ସରକାର ସ୍ପଷ୍ଟ କରିସାରିଛନ୍ତି ୨୦୦୦ ଟଙ୍କିଆ ଅଚଳ ହୋଇନି

ଭୁବନେଶ୍ବର: ଭାରତୀୟ ରିଜର୍ଭ ବ୍ୟାଙ୍କ (ଆର୍‌ବିଆଇ) ପକ୍ଷରୁ ୨୦୧୯-୨୦ ଆର୍ଥିକ ବର୍ଷରେ ଗୋଟିଏ ବି ୨୦୦୦ ଟଙ୍କିଆ ନୋଟ୍ ଛପା ଯାଇନଥିବା ଖବର ପ୍ରକାଶ ପାଇବା ପରେ ଏହି ନୋଟ୍‌ର ଭବିଷ୍ୟତକୁ ନେଇ ସାଧାରଣରେ ଦ୍ବନ୍ଦ୍ବ ସୃଷ୍ଟି ହୋଇଛି। ଦୁଇ ହଜାର ଟଙ୍କିଆ ନୋଟ୍ ପ୍ରତ୍ୟାହାର ହୋଇଯିବ ବୋଲି ଲୋକମାନଙ୍କ ମନରେ ଭ୍ରାନ୍ତ ଧାରଣା ସୃଷ୍ଟି ହୋଇଛି। ଏହି ବଡ଼ ନୋଟ୍‌କୁ ବନ୍ଦ‌ କରିବା କିମ୍ବା ପ୍ରତ୍ୟାହାର କରିବା ନେଇ ସରକାର କିମ୍ବା ରିଜର୍ଭ ବ୍ୟାଙ୍କ ପକ୍ଷରୁ କୌଣସି ଘୋଷଣା କରାଯାଇନାହିଁ। ଗତ ମାର୍ଚ୍ଚରେ ଅର୍ଥ ରାଷ୍ଟ୍ରମନ୍ତ୍ରୀ ଅନୁରାଗ ଠାକୁର ସ୍ପଷ୍ଟ କରିଥିଲେ ଯେ ଦୁଇ ହଜାର ଟଙ୍କିଆ ପ୍ରତ୍ୟାହାର କରିବା ଲାଗି ସରକାରଙ୍କ କୌଣସି ଯୋଜନା ନାହିଁ। ଲୋକସଭାରେ ସେ ଏନେଇ ଲିଖିତ ଉତ୍ତର ଦେଇଥିଲେ। କିଛି ମାସ ହେଲାଣି ଦୁଇ ହଜାର ଟଙ୍କିଆ ବଜାରରେ ଦେଖାଯାଉନଥିବାରୁ ଏହାର ଭବିଷ୍ୟତକୁ ନେଇ ଲୋକମାନଙ୍କ ମନରେ ସନ୍ଦେହ ସୃଷ୍ଟି ହେବାରେ ଲାଗିଛି। ଯେହେତୁ ଏହି ବଡ଼ ନୋଟ୍‌କୁ ଖୁଚୁରା କରିବା ସହଜ ହେଉନାହିଁ, ସେଥିପାଇଁ ତାହାର ବ୍ୟବହାର କମିଛି। ରିଜର୍ଭ ବ୍ୟାଙ୍କର ପରାମର୍ଶ ଅନୁସାରେ ସରକାର ନୋଟ୍ ଛପାଇଥାନ୍ତି। ସବୁ ପ୍ରକାର ନୋଟ୍ ଭିତରେ ସନ୍ତୁଳନ ରକ୍ଷା କରିବା ଲାଗି ଏହା ଅତ୍ୟନ୍ତ ଜରୁରୀ ବୋଲି ସେ କହିଥିଲେ।

୨୦୧୬ ନଭେମ୍ବରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ବିମୁଦ୍ରୀକରଣ ଘୋଷଣା କରି ପୁରୁଣା ୫୦୦ ଓ ୧୦୦୦ ଟଙ୍କିଆ ନୋଟ୍‌କୁ ଅଚଳ କରିଦେଇଥିଲେ। ‌ଏହା ଦ୍ବାରା ବଜାରରେ ନଗଦ ଟଙ୍କାକୁ ନେଇ ଯେଉଁ ଶୂନ୍ୟ ସ୍ଥାନ ଦେଖାଦେଇଥିଲା ତାହାକୁ ଶୀଘ୍ର ପୂରଣ କରିବା ଲାଗି ନୂଆ ୫୦୦ ଓ ୨୦୦୦ ଟଙ୍କିଆ ନୋଟ୍ ପ୍ରଚଳନ କରାଯାଇଥିଲା। କିନ୍ତୁ ସ୍ଥିତି ସ୍ବାଭାବିକ ହେବା ପରେ ଏହି ବଡ଼ ନୋଟ୍‌ ବ୍ୟବହାର କମ୍ କରିବା ଲାଗି ଉଦ୍ୟମ ହେଉଛି। ଯେହେତୁ ବିମୁଦ୍ରୀକରଣର ଅନ୍ୟତମ ଲକ୍ଷ୍ୟ ଦୁର୍ନୀତି ନିବାରଣ ଥିଲା, ତେଣୁ ‌ବଡ଼ ନୋଟ୍‌ ଜରିଆରେ ହେଉଥିବା ବେଆଇନ ଓ ଲାଞ୍ଚ ଆଦି କାରବାରକୁ ରୋକିବା ଲାଗି ୧୦୦୦ ଟଙ୍କିଆ ନୋଟ୍‌ ବନ୍ଦ କରାଯାଇଥିଲା। ବିମୁଦ୍ରୀକରଣର କିଛି ମାସ ପରେ ନଗଦ ଟଙ୍କା ସ୍ଥିତି ସ୍ବାଭାବିକ ହେବା ପରେ ଦୁଇ ହଜାର ଟଙ୍କିଆ ଛପାଇବା ପର୍ଯ୍ୟାୟକ୍ରମେ ହ୍ରାସ ପାଇଛି। ସେଥିପାଇଁ ଗତ ଆର୍ଥିକ ବର୍ଷରେ ଗୋଟିଏ ବି ନୂଆ ୨୦୦୦ ଟଙ୍କିଆ ନୋଟ୍ ଛପା ହୋଇନାହିଁ। ଅର୍ଥାତ ବଜାର ଆବଶ୍ୟକତା ପୂରଣ ହେବା ଭଳି ଦୁଇ ହଜାର ଟଙ୍କିଆ ରହିଛି।

ବଜାରରେ କେଉଁ ନୋଟ୍‌ କେତେ ପରିମାଣର ରହିବା ଦରକାର ତାହା ଭାରତୀୟ ରିଜର୍ଭ ବ୍ୟାଙ୍କ ନିର୍ଧାରଣ କରିଥାଏ। ଯେଉଁ ନୋଟ୍ ଅଧିକ ପ୍ରଚଳନରେ ରହିଥାଏ ତାହାର ମାତ୍ରା ବୃଦ୍ଧି କରାଯାଉଥିବା ବେଳେ କମ୍ ବ୍ୟବହାର ହେଉଥିବା ନୋଟ୍‌କୁ କମ୍ ଛପାଯାଇଥାଏ। ବ୍ୟାଙ୍କର ଏଟିଏମ୍‌ଗୁଡ଼ିକରେ ଆଉ ଦୁଇ ହଜାର ଟଙ୍କିଆ ନୋଟ୍ ବାହାରୁ ନାହିଁ। ସେଥିପାଇଁ ବଜାରରେ ଏହାର ପ୍ରଚଳନ ହ୍ରାସ ପାଇଛି। ରିଜର୍ଭ ବ୍ୟାଙ୍କ ରିପୋର୍ଟ ଅନୁସାରେ ଏବେବି ୨୭,୩୯୮ ଲକ୍ଷ ଦୁଇ ହଜାର ଟଙ୍କିଆ ‌ନୋଟ୍‌ ପ୍ରଚଳନରେ ରହିଛି। ୨୦୧୮ ମାର୍ଚ୍ଚ ସୁଦ୍ଧା ବଜାରରେ ୩୩, ୬୩୨ ଲକ୍ଷ ଖଣ୍ଡ ଦୁଇ ହଜାର ଟଙ୍କିଆ ନୋଟ୍ ଥିଲା।

ସମ୍ବନ୍ଧିତ ଖବର