ସରକାର ଆଣିବେ ଜାତୀୟ ନିଯୁକ୍ତି ନୀତି: ଚିଠା ପ୍ରସ୍ତୁତ କରିବାକୁ କମିଟି ଗଠନ ହେବ

ନୂଆଦିଲ୍ଲୀ: ନିଯୁକ୍ତି ଓ ନିୟୋଜନ ସ୍ଥିତିରେ ଉନ୍ନତି ଆଣିବା ଲାଗି ଏକ ଜାତୀୟ ନୀତି ଘୋଷଣା କରାଯିବ। ଏଥିପାଇଁ ଚିଠା ପ୍ରସ୍ତୁତ କରିବା ନିମନ୍ତେ କେନ୍ଦ୍ର ସରକାର ଏକ କମିଟି ଗଠନ କରିବାକୁ ଉପରେ ବିଚାର କରୁଛନ୍ତି। ଏହି କମିଟିରେ ଶ୍ରମ ଓ ଅନ୍ୟାନ୍ୟ ମନ୍ତ୍ରଣାଳୟ ଓ ପ୍ରମୁଖ ଶିଳ୍ପ କ୍ଷେତ୍ରର ପ୍ରତିନିଧିମାନେ ସଦସ୍ୟ ରହିବେ। ନୂଆ ନୀତି ଜରିଆରେ ଦେଶରେ ଅଧିକ ନିଯୁକ୍ତି ସୁଯୋଗ ସୃଷ୍ଟି କରିବାକୁ ସରକାର ଲକ୍ଷ୍ୟ ରଖିଛନ୍ତି। ଦେଶରେ ହୋଇଥିବା ପାଞ୍ଚଟି ସର୍ବଭାରତୀୟ ଶ୍ରମ ସର୍ଭେ ଓ ନିକଟରେ ଉନ୍ମୋଚନ କରାଯାଇଥିବା ଇ-ଶ୍ରମ ପୋର୍ଟାଲ୍‌ର ତଥ୍ୟ ଆଧାରରେ ଜାତୀୟ ନିଯୁକ୍ତି ନୀତିର ଚିଠା ପ୍ରସ୍ତୁତ କରାଯିବ। ବିଶେଷଜ୍ଞ କମିଟି ଯେଉଁ ସବୁ ସୁପାରିସ କରିବ ତାହାକୁ ବିଚାରକୁ ନେବା ପରେ ଅଂଶୀଦାରମାନଙ୍କ ସହ ଆଲୋଚନା କରି ଚିଠା ପ୍ରସ୍ତାବକୁ ଚୂଡ଼ାନ୍ତ ରୂପ ପ୍ରଦାନ କରାଯିବ। ଏହା ପରେ ଚିଠା ନୀତିକୁ କ୍ୟାବିନେଟ୍ ଅନୁମୋଦନ ପାଇଁ ପଠାଯିବ।

ଚଳିତ ବର୍ଷ ଅଗଷ୍ଟ ୨୬ରେ ଶ୍ରମ ମନ୍ତ୍ରଣାଳୟ ପକ୍ଷରୁ ଅଣ ସଂଗଠିତ କ୍ଷେତ୍ରର ଶ୍ରମିକମାନଙ୍କ ତଥ୍ୟ ସଂଗ୍ରହ କରିବା ଲାଗି ଇ-ଶ୍ରମ ପୋର୍ଟାଲ୍‌କୁ ଉନ୍ମୋଚନ କରାଯାଇଥିଲା। ଏଥିରେ ନିର୍ମାଣ କ୍ଷେତ୍ରର ଶ୍ରମିକ, ଅନଲାଇନ୍‌ ଡେଲିଭରି ସଂସ୍ଥାର କର୍ମଚାରୀ, ରାସ୍ତାକଡ଼ ବେପାରି, ଘରେ, କ୍ଷେତରେ ଓ ପ୍ରବାସୀ ଭାବେ କାର୍ଯ୍ୟ କରୁଥିବା ଶ୍ରମିକମାନେ ପଞ୍ଜୀକରଣ କରୁଛନ୍ତି। ପୋର୍ଟାଲ୍‌ରେ ୩୮ କୋଟି ପାଖାପାଖି ଶ୍ରମିକ ପଞ୍ଜୀକରଣ କରିବେ ବୋଲି ଅନୁମାନ କରାଯାଉଛି। ଇ-ଶ୍ରମ ପୋର୍ଟାଲ୍‌ରୁ ଅଣସଂଗଠିତ କ୍ଷେତ୍ରର ଶ୍ରମିକମାନଙ୍କ ଏକ ସ୍ପଷ୍ଟ ଚିତ୍ର ମିଳିବ। ସେହି ଅନୁସାରେ ଏହି ବର୍ଗର ଲୋକମାନଙ୍କ କଲ୍ୟାଣ ପାଇଁ ସରକାର ନୀତି ପ୍ରସ୍ତୁତ କରିବେ। ଏହା ଜରିଆରେ ସରକାରୀ ନୀତି କାର୍ଯ୍ୟକାରିତା ଅଗ୍ରଗତିର ଭଲ ଭାବେ ସମୀକ୍ଷା ହୋଇପାରିବ। ସରକାର ତୃଣମୂଳ ସ୍ତରର ଲୋକମାନଙ୍କ ପାଖରେ ଯୋଜନାଗୁଡ଼ିକର ଲାଭ ପହଞ୍ଚାଇପାରିବେ।
ଗତବର୍ଷ କରୋନା ମହାମାରୀ ବ୍ୟାପିବା ପରଠାରୁ ବେକାରି ସଂଖ୍ୟା ବହୁତ ବଢ଼ିଯାଇଛି।

ଘରୋଇ କ୍ଷେତ୍ରର ସଂସ୍ଥା ସେଣ୍ଟର ଫର ମନିଟରିଂ ଇଣ୍ଡିଆ ଇକୋନମି (ସିଏମ୍‌ଆଇଇ) ତଥ୍ୟ ଅନୁଯାୟୀ ୨୦୨୦ ଏପ୍ରିଲ୍‌ରେ ଦେଶର ବେକାରି ହାର ରେକର୍ଡ ୨୩.୫୨ ପ୍ରତିଶତରେ ପହଞ୍ଚିଥିଲା। ମହାମାରୀ ମୁକାବିଲା ଲାଗି ସରକାର ଘୋଷଣା କରିଥିବା ଲକ୍‌ଡାଉନ୍ ଯୋଗୁଁ ଅନେକ ଲୋକ ଜୀବିକା ହରାଇଥିଲେ। ୨୦୨୦-୨୧ର ଏପ୍ରିଲ୍‌-ଜୁନ୍‌ ତ୍ରୟମାସରେ ୧୨.୧ କୋଟି ଲୋକ ଚାକିରି ହରାଇଥିଲେ।

ସମ୍ବନ୍ଧିତ ଖବର