବ୍ୟବସାୟିକ ସଂସ୍ଥା ଓ ସାଧାରଣ ଗ୍ରାହକଙ୍କ ଆବଶ୍ୟକତା ପୂରଣ କରିବା ଲାଗି ସରକାରୀ ବ୍ୟାଙ୍କଗୁଡ଼ିକ ସ୍ବତନ୍ତ୍ର ଋଣ ସୁବିଧା ପ୍ରଦାନ କରିବେ। ଆଜି ଭାରତୀୟ ଷ୍ଟେଟ୍‌ ବ୍ୟାଙ୍କର ଅଧ୍ୟକ୍ଷ ଦୀନେଶ ଖାରା, ଇଣ୍ଡିଆନ୍ ବ୍ୟାଙ୍କିଙ୍ଗ୍‌ ଆସୋସିଏସନ (ଆଇବିଏ)ର ଅଧ୍ୟକ୍ଷ ରାଜ କିରଣ ରାଏ ଓ ସିଇଓ ସୁନିଲ ମେହ୍‌ତା ଏକ ଯୁଗ୍ମ ସାମ୍ବାଦିକ ସମ୍ମିଳନୀରେ ଏବିଷୟରେ ଘୋଷଣା କରିଛନ୍ତି। ଷ୍ଟେଟ୍‌ ବ୍ୟାଙ୍କ ଅଧ୍ୟକ୍ଷ କହିଛନ୍ତି ଯେ ସରକାରୀ ବ୍ୟାଙ୍କଗୁଡ଼ିକ ସ୍ବତନ୍ତ୍ର କୋଭିଡ୍‌ ଋଣ ଯୋଗାଇ ଦେବାକୁ ନିଷ୍ପତ୍ତି ନେଇଛନ୍ତି। ଅକ୍ସିଜେନ୍ ପ୍ଲାଣ୍ଟ୍‌ ସ୍ଥାପନ କରିବା ଲାଗି ହସ୍ପିଟାଲ୍ ଓ ନର୍ସିଂ ହୋମ୍‌ଗୁଡ଼ିକୁ ୭.୫% ସୁଧରେ ୨ କୋଟି ଟଙ୍କା ପର୍ଯ୍ୟନ୍ତ ଋଣ ପ୍ରଦାନ କରାଯିବ।

ସେହିପରି, ସ୍ବାସ୍ଥ୍ୟ ଭିତ୍ତିଭୂମି ବିକଶିତ କରିବା ଲାଗି କିମ୍ବା ସ୍ବାସ୍ଥ୍ୟ ସେବା ଉତ୍ପାଦ ଉତ୍ପାଦନ କରିବା ଲାଗି ବ୍ୟାବସାୟିକ ସଂସ୍ଥାଗୁଡ଼ିକୁ ୧୦୦ କୋଟି ଟଙ୍କା ପର୍ଯ୍ୟନ୍ତ ଋଣ ଦିଆଯିବ। କୋଭିଡ୍‌ ଚିକିତ୍ସା ଲାଗି ବେତନଭୋଗୀ, ଅଣ ବେତନଭୋଗୀ ଓ ପେନ୍‌ସନ୍‌ଭୋଗୀମାନଙ୍କୁ ୨୫ ହଜାର ଟଙ୍କାରୁ ଆରମ୍ଭ କରି ୫ ଲକ୍ଷ ଟଙ୍କା ପର୍ଯ୍ୟନ୍ତର ଅସୁରକ୍ଷିତ ବ୍ୟକ୍ତିଗତ ଋଣ ଦିଆଯିବ। ସରକାରୀ ବ୍ୟାଙ୍କଗୁଡ଼ିକ ଏହି ସବୁ ଋଣ କମ୍ ସୁଧ ହାରରେ ପ୍ରଦାନ କରିବେ ଓ ସେଗୁଡ଼ିକୁ କୋଭିଡ୍‌ ଋଣ ପୁସ୍ତିକାରେ ସାମିଲ କରିବେ। ୧୦ କୋଟି ଟଙ୍କା ପର୍ଯ୍ୟନ୍ତର ବ୍ୟାବସାୟିକ ଋଣର ପୁନର୍ଗଠନ କରିବାକୁ ବ୍ୟାଙ୍କଗୁଡ଼ିକୁ ନିଷ୍ପତ୍ତି ନେଇଛନ୍ତି।

ଆଜି କେନ୍ଦ୍ର ସରକାର ଜରୁରୀକାଳୀନ ଋଣ ସ୍କିମ୍‌ର ଅବଧିକୁ ସେପ୍ଟେମ୍ବର ୩୦ ପର୍ଯ୍ୟନ୍ତ ବୃଦ୍ଧି କରିଛନ୍ତି। ସ୍କିମ୍‌ରେ ଡିସେମ୍ବର ୩୧ ପର୍ଯ୍ୟନ୍ତ ଋଣ ଆବଣ୍ଟନ କରାଯାଇପାରିବ। ଏହି ସ୍କିମ୍‌ରେ ବିମାନ ଚଳାଚଳ କ୍ଷେତ୍ରକୁ ସାମିଲ କରାଯାଇଛି। ସ୍କିମ୍‌ର ପ୍ରଥମ ପର୍ଯ୍ୟାୟରେ ଋଣ ନେଇଥିବା ଗ୍ରାହକଙ୍କୁ ପରିଶୋଧ ଲାଗି ୫ ବର୍ଷ ସମୟ ଦିଆଯାଇଛି। ଋଣଗୁଡ଼ିକର ପୁନର୍ଗଠନ ମଧ୍ୟ କରାଯିବ।

ସମ୍ବନ୍ଧିତ ଖବର