ଭୋଡା-ଆଇଡିଆର ୩୬% ମାଲିକ ହେବେ ସରକାର: ଟାଟା ଟେଲି ବି ଯାଚିଲା ୯.୫% ଅଂଶଧନ

ନୂଆଦିଲ୍ଲୀ: ସ୍ପେକ୍ଟ୍ରମ୍ ଓ ଆଡଜଷ୍ଟେଡ୍‌ ଗ୍ରସ୍ ରେଭିନ୍ୟୁ (ଏଜିଆର୍‌) ବାବଦ ଦେୟ ଦେବାକୁ ଦେଶର ଦୁଇଟି ଘରୋଇ ଟେଲିକମ୍ କଂପାନି ଅକ୍ଷମତା ପ୍ରକାଶ କରିଛନ୍ତି। ‌ସେହି ଦୁଇ କଂପାନି ହେଉଛି ଭୋଡାଫୋନ୍ ଆଇଡିଆ ଓ ଟାଟା ଟେଲି। ଦେୟ ବଦଳରେ କଂପାନିର ମାଲିକାନା ଭାଗ ଦେବା ଲାଗି ଏହି ଦୁଇ ସଂସ୍ଥା ସରକାରଙ୍କୁ ପ୍ରସ୍ତାବ ଦେଇଛନ୍ତି। ଭୋଡାଫୋନ୍ ଆଇଡିଆ ନିଜର ୩୫.୮% ଇକ୍ବିଟି ସେୟାର ଓ ଟାଟା ଟେଲି ୯.୫% ଇକ୍ବିଟି ସେୟାର ସରକାରଙ୍କ ନାମରେ କରିଦେବାକୁ ପ୍ରସ୍ତାବ ଦେଇଛନ୍ତି।‌ ଗତବର୍ଷ କେନ୍ଦ୍ର ସରକାର ଏକ ଲକ୍ଷ କୋଟି ଟଙ୍କା ମୂଲ୍ୟର ରିଲିଫ୍ ପ୍ୟାକେଜ୍ ଘୋଷଣା କରିଥିଲେ। ‌ସ୍ପେକ୍ଟ୍ରମ୍ ଓ ଏଜିଆର୍‌ ବାବଦ ଦେୟ ପାଇଁ କଂପାନିଗୁଡ଼ିକୁ ଦୁଇଟି ବିକଳ୍ପ ପ୍ରଦାନ କରାଯାଇଥିଲା। ତାହା ଥିଲା ଚାରି ବର୍ଷର ମୋରାଟୋରିଅମ୍ କିମ୍ବା ଦେୟକୁ ଇକ୍ବିଟି ସେୟାରରେ ରୂପାନ୍ତରିତ କରିବା। ରିଲାଏନ୍ସ ଜିଓ ଏବଂ ଏୟାରଟେଲ୍‌ ମୋରାଟୋରିଅମ୍ ବିକଳ୍ପ ଚୟନ କରିଛନ୍ତି। ଭୋଡାଫୋନ୍ ଆଇଡିଆ ଓ ଟାଟା ଟେଲି ଦ୍ବିତୀୟ ବିକଳ୍ପ ଚୟନ କରିଛନ୍ତି।

ଦେୟ ବାବଦ ପାଣ୍ଠି ଯୋଗାଡ଼ କରିବା ଏକ କଷ୍ଟକର ବ୍ୟାପାର ହୋଇଥିବାରୁ କଂପାନିକୁ ବଞ୍ଚାଇ ରଖିବା ଲାଗି ସରକାରଙ୍କୁ ମାଲିକାନା ଭାଗ ଦେବାକୁ ଭୋଡା ଆଇଡିଆ ଉଚିତ ମଣିଛି। ଏହି ପ୍ରସ୍ତାବକୁ କଂପାନି ବୋର୍ଡରେ ମଞ୍ଜୁରି ମଧ୍ୟ ମିଳିଛି। ଉକ୍ତ ପ୍ରସ୍ତାବ ଗ୍ରହଣୀୟ ହେଲେ ସରକାର କଂପାନିର ସର୍ବବୃହତ ଅଂଶଧନକାରୀ ଭାବେ ଉଭା ହେବେ। ଏହି ଖବର ପ୍ରକାଶ ପାଇବା ପରେ ଷ୍ଟକ ବଜାରରେ କଂପାନିର ସେୟାର ମୂଲ୍ୟ ପ୍ରାୟ ୧୫% ହ୍ରାସ ପାଇ ୧୨ ଟଙ୍କା ୬୫ ପଇସା ସ୍ତରକୁ ଖସିଆସିଛି। ସରକାରଙ୍କ ହାତକୁ ୩୬% ଅଂଶଧନ ଗଲେ ଭୋଡାଫୋନ୍ ଆଇଡିଆର ଅନ୍ୟ ଦୁଇ ପ୍ରମୁଖ ଅଂଶଧନକାରୀ ବ୍ରିଟେନ୍‌ର ଭୋଡାଫୋନ୍ ଗ୍ରୁପ୍‌ ପାଖରେ ୨୮.୫% ଓ କୁମାର ମଙ୍ଗଳମ୍ ବିର୍ଲାଙ୍କ ଆଦିତ୍ୟ ବିର୍ଲା ଗ୍ରୁପ୍‌ ପାଖରେ ୧୭.୮% ଅଂଶଧନ ରହିବ।

ଏଜିଆର୍‌ ବାବଦରେ ଭୋଡାଫୋନ୍ ଆଇଡିଆକୁ ୫୮,୨୫୪ କୋଟି ଟଙ୍କା ଦେବାକୁ ହେବ। ସେଥିରୁ କଂପାନି ମାତ୍ର ୭,୮୫୪ କୋଟି ଟଙ୍କା ଦେଇଛି। ବଳକା ରାଶିକୁ ଇକ୍ବିଟିରେ ରୂପାନ୍ତରିତ କରି ସରକାରଙ୍କୁ ହସ୍ତାନ୍ତର କରିବାକୁ କଂପାନି ଚାହୁଛି। ସୁଧ ବାବଦରେ କଂପାନିକୁ ପ୍ରାୟ ୧୬,୦୦୦ କୋଟି ଟଙ୍କା ଗଣିବାକୁ ପଡ଼ିବ। ଅନ୍ୟତମ ଘରୋଇ ଟେଲିକମ୍ କଂପାନି ଟାଟା ଟେଲି ମଧ୍ୟ ଏହାର ବିଭିନ୍ନ ପ୍ରକାର ଦେୟକୁ ଇକ୍ବିଟିରେ ରୂପାନ୍ତରିତ କରି ସରକାରଙ୍କୁ ହସ୍ତାନ୍ତର କରିବାକୁ ଚାହୁଛି। କଂପାନି ଏହାର ୯.୫% ଅଂଶଧନ ସରକାରଙ୍କୁ ଦେବ। ଟାଟା ଟେଲି ଉପରେ ୧୬,୬୯୮ କୋଟି ଟଙ୍କାର ଏଜିଆର୍‌ ବକେୟା ଥିଲା। ସେଥିରୁ କଂପାନି ୪,୧୯୭ କୋଟି ଟଙ୍କା ପଇଠ କରିଛି।

ସମ୍ବନ୍ଧିତ ଖବର