ନୂଆଦିଲ୍ଲୀ: ହ୍ବାଟ୍ସଆପ୍ର ସର୍ତବାଳି ଓ ଗୋପନୀୟତା ନୀତିକୁ ସମାଜର ବିଭିନ୍ନ ମହଲ ସମାଲୋଚନା କରିବା ପରେ ଏହି ପ୍ରସଙ୍ଗକୁ କେନ୍ଦ୍ର ସରକାର ଗମ୍ଭୀରତାର ସହ ନେଇଛନ୍ତି। ସର୍ତ୍ତାବଳିରେ କରାଯିବାକୁ ଥିବା ପରିବର୍ତ୍ତନ ପ୍ରତ୍ୟାହାର କରିବାକୁ କଂପାନିକୁ କୁହାଯାଇଛି। ଏନେଇ କେନ୍ଦ୍ର ଇଲେକ୍ଟ୍ରୋନିକ୍ସ ଓ ସୂଚନା ପ୍ରଯୁକ୍ତି ମନ୍ତ୍ରଣାଳୟ ତରଫରୁ ହ୍ବାଟ୍ସଆପ୍ର ସିଇଓ ୱିଲ୍ କାଥ୍କାର୍ଟଙ୍କୁ ଏକ ଇ-ମେଲ୍ ପଠାଯାଇଛି। ସେଥିରେ ମନ୍ତ୍ରଣାଳୟ ପକ୍ଷରୁ ଲେଖାଯାଇଛି ଯେ ଆପ୍ର ତଥ୍ୟ ଆଦାନପ୍ରଦାନ ନୀତିରେ କରାଯାଉଥିବା ପରିବର୍ତ୍ତନ ବେଶ ଚିନ୍ତାଜନକ। ଏହା ଭାରତୀୟ ନାଗରିକଙ୍କ ସ୍ବାୟତ୍ତତା ଓ ପସନ୍ଦ ପ୍ରତି ଏକ ବଡ଼ ସମସ୍ୟା। ତେଣୁ ପ୍ରସ୍ତାବିତ ପରିବର୍ତ୍ତନ ତୁରନ୍ତ ପ୍ରତ୍ୟାହାର କରାଯାଉ। ଫେସ୍ବୁକ୍ ସହିତ ତଥ୍ୟ ଆଦାନପ୍ରଦାନ ଚୁକ୍ତିର ସମ୍ପୂର୍ଣ୍ଣ ବିବରଣୀ ଦେବାକୁ ମଧ୍ୟ କଂପାନିକୁ କୁହାଯାଇଛି। ୟୁରୋପୀୟ ରାଷ୍ଟ୍ରଗୁଡ଼ିକୁ ବାଦ ଦିଆଯାଇଥିବା
ବେଳେ କାହିଁକି ଭାରତୀୟ ବ୍ୟବହାରକାରୀଙ୍କ ପାଇଁ ଅନ୍ୟ କୌଣସି ବିକଳ୍ପ ନାହିଁ ବୋଲି ସରକାର ପ୍ରଶ୍ନ କରିଛନ୍ତି। ଭାରତୀୟ ବ୍ୟବହାରକାରୀଙ୍କ ପ୍ରତି ଏଭଳି ଅଲଗା ବ୍ୟବହାର ହାନିକାରକ ହୋଇଥିବା ବେଳେ ସରକାର ଏହାକୁ ଅତ୍ୟନ୍ତ ଗମ୍ଭୀରତାର ସହ ନେଇଛନ୍ତି। ନାଗରିକମାନଙ୍କ ସାର୍ବଭୌମ ଦାୟିତ୍ବ ପାଇଁ ଭାରତ ସରକାର ପ୍ରତିବଦ୍ଧ। ସେମାନଙ୍କ ସ୍ବାର୍ଥ ସହ ସାଲିସ ହୋଇପାରିବ ନାହିଁ। ତେଣୁ ଏହି ଇ-ମେଲ୍ରେ ଯେଉଁ ଚିନ୍ତାପ୍ରକଟ କରାଯାଇଛି ସେ ବିଷୟରେ ତୁରନ୍ତ ସ୍ପଷ୍ଟୀକରଣ ଦେବା ଲାଗି କଂପାନିକୁ ସରକାର କହିଛନ୍ତି। ସରକାର କଂପାନିକୁ ୧୪ଟି ପ୍ରଶ୍ନ କରିଛନ୍ତି। ସେଗୁଡ଼ିକର ଉତ୍ତର ଦେବାକୁ କହିଛନ୍ତି। ହ୍ବାଟ୍ସଆପ୍ ହେଉଛି ମାର୍କ ଜୁକରବର୍ଗଙ୍କ ଫେସ୍ବୁକ୍ ମାଲିକାନା ଅଧୀନରେ ଥିବା ଏକ ସଂସ୍ଥା। ଏହାକୁ ୨୦୧୪ରେ ଫେସବୁକ୍ ୧୯୦୦ କୋଟି ଟଙ୍କାରେ କିଣିଥିଲା। ଭାରତରେ ହ୍ବାଟସ୍ଆପ୍ର ୪୦ କୋଟିରୁ ଅଧିକ ବ୍ୟବହାରକାରୀ ଅଛନ୍ତି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2021/01/WhatsApp.png)