ଗଚ୍ଛିତ ଲୁହାପଥର ଉଠାଇବା ପାଇଁ ଆଉ ମାସେ ମହଲତ, ସରକାରଙ୍କ କ୍ଷତି ହେବ ୧୦ ହଜାର କୋଟି!

କେନ୍ଦୁଝର: କେନ୍ଦୁଝର ଜିଲ୍ଲାର ଏକାଧିକ ଲୁହାପଥର ଖଣିର ଲିଜ୍‌ ଅବଧି ମାର୍ଚ୍ଚ ୨୦୨୦ରେ ସରିଥିଲା। ପରେ ଦୁଇ ଦୁଇଥର ପୁରୁଣା ଲିଜ୍‌ଧାରୀଙ୍କୁ ଗଚ୍ଛିତ ଲୁହାପଥର ଉତ୍ତୋଳନ ପାଇଁ ସରକାର ଅନୁମତି ଦେଇଥିଲେ। ଏହାସ‌ତ୍ତ୍ବେ ସେମାନେ ଗଚ୍ଛିତ ଲୁହାପଥର ସଂପୂର୍ଣ୍ଣ ଉଠାଇଲେ ନାହଁ। ଏବେ ପୁଣି ଏହି ଗଚ୍ଛିତ ଲୁହାପଥର ଉଠାଇବା ପାଇଁ ମାସେ ସମୟ ଦେବାକୁ ସରକାର ସ୍ଥିର କରିଛନ୍ତି। ଯେଉଁ ଲିଜ୍‌ଧାରୀମାନେ ଏହି ଅବଧି ପରେ ଆଉ ଅଧିକ ସମୟ ମାଗିବେ ନାହିଁ ବୋଲି ଲିଖିତ ଭାବେ ସରକାରଙ୍କୁ ଜଣାଇବେ ସେମାନଙ୍କୁ ଏହି ସୁ‌ଯୋଗ ଦିଆଯିବ। ସରକାରଙ୍କ ଏହି ନିଷ୍ପତ୍ତି ଦ୍ବାରା ପୁରୁଣା ଖଣି ଲିଜ୍‌ଧାରୀମାନେ ଲାଭବାନ ‌ହେବାକୁ ଥିବାବେଳେ ସରକାର ବିପୁଳ ପରିମାଣର ରାଜସ୍ବ ହରାଇବେ। ତେଣୁ ଏଭଳି ସମୟ ଅବଧି ବୃଦ୍ଧି ପଛର ଉଦ୍ଦେଶ୍ୟକୁ ନେଇ ନାନା ପ୍ରଶ୍ନ ଉଠୁଛି।

ଏକାଧିକ ଲିଜ୍‌ଧାରୀଙ୍କର ଖଣି ଲିଜ୍‌ ଅବଧି ୨୦୨୦ ମସିହା ମାର୍ଚ୍ଚ ମାସରେ ‌ଶେଷ ହୋଇଥିଲା। ପୁରୁଣା ଲିଜ୍‌ଧାରୀଙ୍କ ଦ୍ବାରା ଉତ୍ତୋଳନ ହୋଇଥିବା ବିପୁଳ ପରିମାଣର ଲୁହାପଥର ଖଣିରେ ଗଚ୍ଛିତ ଥିଲା। ତେଣୁ ଲିଜ୍‌ ଅବଧି ଶେଷ ହେବା ପରେ ରାଜ୍ୟ ସରକାର ଅକ୍ସନ ମାଧ୍ୟମରେ ଏସବୁ ଖଣିକୁ ନୂଆ ଲିଜ୍‌ଧାରୀଙ୍କୁ ଦେଇସାରିବା ସତ୍ତ୍ବେ ଗଚ୍ଛିତ ଲୁହାପଥର ଉଠାଇବା ପାଇଁ ପୁରୁଣା ଲିଜ୍‌ଧାରୀଙ୍କୁ ୬ ମାସ ସମୟ ଦେଇଥିଲେ। ମାତ୍ର ଏହି ସମୟ ମଧ୍ୟରେ ଗଚ୍ଛିତ ଲୁହାପଥର ଉଠାଇଲେ ନାହିଁ ଲିଜ୍‌ଧାରୀ। ପ‌ରେ ସରକାରଙ୍କ ପକ୍ଷରୁ ଏଥିପାଇଁ ଆଉ ମାସେ ସମୟ ଦିଆଯାଇଥିଲା। ତଥାପି ଲୁହାପଥର ଉଠାଇଲେ ନାହିଁ ପୁରୁଣା ଲିଜ୍‌ଧାରୀ।

ଇତିମଧ୍ୟରେ ଏସବୁ ଲୁହାପଥର ଖଣିର ମାଲିକାନା ନୂଆ ଲିଜ୍‌ଧାରୀଙ୍କ ପାଖକୁ ଆସିଯାଇଥିଲା। ପୁରୁଣା ଲିଜ୍‌ଧାରୀଙ୍କ ଦ୍ବାରା ଉତ୍ତୋଳନ କରାଯାଇ ଗଚ୍ଛିତ ଥିବା ଲୁହାପଥର ସରକାରଙ୍କ ଅଧୀନକୁ ଚାଲିଯାଇଥିଲା। ଦୀର୍ଘ ୮ ମାସ ଧରି ଗଚ୍ଛିତ ଲୁହାପଥରକୁ ସୁରକ୍ଷାକର୍ମୀଙ୍କ ଦ୍ବାରା ସୁରକ୍ଷା ଦେଇଥିଲେ ସରକାର। ଏବେ ପୁଣି ଆଉ ମାସେ ମଧ୍ୟରେ ଗଚ୍ଛିତ ଲୁହାପଥର ଉଠାଇବାକୁ ହେଲେ ପୁରୁଣା ଲିଜ୍‌ଧାରୀଙ୍କୁ ଏକ ଅଣ୍ଡରଟେକିଂ ଲେଖିଦେବାକୁ ହେବ ବୋଲି ସରକାର ସ୍ଥିର କରିଛନ୍ତି। ଏହି ଅଣ୍ଡରଟେକିଂ ଅନୁସାରେ, ପରବର୍ତ୍ତୀ ସମୟରେ ଯେଭଳି ଆଉ ଲୁହାପଥର ଉଠାଇବାକୁ ପୁରୁଣା ଲିଜ୍‌ଧାରୀ ଅଧିକ ସମୟ ନ ମାଗିବେ ସେଥିପାଇଁ ସରକାରଙ୍କୁ ଏକ ଲିଖିତ ଚୁକ୍ତିନାମା ଦ୍ବାରା ଜଣାଇଲେ ସରକାର ଆଉ ମାସେ ଅଧିକ ସମୟ ଦେବେ। ଏଭଳି ନିଷ୍ପତ୍ତି ଯୋଗୁଁ ପୁରୁଣା ଖଣି ଲିଜ୍‌ଧାରୀମାନେ ବିଶେଷ ଲାଭବାନ ‌ହେବାକୁ ଥିବାବେଳେ ସରକାର ବିପୁଳ କ୍ଷତି ସହିବେ।

ବର୍ତ୍ତମାନ ଭଲ ଗ୍ରେଡ୍‌ର ଲୁହାପଥର ଟନ୍‌ ମୂଲ୍ୟ ପାଖାପାଖି ୧୦ ହଜାର ଟଙ୍କା ଅଛି। ଯଦି ପୁରୁଣା ଲିଜ୍‌ଧାରୀ ଗଚ୍ଛିତ ଲୁହାପଥରକୁ ଉଠାଇବେ ତେବେ ସେମାନେ ସରକାରଙ୍କୁ କେବଳ ରୟାଲଟି ଦେବେ। ଲୁହାପଥର ଉପରେ ରୟାଲଟି ଏବଂ ଡିଏମ୍‌ଏଫ୍‌ ଦେୟ ହେଉଛି ୧୫ ପ୍ରତିଶତ। ଅର୍ଥାତ ଲୁହାପଥର ଟନ୍‌ ଯଦି ୧୦ ହଜାର ଟଙ୍କା ହୁଏ ଲିଜ୍‌ଧାରୀ ସରକାରଙ୍କୁ ୧୫ ପ୍ରତିଶତ ହିସାବରେ ମାତ ୧୫ଶହ ଟଙ୍କା ଦେବେ। ଏହି ଲୁହାପଥରକୁ ସରକାର ନିଜେ ବିକ୍ରି କରିଥିଲେ ଟନ୍‌ ପିଛା ସର୍ବନିମ୍ନ ୧୦ ହଜାର ଟଙ୍କା ପାଇଥାନ୍ତେ। ଯାହାଦ୍ବାରା ରାଜସ୍ବ ବୃଦ୍ଧି ହୋଇଥାନ୍ତା। ମାତ୍ର ତାହା ନ କରି ପୁରୁଣା ଲିଜ୍‌ଧାରୀଙ୍କୁ ଗଚ୍ଛିତ ଲୁହାପଥର ଉଠାଇବାକୁ ଆହୁରି ଏକ ମାସ ସମୟ ଦେବା ଦ୍ବାରା ସରକାର ଜାଣିଶୁଣି ହଜାର ହଜାର କୋଟି ଟଙ୍କାର ରାଜସ୍ବ ହରାଇବାକୁ ଯାଉଛନ୍ତି।

ଏହି ପୁରୁଣା ଲିଜ୍‌ଧାରୀଙ୍କ ପାଖରେ ଏବେ ପ୍ରାୟ ୧୦ ମିଲିୟନ ଟନ୍‌ରୁ ଅଧିକ ଲୁହାପଥର ଗଚ୍ଛିତ ଅଛି। ସେମାନେ ଅଣ୍ଡରଟେକିଂ ଲେଖି ଲୁହାପଥର ବିକ୍ରି କଲେ ସରକାର ପ୍ରାୟ ୧୦ ହଜାର କୋଟି ଟଙ୍କାର ରାଜସ୍ବ ହରାଇବେ। ଯାହା ରାଜ୍ୟ ଅର୍ଥନୀତିକୁ ବିପୁଳ ପରିମାଣରେ କ୍ଷତି ପହଞ୍ଚାଇବ। ଏ ସମ୍ପର୍କରେ ଖଣି ନିର୍ଦ୍ଦେଶାଳୟର ଯୁଗ୍ମ ସଚିବ ଉମେଶ ଜେନାଙ୍କୁ ପଚାରିବାରୁ, ପୁରୁଣା ଲିଜ୍‌ଧାରୀ ହାଇକୋର୍ଟରେ ମାମଲା କରିବା ପରେ ମାନ୍ୟବର ହାଇକୋର୍ଟ ସରକାରଙ୍କୁ ନିଷ୍ପତ୍ତି ନେବାକୁ କହିଥିଲେ। ଏହି ଆଧାରରେ ପୁରୁଣା ଲିଜ୍‌ଧାରୀ ଅଣ୍ଡରଟେକିଂ ଦେଲେ ଗଚ୍ଛିତ ଲୁହାପଥର ଉଠାଇପାରିବେ ବୋଲି ନିଷ୍ପତ୍ତି ନିଆଯାଇଥିବା ସେ କହିଛନ୍ତି।

ସମ୍ବନ୍ଧିତ ଖବର