ସର୍ବନିମ୍ନ ସହାୟକ ମୂଲ୍ୟ ବ୍ୟବସ୍ଥା ରହିବ, କୃଷି କ୍ଷେତ୍ର ପାଇଁ ସରକାର ଆଣିଲେ ଦୁଇଟି ଅଧ୍ୟାଦେଶ

ବିରୋଧୀ ଦଳଗୁଡ଼ିକର ବିରୋଧ

ନୂଆଦିଲ୍ଲୀ: ସର୍ବନିମ୍ନ ସହାୟକ ମୂଲ୍ୟ (ଏମ୍‌ଏସ୍‌ପି) ବ୍ୟବସ୍ଥା ବଜାୟ ରହିବ। ଏଥିରେ ପରିବର୍ତ୍ତନ କରିବା ଲାଗି ସରକାରଙ୍କ କୌଣସି ଯୋଜନା ନାହିଁ ବୋଲି କେନ୍ଦ୍ର କୃଷି ମନ୍ତ୍ରୀ ନରେନ୍ଦ୍ର ସିଂହ ତୋମର ଆଜି ଲୋକସଭାରେ କହିଛନ୍ତି। ସେ କୃଷି କ୍ଷେତ୍ରକୁ ନେଇ ଆଜି ଦୁଇଟି ବିଲ୍‌ ଉପସ୍ଥାପନ କରିଛନ୍ତି। ଯେହେତୁ ଦେଶର ୮୬ ପ୍ରତିଶତ ଚାଷୀଙ୍କ ପାଖରେ ଦୁଇ ହେକ୍ଟରରୁ କମ୍ ପରିମାଣର ଚାଷ ଜମି ରହିଛି ତେଣୁ ସେମ‌ାନେ ସର୍ବନିମ୍ନ ସହାୟକ ମୂଲ୍ୟର ଲାଭ ପାଇବାରୁ ବଞ୍ଚିତ ହେଉଛନ୍ତି। ଏହା ସତ୍ତ୍ବେ ଏହି ବ୍ୟବସ୍ଥା ଜାରି ରହିବ ବୋଲି ଶ୍ରୀ ତୋମର ପ୍ରତିଶ୍ରୁତି ଦେଇଛନ୍ତି। ଆଜି ସେ ସଂସଦରେ ଦି ଫାର୍ମର୍ସ ପ୍ରଡ୍ୟୁସ୍‌ ଟ୍ରେଡ୍‌ ଆଣ୍ଡ୍‌ କମର୍ସ (ପ୍ରମୋସନ ଆଣ୍ଡ୍‌ ଫାସିଲିଟେସନ) ଅଧ୍ୟାଦେଶ, ୨୦୨୦ ଓ ନିଶ୍ଚିତ ମୂଲ୍ୟ ଓ କୃଷି ସେବା ଉପରେ କୃଷକ (ସଶକ୍ତୀକରଣ ଓ ସୁରକ୍ଷା) ଚୁକ୍ତି ଅଧ୍ୟାଦେଶକୁ ଉପସ୍ଥାପନ କରିଥିଲେ। କଂଗ୍ରେସ ଓ ଅନ୍ୟ ଦଳଗୁଡ଼ିକ ଏହାକୁ ବିରୋଧ କରିବା ସହ ଏହି ଦୁଇ ଅଧ୍ୟାଦେଶ କୃଷକମାନଙ୍କ ପାଇଁ ରହିଥିବା ଏମ୍‌ଏସ୍‌ପି ସୁରକ୍ଷା ବ୍ୟବସ୍ଥାକୁ ଦୁର୍ବଳ କରିବ ବୋଲି କହିଛନ୍ତି। ଏହା ଦ୍ବାରା ବଡ଼ କଂପାନିଗୁଡ଼ିକ ଚାଷୀମାନଙ୍କୁ ହଇରାଣ କରିପାରନ୍ତି ବୋଲି ସେମାନେ ଅଭିଯୋଗ କରିଛନ୍ତି।

ବିଜ୍ଞପିତ ମଣ୍ଡି ବାହାରେ ଅବାଧରେ କୃଷିଜାତ ସାମଗ୍ରୀର କାରବାର କରିବା ଏବଂ ଘରୋଇ ସଂସ୍ଥାଗୁଡ଼ିକ ସହ ଚୁକ୍ତି ସ୍ବାକ୍ଷର କରିବା ଲାଗି କୃଷକମାନଙ୍କୁ ଏହି ଦୁଇ ଅଧ୍ୟାଦେଶ ଜରିଆରେ ଅନୁମତି ପ୍ରଦାନ କରାଯାଇଛି। ଏହି ଦୁଇ ବିଲ୍‌ କୃଷକମାନଙ୍କ ପାଇଁ ବିଶେଷ ସହାୟକ ହେବ ବୋଲି ଶ୍ରୀ ତୋମର କହିଛନ୍ତି। ଏହା ଦ୍ବାରା କୃଷି କ୍ଷେତ୍ରକୁ ଆବଶ୍ୟକ ହେଉଥିବା ନିବେଶ ଆସିପାରିବ ବୋଲି ସେ କହିଛନ୍ତି। ବିରୋଧ ଦଳଗୁଡ଼ିକ ଆଜି ଅଭିଯୋଗ କରିଥିଲେ ‌ଯେ ରାଜ୍ୟଗୁଡ଼ିକ ସହ ପରାମର୍ଶ ନକରି କେନ୍ଦ୍ର ସରକାର ଏହି ଦୁଇ ବିଲ୍ ଆଣିଛନ୍ତି। ଯେହେତୁ କୃଷି ଓ ମଣ୍ଡି ରାଜ୍ୟ ବ୍ୟାପାର ଅଧୀନରେ ରହିଛି, ତେଣୁ ଏହି ଦୁଇ ବିଲ୍ ପ୍ରସ୍ତୁତ କରିବା ବେଳେ ସେମାନଙ୍କ ଅନୁମତି ନେବାର ଆବଶ୍ୟକତା ଥିଲା ବୋଲି ବିରୋଧ ଦଳ ଗୁଡ଼ିକ ଅଭିଯୋଗ କରିଥିବା ବେଳେ ତାହାକୁ ଶ୍ରୀ ତୋମର ଖଣ୍ଡନ କରିଛନ୍ତି ଓ କେନ୍ଦ୍ରକୁ ବିଶ୍ବାସକୁ ନେବା ଲାଗି କହିଛନ୍ତି। ବିଲ୍‌କୁ ବିରୋଧ କରିବା ପୂର୍ବରୁ ତାହାକୁ ଭଲ ଭାବେ ପଢ଼ିବାକୁ ସେ ବିରୋଧୀ ଦଳର ସଦସ୍ୟମାନଙ୍କୁ କହିଛନ୍ତି। ‌ଏହା ଚାଷ ଜମି ନୁହେଁ ବରଂ ଜମିରୁ ଉତ୍ପାଦିତ ହେଉଥିବା ଫସଲ ସମ୍ପର୍କିତ ବିଲ୍‌ ବୋଲି ସେ ବୁଝାଇବାକୁ ପ୍ରୟାସ କରିଛନ୍ତି। କଂଗ୍ରେସର ଅଧୀର ରଞ୍ଜନ ଚୌଧୁରୀ, ତୃଣମୂଳ କଂଗ୍ରେସର ସୌଗତ ରାୟ ଓ କଂଗ୍ରେସ ସାଂସଦ ଶଶି ଥରୁର ବିଲ୍‌କୁ ବିରୋଧ କରିଥିଲେ।

ସମ୍ବନ୍ଧିତ ଖବର