ନୂଆଦିଲ୍ଲୀ: ନୂଆଦିଲ୍ଲୀରେ ଆଜି ବହୁ ପ୍ରତୀକ୍ଷିତ ଭାରତ ମୋବିଲିଟି ଗ୍ଲୋବାଲ ଏକ୍ସପୋ ୨୦୨୫ ଆରମ୍ଭ ହୋଇଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏହାକୁ ଉଦ୍ଘାଟନ କରିଛନ୍ତି। ଆସନ୍ତା ୨୨ ତାରିଖ ପର୍ଯ୍ୟନ୍ତ ଚାଲିବାକୁ ଥିବା ଦେଶର ଏହି ସର୍ବବୃହତ୍ ଅଟୋମୋବାଇଲ ଏକ୍ସପୋରେ ଶତାଧିକ ନୂଆ ଗାଡ଼ି, ଗାଡ଼ି ଯନ୍ତ୍ରାଂଶ ଏବଂ ଗାଡ଼ି ସହ ଜଡ଼ିତ ପ୍ରଯୁକ୍ତିର ଉନ୍ମୋଚନ ହେବ ବୋଲି ଆଶା ରଖାଯାଇଛି। ଚଳିତବର୍ଷ ଏକ୍ସପୋରେ ପ୍ରଥମ ଥର ପାଇଁ ୩୪ଟି ଅଟୋମୋବାଇଲ କମ୍ପାନି ସାମିଲ ହୋଇଛନ୍ତି।
୧୯୮୬ରେ ଆରମ୍ଭ ହୋଇଥିବା ପ୍ରଥମ ଅଟୋ ଏକ୍ସପୋ ପରେ ଏହି ସଂଖ୍ୟା ସର୍ବାଧିକ। ଏଥର ପ୍ରଦର୍ଶନୀରେ କମ୍ପାନିଗୁଡ଼ିକ ଇଲେକ୍ଟ୍ରିକ୍ ଯାନ ଉନ୍ମୋଚନ କରିବା ଉପରେ ଅଧିକ ଧ୍ୟାନ ଦେଇଛନ୍ତି। ଭାରତ ମଣ୍ଡପମ୍, ଯଶୋଭୂମି ଏବଂ ଇଣ୍ଡିଆ ଏକ୍ସପୋ ସେଣ୍ଟର ଆଣ୍ଡ୍ ମାର୍ଟ ଭଳି ତିନିଟି ସ୍ଥାନରେ ଏହି ପ୍ରଦର୍ଶନୀ ଚାଲିଛି। ପ୍ରଥମ ଦିନରେ ମାରୁତି ସୁଜୁକି ଏହାର ପ୍ରଥମ ଇଲେକ୍ଟ୍ରିକ୍ କାର ଇ-ଭିଟାରାର ଉନ୍ମୋଚନ କରିଛି। ହୁଣ୍ଡାଇ ମୋଟର ଇଣ୍ଡିଆ ଏହାର ଇଲେକ୍ଟ୍ରିକ୍ ଏସ୍ୟୁଭି କ୍ରେଟା-ଇଭି ପ୍ରଦର୍ଶନ କରିଛି। ସୁଜୁକି ଏହାର ପ୍ରଥମ ଇଲେକ୍ଟ୍ରିକ୍ ସ୍କୁଟର ‘ଇ-ଆକ୍ସେସ୍’ ପ୍ରଦର୍ଶନ କରିଛି। ପୂରା ଚାର୍ଜ ହେଲେ ଏହା ୯୫ କିମି ଯିବ। ଏହାର ପ୍ରାରମ୍ଭିକ ମୂଲ୍ୟ ୮୧୭୦୦ ଟଙ୍କା ରଖାଯାଇଛି। ଜେଏସ୍ଡବ୍ଲୁ ଏମ୍ଜି ମୋଟର ଇଣ୍ଡିଆ ପକ୍ଷରୁ ଏମ୍ପିଭି ଏମ୍୯ ଯାନର ପ୍ରଦର୍ଶନ କରାଯାଇଛି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/media_files/2025/01/18/kMVliu0f3ZR0508fr1gI.jpg)