ପେଟ୍ରୋଲ୍‌, ଡିଜେଲ୍‌ର ରପ୍ତାନି, ସୁନାର ଆମଦାନି ଶୁଳ୍କ ବୃଦ୍ଧି
ରିଜର୍ଭ ବ୍ୟାଙ୍କ ସହ ଯୋଗାଯୋଗରେ ଅର୍ଥ ମନ୍ତ୍ରାଳୟ

Advertisment

ନୂଆଦିଲ୍ଲୀ : ଦୁର୍ବଳ ମୁଦ୍ରା ଏକ ବଡ଼ ବିପଦ ଭାବେ ଉଭା ହେବା ପୂର୍ବରୁ ତାହାର ମୁକାବିଲା ଲାଗି କେନ୍ଦ୍ର ସରକାର ଅଣ୍ଟା ଭିଡ଼ିଛନ୍ତି। ଆମେରିକୀୟ ଡଲାର ତୁଳନାରେ ଅତ୍ୟନ୍ତ ଦୁର୍ବଳ ସ୍ତରକୁ ଖସିଯାଇଥିବା ଟଙ୍କା ସ୍ଥିତିରେ ସୁଧାର ଆଣିବା ପାଇଁ ସରକାର ଟିକସ ବୃଦ୍ଧି ଭଳି କଠୋର ପଦକ୍ଷେପ ଗ୍ରହଣ କରିଛନ୍ତି। ଇନ୍ଧନ ଓ ସୁନା ଉପରେ ସରକାର ଟିକସ ବୃଦ୍ଧି କରିଛନ୍ତି। ଏହା ସତ୍ତ୍ବେ ଆମେରିକୀୟ ଡଲାର ତୁଳନାରେ ଟଙ୍କା ମୂଲ୍ୟ ୭୯ ଟଙ୍କାରୁ ଅଧିକ ହୋଇଯାଇଛି। ତେଲ ଓ ସୁନା କିଣିବାରେ ବିପୁଳ ବିଦେଶୀ ମୁଦ୍ରା ଖର୍ଚ୍ଚ ହେଉଛି ଯାହାର ପ୍ରଭାବ ସିଧାସଳଖ ଟଙ୍କା ଉପରେ ପଡ଼ୁଛି। ଏହି ଦୁଇ ପ୍ରକାର ସାମଗ୍ରୀ କିଣିବା ଲାଗି ଡଲାର ଦରକାର ହେଉଥିବାରୁ ତାହାର ଚାହିଦା ବଢ଼ୁଛି। ଡଲାର ମହଙ୍ଗା ହେଉଥିବାରୁ ଟଙ୍କା ଦୁର୍ବଳ ହେଉଛି।

ଶୁକ୍ରବାର ଦିନ ସରକାର ପେଟ୍ରୋଲ, ଡିଜେଲ୍ ଓ ବିମାନ ଇନ୍ଧନ ଉପରେ ରପ୍ତାନି ଶୁଳ୍କ ବୃଦ୍ଧି କରିଛନ୍ତି। ଡିଜେଲ୍ ଲିଟର ପିଛା ରପ୍ତାନି ଶୁଳ୍କ ୧୩ ଟଙ୍କା ବୃଦ୍ଧି ପାଇଥିବା ବେଳେ ପେଟ୍ରୋଲ୍‌ରେ ଟିକସ ୬ ଟଙ୍କା ବୃଦ୍ଧି କରାଯାଇଛି। ବିମାନ ଇନ୍ଧନ ବା ଏଟିଏଫ୍‌ ଉପରେ ଲିଟର ପିଛା ୬ ଟଙ୍କାର ସେସ୍‌ ଲାଗୁ କରାଯାଇଛି। ଏହି ପଦକ୍ଷେପ ପଛର ମୂଳ ଉଦ୍ଦେଶ୍ୟ ହେଉଛି ପେଟ୍ରୋଲ, ଡିଜେଲ୍ ଓ ବିମାନ ଇନ୍ଧନ ରପ୍ତାନିକୁ ନିରୁତ୍ସାହିତ କରିବା। ସେହି ତୈଳ ବିଦେଶକୁ ନଯାଇ ଦେଶ ଭିତରେ ରହିଲେ ତାହା ସ୍ଥାନୀୟ ଚାହିଦା ପୂରଣ କରିବାରେ ସହାୟକ ହେବ। ଅନ୍ତତଃ ତେଲ କଂପାନିଗୁଡ଼ିକୁ ସେତିକି ପରିମାଣର ‌ତୈଳ କିଣିବା ଲାଗି ବିଦେଶୀ ମୁଦ୍ରା ଖର୍ଚ୍ଚ କରିବାକୁ ପଡ଼ିବନି। ସାଧାରଣ ଜନତାଙ୍କ ସ୍ବାର୍ଥ ଦୃଷ୍ଟିରୁ ଏହା ଏକ ଭଲ ପଦକ୍ଷେପ। ତୈଳ ଉପରେ ଟିକସରେ ହୋଇଥିବା ବୃଦ୍ଧିର‌ କୌଣସି ପ୍ରଭାବ ପେଟ୍ରୋଲ ଓ ଡିଜେଲ୍‌ର ଖୁଚୁରା ଦାମ୍‌ ଉପରେ ପଡ଼ିବ ନାହିଁ। ଅନ୍ୟ ଏକ ପଦକ୍ଷେପ ସ୍ବରୂପ, ଦେଶ ଭିତରେ ଉତ୍ପାଦନ ହେଉଥିବା ପ୍ରତି ଟନ୍‌ ଅଶୋଧିତ ତୈଳ ଉପରେ ୨୩,୨୩୦ ଟଙ୍କାର ଅତିରିକ୍ତ ଶୁଳ୍କ ଲାଗୁ କରାଯାଇଛି। ଦେଶରେ ଅଶୋଧିତ ତୈଳ ଉତ୍ପାଦନ କରୁଥିବା ରିଲାଏନ୍ସ ଇଣ୍ଡଷ୍ଟ୍ରିଜ୍ ଭଳି ଘରୋଇ କଂପାନି ଆମେରିକା ଓ ୟୁରୋପକୁ ତେଲ ରପ୍ତାନି କରି ବିପୁଳ ଲାଭ ପାଉଥିଲେ। ସେମାନେ ଏହା ଦ୍ବାରା ପ୍ରଭାବିତ ହେବେ।
ଅନ୍ୟପକ୍ଷରେ, ଆଜି ସୁନାର ମୂଳ ଆମଦାନି ଶୁଳ୍କକୁ ୭.୫%ରୁ ବଢ଼ାଇ ୧୨.୫% କରାଯାଇଛି। ମୋଟ ଉପରେ ସୁନା ଆମଦାନି ଶୁଳ୍କ ୧୦.୭୫%ରୁ ବୃଦ୍ଧି ପାଇ ୧୫% ହୋଇଛି। ସୁନା ଉପରେ ମୂଳ ଆମଦାନି ଶୁଳ୍କ ବ୍ୟତୀତ ୨.୫% ହାରରେ କୃଷି ଭିତ୍ତିଭୂମି ବିକାଶ ସେସ୍‌ ଲାଗୁ କରାଯାଇଛି। ସୁନା ଏକ ଅଣ-ଅତ୍ୟାବଶ୍ୟକ ସାମଗ୍ରୀ ହୋଇଥିବା ବେଳେ ସୁନା ପ୍ରତି ଲୋକମାନଙ୍କ ରହିଥିବାମୋହ ଯୋଗୁଁ ତାହା ଆମଦାନି କରିବାରେ ବିପୁଳ ବିଦେଶୀ ମୁଦ୍ରା ଖର୍ଚ୍ଚ ହେଉଛି। ଚଳିତ ବର୍ଷ ମେ’ ମାସରେ ସୁନା ଆମଦାନି ହଠାତ୍‌ ବୃଦ୍ଧି ପାଇଥିଲା। ଏହି ମାସରେ ୧୦୭ ଟନ୍ ସୁନା ଆମଦାନି କରାଯାଇଛି। ସୁନା ଆମଦାନି ବଢ଼ୁଥିବାରୁ ଦେଶର ଚଳନ୍ତୀ ଖାତା ନିଅଣ୍ଟ ବୃଦ୍ଧି ପାଉଛି। ଯେତେବେଳେ ରପ୍ତାନି ତୁଳନାରେ ଆମଦାନି ଅଧିକ ହୋଇଯାଏ ସେତେବେଳେ ଚଳନ୍ତୀ ଖାତା ନିଅଣ୍ଟ ଦେଖାଯିଏ ତାହା ଅର୍ଥନୀତି ପାଇଁ ଭଲ ନୁହେଁ।

ତୈଳ ଓ ସୁନା ଉପରେ ଟିକସ ବୃଦ୍ଧି କରିବା ସହ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ସ୍ପଷ୍ଟ କରିଛନ୍ତି ଯେ ଏହା ହେଉଛି ସାମୟିକ ପଦକ୍ଷେପ। ପ୍ରତି ୧୫ ଦିନରେ ସରକାର ଏହାର ସମୀକ୍ଷା କରିବେ ଓ ସ୍ଥିତିରେ ସୁଧାର ଘଟିଲେ ଟିକସ ବୃଦ୍ଧିକୁ ପ୍ରତ୍ୟାହାର କରାଯିବ। ସେ କହିଛନ୍ତି ଯେ ରପ୍ତାନିକୁ ନିରୁତ୍ସାହିତ କରିବା ଲାଗି ଆମର କୌଣସି ଉଦ୍ଦେଶ୍ୟ ନାହିଁ। ବର୍ତ୍ତମାନ ଆମେ ଗମ୍ଭୀର ସମୟ ଦେଇ ଗତି କରୁ‌ଛେ। ଦେଶ ଭିତରେ ତୈଳ ରହୁ ବୋଲି ଆମେ ଚାହୁଛୁ। ଟଙ୍କା ମୂଲ୍ୟରେ ସୁଧାର ଆଣିବା ଲାଗି ଭାରତୀୟ ରିଜର୍ଭ ବ୍ୟାଙ୍କ ସହ ଅର୍ଥ ମନ୍ତ୍ରାଳୟ ଯୋଗାଯୋଗରେ ଅଛି ବୋଲି ମଧ୍ୟ ସେ କହିଛନ୍ତି।

ଡଲାର ତୁଳନାରେ ଦୁର୍ବଳ ହେଉଥିବା ଟଙ୍କା ସ୍ଥିତିରେ ସୁଧାର ଆଣିବା ଲାଗି କେନ୍ଦ୍ର ଅର୍ଥ ମନ୍ତ୍ରାଳୟ ଓ ଭାରତୀୟ ରିଜର୍ଭ ବ୍ୟାଙ୍କ ଯାହା ସମ୍ଭବ ସବୁ ପଦକ୍ଷେପ ଗ୍ରହଣ କରୁଛନ୍ତି। ବିନିମୟ ବଜାରରେ ଡଲାର ଦାମ୍ ବଢ଼ିଲେ ରିଜର୍ଭ ବ୍ୟାଙ୍କ ନିଜ ଭଣ୍ଡାରରେ ଥିବା ଡଲାର ବାହାର କରି ଆମଦାନିକାରୀ ଓ ବ୍ୟାଙ୍କଗୁଡ଼ିକୁ କମ୍ ଦାମ୍‌ରେ ଉପଲବ୍ଧ କରାଇ ଟଙ୍କାକୁ ସବଳ କରିବାକୁ ଉଦ୍ୟମ କରୁଛି। ଏହା ଦ୍ବାରା ଗଚ୍ଛିତ ବିଦେଶୀ ମୁଦ୍ରା ଭଣ୍ଡାର ସଙ୍କୁଚିତ ହେବାରେ ଲାଗିଛି। ଅନ୍ୟ ଏକ ବଡ଼ ଚିନ୍ତାର ବିଷୟ ହେଉଛି ବିଦେଶୀ ନିବେଶକମାନଙ୍କ ଦ୍ବାରା ଭାରତୀୟ ଷ୍ଟକ ବଜାରରୁ ବିପୁଳ ପରିମାଣର ପୁଞ୍ଜି ପ୍ରତ୍ୟାହାର କରାଯାଉଛି। କେବଳ ଜୁନ୍‌ ମାସରେ ସେମାନେ ୪୬ ହଜାର କୋଟି ଟଙ୍କା ପ୍ରତ୍ୟାହାର କରିଛନ୍ତି। ରପ୍ତାନି ବଢ଼ୁନଥିବାରୁ ଦେଶକୁ ନୂଆ ବିଦେଶୀ ମୁଦ୍ରା ଆସୁନଥିବା ବେଳେ ଆମଦାନିରେ ବୃଦ୍ଧି ଯୋଗୁଁ ଯାହା କିଛି ଗଚ୍ଛିତ ବିଦେଶୀ ମୁଦ୍ରା ରହିଛି ତାହା ଖର୍ଚ୍ଚ କରିବାକୁ ପଡ଼ୁଛି।