ହ୍ବାଟସ୍‌ଆପ୍ ପ୍ରତି ସରକାର କଠୋର: ନୂଆ ଗୋପନୀୟତା ନୀତି ସମ୍ପୂର୍ଣ୍ଣ ପ୍ରତ୍ୟାହାର କରିବାକୁ ନିର୍ଦେଶ

କଂପାନିକୁ ସାତ ଦିନର ମହଲତ, ଫେସ୍‌ବୁକ୍‌କୁ ତଥ୍ୟ ଦେବା ନେଇ ବିବାଦ

ନୂଆଦିଲ୍ଲୀ: ହ୍ବାଟସ୍‌ଆପ୍‌ର ବିବାଦୀୟ ଗୋପନୀୟତା ନୀତିକୁ ନେଇ କେନ୍ଦ୍ର ସରକାର କଠୋର ଆଭିମୁଖ୍ୟ ଗ୍ରହଣ କରିଛନ୍ତି। ଏହି ନୀତିକୁ ସମ୍ପୂର୍ଣ୍ଣ ପ୍ରତ୍ୟାହାର କରିବାକୁ ସରକାର କଂପାନିକୁ ନିର୍ଦେଶ ଦେଇଛନ୍ତି। ସେଥିପାଇଁ କଂପାନିକୁ ସାତ ଦିନର ମହଲତ ପ୍ରଦାନ କରାଯାଇଛି। କେନ୍ଦ୍ର ସୂଚନା ପ୍ରଯୁକ୍ତି ମନ୍ତ୍ରଣାଳୟ ତରଫରୁ କଂପାନିକୁ ଏକ ନୋଟିସ୍ ଜାରି କରାଯାଇଛି। ନୋଟିସ୍‌ର ଜବାବ ଚଳିତ ମାସ ୨୫ ସୁଦ୍ଧା ଦେବାକୁ କୁହାଯାଇଛି। ସେଥିରେ ବିଫଳ ହେଲେ ଆଇନରେ ଥିବା ବ୍ୟବସ୍ଥା ଅନୁସାରେ କଂପାନି ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ନୋଟିସ୍‌ରେ ଉଲ୍ଲେଖ ରହିଛି। ନାଗରିକମାନଙ୍କ ଅଧିକାର ଓ ସ୍ବାର୍ଥର ସୁରକ୍ଷା କରିବା ହେଉଛି ସରକାରଙ୍କ ଦାୟିତ୍ବ। ସେଥିପାଇଁ ଆଇନ ବ୍ୟବସ୍ଥାରେ ଥିବା ବିଭିନ୍ନ ବିକଳ୍ପ ବିଷୟରେ ସରକାର ବିଚାର କରିବାକୁ ମନ ସ୍ଥିର କରିଛନ୍ତି। ଯେଉଁଭଳି ଭାବେ ହ୍ବାଟସ୍‌ଆପ୍ ଏହାର ଗୋପନୀୟତା ନିୟମକୁ ବ୍ୟବହାରକାରୀମାନଙ୍କ ଉପରେ ଲଦିବାକୁ ଉଦ୍ୟମ କରୁଛି ତାହାକୁ ସରକାର ସହଜରେ ଗ୍ରହଣ କରିପାରୁନାହାନ୍ତି। ଏହା ଭାରତୀୟ ବ୍ୟବହାରକାରୀମାନଙ୍କ ପସନ୍ଦର ପ୍ରତିପନ୍ଥୀ ହୋଇଥିବା ବେଳେ ଭାରତୀୟ ନାଗରିକମାନଙ୍କ ଅଧିକାର ଓ ସ୍ବାର୍ଥ ପ୍ରତି ହାନିକାରକ ବୋଲି ସରକାର ଭାବୁଛନ୍ତି।

ଫେସବୁକ୍‌ ମାଲିକାନାରେ ଥିବା ହ୍ବାଟସ୍‌ଆପ୍‌କୁ ସୂଚନା ପ୍ରଯୁକ୍ତି ମନ୍ତ୍ରଣାଳୟ ତରଫରୁ ଦ୍ବିତୀୟ ଥର ଲାଗି କଂପାନିକୁ ନୋଟିସ୍‌ ଜାରି କରାଯାଇଛି। ଚଳିତ ବର୍ଷ ଜାନୁଆରିରେ ମନ୍ତ୍ରଣାଳୟ ତରଫରୁ ହ୍ବାଟସ୍‌ଆପ୍‌ର ବିଶ୍ବସ୍ତରୀୟ ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ ୱିଲ୍‌ କାଥ୍‌କାର୍ଟଙ୍କୁ ଏକ ପତ୍ର ଲେଖି ଗୋପନୀୟତା ନୀତିକୁ ସମ୍ପୂର୍ଣ୍ଣ ପ୍ରତ୍ୟାହାର କରିବାକୁ କୁହାଯାଇଥିଲା। ଭାରତରେ ଉଭୟ ଫେସବୁକ୍ ଓ ହ୍ବାଟସ୍‌ଆପ୍‌ର କୋଟି କୋଟି ବ୍ୟବହାରକାରୀ ଅଛନ୍ତି। ସେମାନଙ୍କ ସମ୍ବେଦନଶୀଳ ତଥ୍ୟକୁ ଅନ୍ୟ କାହାକୁ ପ୍ରଦାନ କରିବା ଦ୍ବାରା ସୂଚନା ସୁରକ୍ଷା ପ୍ରତି ବଡ଼ ଧରଣର ବିପଦ ସୃଷ୍ଟି ହେବ ବୋଲି ମନ୍ତ୍ରଣାଳୟ ଜଣାଇଥିଲା। ଭାରତୀୟ ନାଗରିକମାନେ ନିଜର ନିତିଦିନିଆ କାର୍ଯ୍ୟରେ ହ୍ବାଟସ୍‌ଆପ୍‌କୁ ବ୍ୟବହାର କରୁଛନ୍ତି। ହ୍ବାଟସ୍‌ଆପ୍ ନିଜର ଆଧିପତ୍ୟର ଅପବ୍ୟବହାର କରି ଭାରତୀୟ ବ୍ୟବହାରକାରୀମାନଙ୍କ ଉପରେ ଅଯୌକ୍ତିକ ସର୍ତ୍ତ ଲଦିବା କେବଳ ଏକ ସମସ୍ୟା ନୁହେଁ ବରଂ ଦାୟିତ୍ବହୀନତା ବୋଲି ମନ୍ତ୍ରଣାଳୟ କଂପାନିକୁ ଜଣାଇଥିଲା। ୟୁରୋପୀୟ ବ୍ୟବହାରକାରୀମାନଙ୍କ ତୁଳନାରେ ଭାରତୀୟ ବ୍ୟବହାରକାରୀମାନଙ୍କ ପ୍ରତି କଂପାନି ଗ୍ରହଣ କରିଥିବା ପାତର ଅନ୍ତର ନୀତି ବିଷୟରେ ମଧ୍ୟ ସରକାର କଂପାନିର ଦୃଷ୍ଟି ଆକର୍ଷଣ କରିଥିଲେ।

ଫେସ୍‌ବୁକ୍‌କୁ ତଥ୍ୟ ଦେବା ନେଇ ବିବାଦ
ହ୍ବାଟସ୍‌ଆପ୍‌ର ନୂଆ ଗୋପନୀୟତା ନୀତି ଘୋଷଣା ହେବା ଦିନଠାରୁ ବିବାଦୀୟ ହୋଇ ରହିଛି। କଂପାନି ଏହାର ବ୍ୟବହାରକାରୀମାନଙ୍କ ସୂଚନା ଫେସବୁକ୍ ସହିତ ବାଣ୍ଟିବା ଲାଗି ନିଷ୍ପତ୍ତି ନେଇଛି। ତାହାକୁ ସମଗ୍ର ବିଶ୍ବରେ ବିରୋଧ କରାଯାଉଛି। ଜର୍ମାନି ସରକାର ଏହି ବିବାଦୀୟ ନୀତିକୁ ନିଷିଦ୍ଧ ଘୋଷଣା କରିଛନ୍ତି। ଭାରତରେ ଏହାକୁ ନେଇ ଦିଲ୍ଲୀ ହାଇକୋର୍ଟରେ ମାମଲା ରୁଜୁ ହୋଇଛି। ସରକାର ଆପତ୍ତି ଉଠାଇବା ସତ୍ତ୍ବେ ନୂଆ ନୀତି ଲାଗୁ କରାଯିବ ବୋଲି କଂପାନି କୋର୍ଟଙ୍କୁ ଅବଗତ କରିଛି। ଏହି ନିୟମ ପ୍ରଥମେ ଫେବ୍ରୁଆରି ୮ରେ ଲାଗୁ ହେବାର ଥିଲା। ବିବାଦ ଦେଖାଦେବା ପରେ କଂପାନି ସେହି ସମୟ ସୀମାକୁ ମେ’ ୧୫ ପର୍ଯ୍ୟନ୍ତ ବଢ଼ାଇଥିଲା। ଯେଉଁମାନେ ନୂଆ ନିୟମରେ ରାଜି ହେବେନି ସେମାନଙ୍କ ଆକାଉଣ୍ଟ୍‌ ଡିଲିଟ୍ ହୋଇଯିବ ବୋଲି କଂପାନି ରୋକଠୋକ୍ ଶୁଣାଇଥିଲା। ଅବଶ୍ୟ କରୋନା ମହାମାରୀର ଭୟଙ୍କର ଦ୍ବିତୀୟ ଲହରକୁ ଭାରତ ସାମ୍ନା କରୁଥିବାରୁ ଏହି ନିୟମ ଲାଗୁ କରିବାର ମହଲତକୁ କଂପାନି ଘୁଞ୍ଚାଇ ଦେଇଛି। କେବେ ଠାରୁ ଏହା ପୁଣି ଥରେ ଲାଗୁ ହେବ ସେ ନେଇ ନୂଆ ତାରିଖ ଘୋଷଣା ହୋଇନାହିଁ।

ଭାରତରେ ୪୦ କୋଟିରୁ ଅଧିକ ଲୋକ ହ୍ବାଟସ୍‌ଆପ୍ ବ୍ୟବହାର କରୁଛନ୍ତି। କଂପାନି ପାଇଁ ଭାରତ ହେଉଛି ଏକ ବହୁତ ବଡ଼ ବଜାର। ସାରା ବିଶ୍ବରେ ହ୍ବାଟସ୍‌ଆପ୍ ବିଜନେସ୍‌ର ୫୦ ନିୟୁତ ବ୍ୟବହାରକାରୀ ଥିବା ବେଳେ ସେଥି ମଧ୍ୟରୁ ୧୫ ନିୟୁତ ହେଉଛନ୍ତି ଭାରତୀୟ ବ୍ୟବହାରକାରୀ। ବ୍ୟବହାରକାରୀମାନଙ୍କ ସମ୍ବେଦନଶୀଳ ତଥ୍ୟ ଏକ ସ୍ପର୍ଶକାତର ପ୍ରସଙ୍ଗ ହୋଇଥିବା ବେଳେ ସାରା ବିଶ୍ବରେ ବ୍ୟକ୍ତିଗତ ଗୋପନୀୟ ତଥ୍ୟର ସୁରକ୍ଷା ଉପରେ ଜୋର ଦିଆଯାଉଛି। ଏଭଳି ଏକ ସମୟରେ ଖୋଲାଖୋଲି ଭାବେ ଫେସବୁକ୍ ସହିତ ତଥ୍ୟ ବାଣ୍ଟିବା ଲାଗି ହ୍ବାଟସ୍‌ଆପ୍ ନିଷ୍ପତ୍ତି ନେବା ଓ ସେଥିପାଇଁ ବ୍ୟବହାକାରୀଙ୍କ ଉପରେ କଠୋର ସର୍ତ୍ତ ଲଦିବା ବିଷୟକୁ ସରକାର ସହଜରେ ଗ୍ରହଣ କରିପାରୁନାହାନ୍ତି।

ସମ୍ବନ୍ଧିତ ଖବର