ୟୁ-ଟର୍ଣ୍ଣ ନେଲେ ସରକାର: ବଦଳାଇଲେ ନିର୍ଦ୍ଦେଶନାମା, ଇ-କମର୍ସ କମ୍ପାନି ବିକି ପାରିବେନି ଅଣଅତ୍ୟାବଶ୍ୟକ ସାମଗ୍ରୀ

ନୂଆଦିଲ୍ଲୀ: ଅଣଅତ୍ୟାବଶ୍ୟକ ସାମଗ୍ରୀ ବିକ୍ରି ନେଇ ସରକାର ତାଙ୍କ ଆଭିମୁଖ୍ୟକୁ ବଦଳାଇ ଦେଇଛନ୍ତି। ପୂର୍ବରୁ ଇ-କମର୍ସ କମ୍ପାନି ଗୁଡ଼ିକ ଚଳିତ ମାସ ୨୦ ତାରିଖରୁ ଅଣଅତ୍ୟାବଶ୍ୟକ ସାମଗ୍ରୀ ବିକ୍ରି କରିପାରିବେ ବୋଲି ନିର୍ଦ୍ଦେଶନାମା ଜାରି କରିଥିଲେ। କିନ୍ତୁ ଆଜି ସେଥିରେ ପରିବର୍ତ୍ତନ ଆଣିଛନ୍ତି। ଗୃହ ମନ୍ତ୍ରାଳୟ ପକ୍ଷରୁ ଏ ନେଇ ଜାରି ହୋଇଥିବା ନିର୍ଦ୍ଦେଶନାମାରେ କୁହାଯାଇଛି, ଇ-କମର୍ସ କମ୍ପାନି ଗୁଡ଼ିକ ପୂର୍ବଭଳି କେବଳ ତେଜରାତି ଏବଂ ସ୍ବଚ୍ଛତା ରକ୍ଷାକାରୀ ଉତ୍ପାଦ ବିକ୍ରି କରିପାରିବେ । ଜାତୀୟ କାର୍ଯ୍ୟନିର୍ବାହୀ କମିଟିର ଅଧ୍ୟକ୍ଷ ଭାବେ ଗୃହ ସଚିବ ରବିବାର ଏହି ନିର୍ଦ୍ଦେଶନାମା ଜାରି କରିଛନ୍ତି। ଗତ ୧୫ ତାରିଖରେ ଇ-କମର୍ସ କମ୍ପାନି ଗୁଡ଼ିକୁ ଗ୍ରାହଙ୍କ ନିକଟରେ ଇଲେକ‌େଟ୍ରୋନିକ୍ସ ଭଳି ଅଣଅତ୍ୟାବଶ୍ୟକ ସାମଗ୍ରୀ ପହଞ୍ଚାଇବା ନେଇ ଯେଉଁ ନିର୍ଦ୍ଦେଶନାମା ଜାରି ହୋଇଥିବା ତାହାକୁ ସେ ପ୍ରତ୍ୟାହାର କରି ନେଇଛନ୍ତି। ଅର୍ଥାତ୍ ଇ-କମର୍ସ କମ୍ପାନି ଏବଂ ସେମାନଙ୍କ ଅପରେଟରଙ୍କ ଗାଡ଼ି ଗୁଡ଼ିକ କେବଳ ଅତ୍ୟାବଶ୍ୟକ ସାମଗ୍ରୀ ପରିବହନ କରିପାରିବେ ବୋଲି ନିର୍ଦ୍ଦେଶନାମାରେ କୁହାଯାଇଛି। ଉକ୍ତ ସଂଶୋଧିତ ନିର୍ଦ୍ଦେଶନାମାକୁ ଭାରତ ସରକାରଙ୍କ ସମସ୍ତ ମନ୍ତ୍ରାଳୟ/ବିଭାଗର ସଚିବ, ସବୁ ରାଜ୍ୟ ଓ କେନ୍ଦ୍ର ଶାସିତ ଅଞ୍ଚଳର ମୁଖ୍ୟ ସଚିବଙ୍କ ନିକଟକୁ ପଠାଇ ଦିଆଯାଇଛି। ଏହି ସହିତ ଏହି ନିର୍ଦ୍ଦେଶନାମାର ନକଲ ଜାତୀୟ କାର୍ଯ୍ୟନିର୍ବାହୀ ପରିଷଦର ସମସ୍ତ ସଦସ୍ୟ ଏବଂ ଜାତୀୟ ବିପର୍ଯ୍ୟୟ ପ୍ରଶମନ କର୍ତ୍ତୃପକ୍ଷର ସଦସ୍ୟ ସଚିବଙ୍କୁ ନିକଟକୁ ମଧ୍ୟ ପଠାଇ ଦିଆଯାଇଛି।

ସମ୍ବନ୍ଧିତ ଖବର