ଏପ୍ରିଲରେ ସେସ୍‌ ୯୯୦ କୋଟିକୁ କମିଲା, ୧୪ରେ ଜିଏସ୍‌ଟି ପରିଷଦ ବୈଠକ ହୋଇପାରେ

ଓଡ଼ିଶାକୁ ମିଳିଲା ୧୧୧୬ କୋଟି

ନୂଆଦିଲ୍ଲୀ: ସରକାରଙ୍କ ରାଜସ୍ବ ଚିନ୍ତା ବଢ଼ି ବଢ଼ି ଚାଲିଛି। ଏପ୍ରିଲରେ ମାସରେ କେନ୍ଦ୍ର ସରକାର ସାମଗ୍ରୀ ଓ ସେବା ଟିକସ (ଜିଏସ୍‌ଟି)ଅଧୀନରେ କ୍ଷତିପୂରଣ ସେସ୍‌ ବାବଦରେ ମାତ୍ର ୯୦୦ କୋଟି ଟଙ୍କା ଆଦାୟ କରିଛନ୍ତି। ବର୍ଷକ ପୂର୍ବେ ୨୦୧୯ ଏପ୍ରିଲରେ ସରକାର ଏହି ସେସ୍‌ ବାବଦରେ ୮୮୭୪ କୋଟି ଟଙ୍କା ଆଦାୟ କରିଥିଲେ। ଅର୍ଥାତ୍ ଗତବର୍ଷ ଏପ୍ରିଲ ତୁଳନାରେ ଚଳିତବର୍ଷ ଏପ୍ରିଲରେ ସରକାର ‌କ୍ଷତିପୂରଣ ସେସ୍‌ ବାବଦରେ ପାଖାପାଖି ଏକ ନବମାଂଶ କମ୍ ରାଜସ୍ବ ଆଦାୟ କରିଛନ୍ତି ବୋଲି କଣ୍ଟ୍ରୋଲର ଜେନେରାଲ ଅଫ୍ ଆକାଉଣ୍ଟସ୍‌ ପକ୍ଷରୁ ପ୍ରକାଶିତ ତଥ୍ୟରୁ ଜଣାଯାଇଛି। ଉଲ୍ଲେଖଯୋଗ୍ୟ, କେନ୍ଦ୍ର ସରକାର ୨୦୨୦-୨୧ ଆର୍ଥିକ ବର୍ଷ ପାଇଁ କ୍ଷତିପୂରଣ ସେସ୍‌ ବାବଦରେ ମୋଟ ୧,୧୦,୫୦୦ କୋଟି ଟଙ୍କାର ରାଜସ୍ବ ଆଦାୟ କରିବା ଲକ୍ଷ୍ୟ ରଖିଛନ୍ତି। ତେଣୁ ମାସକୁ ସରକାର ଏ ବାବଦରେ ହାରାହାରି ୯୨୦୮.୩ କୋଟି ଟଙ୍କା ଆଦାୟ କରିବାର ଆବଶ୍ୟକତା ରହିଛି। କିନ୍ତୁ କୋଭିଡ୍‌-୧୯ ସଂକ୍ରମଣ ବ୍ୟାପିବା ଓ ଲକ୍‌ଡାଉନ୍ ଘୋଷଣା ପରେ ରାଜସ୍ବ ଆଦାୟ ଗୁରୁତର ମାତ୍ରାରେ ପ୍ରଭାବିତ ହୋଇଛି। ଅନ୍ୟପକ୍ଷରେ ରାଜ୍ୟଗୁଡ଼ିକୁ ଜିଏସଟି କ୍ଷତିପୂରଣ ବାବଦରେ ରାଜ୍ୟଗୁଡ଼ିକୁ କେନ୍ଦ୍ର ସରକାରଙ୍କ ପକ୍ଷରୁ ମାସିକ ୨୦୨୫୦ କୋଟି ଟଙ୍କା ଦେବାର ଆବଶ୍ୟକତା ରହିଛି। ଗତ ଆର୍ଥିକ ବର୍ଷରେ ଏ ବାବଦ ମାସିକ ଆବଶ୍ୟକତା ୧୩,୭୫୦ କୋଟି ରହିଥିଲା। କେନ୍ଦ୍ର ସରକାର ରାଜ୍ୟ ଗୁଡ଼ିକୁ ୨୦୧୯-୨୦ରେ ପୂରା ଆର୍ଥିକ ବର୍ଷ ପାଇଁ ଜିଏସ୍‌ଟି କ୍ଷତିପୂରଣ ବାବଦ ରାଶି ପ୍ରଦାନ କରିନାହାନ୍ତି। ଗତ ଗୁରୁବାର ସରକାର ଏ ବାବଦରେ ୩୬୪୦୦ କୋଟି ଟଙ୍କା ପ୍ରଦାନ କରିଛନ୍ତି। ୨୦୧୯ ଡିସେମ୍ବରରୁ ୨୦୨୦ ଫେବ୍ରୁଆରି ପର୍ଯ୍ୟନ୍ତ ଏହି ରାଶି ଦିଆଯାଇଛି। ୨୦୧୯ ଏପ୍ରିଲରୁ ନଭେମ୍ବର ପର୍ଯ୍ୟନ୍ତ ସରକାର ପୂର୍ବରୁ ଜିଏସଟି କ୍ଷତିପୂରଣ ରାଶି ବାବଦରେ ୧,୧୫,୦୯୬ କୋଟି ଟଙ୍କା ପ୍ରଦାନ କରିଥିଲେ। ତେଣୁ ଗତ ଆର୍ଥିକ ବର୍ଷର ୧୧ ମାସ ପାଇଁ କେନ୍ଦ୍ର ସରକାର ରାଜ୍ୟଗୁଡ଼ିକୁ ଜିଏସଟି କ୍ଷତିପୂରଣ ରାଶି ବାବଦରେ ୧୫୧୪୯୬ କୋଟି ଟଙ୍କା ଏପର୍ଯ୍ୟନ୍ତ ଦେଇଛନ୍ତି। କିନ୍ତୁ ସରକାର ଗତ ଆର୍ଥିକ ବର୍ଷରେ କ୍ଷତିପୂରଣ ସେସ୍ ବାବଦରେ ୯୫,୫୫୧ କୋଟି ଟଙ୍କା ଆଦାୟ କରିଛନ୍ତି। କେନ୍ଦ୍ର ସରକାର ରାଜ୍ୟଗୁଡ଼ିକୁ ଯେଉଁ ଅଧିକ ପାଣ୍ଠି ପ୍ରଦାନ କରିଛନ୍ତି ତୋହାକୁ ୨୦୧୭-୧୮ ଓ ୨୦୧୮-୧୯ ଆର୍ଥିକ ବର୍ଷର ବଳସା ସେସ୍‌ ରାଶିରୁ ପ୍ରଦାନ କରିଛନ୍ତି। ଜିଏସଟି ପରିଷଦର ୪୦ତମ ବୈଠକ ଆସନ୍ତା ୧୪ ତାରିଖରେ ବସିବା ସମ୍ଭାବନା ରହିଛି। କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣଙ୍କ ଅଧ୍ୟକ୍ଷତାରେ ହେବାକୁ ଥିବା ଏହି ‌ବୈଠକ କୋଭିଡ-୧୯ ପାଇଁ ଭିଡିଓ କନଫରେନ୍ସିଂ ମାଧ୍ୟମରେ ହୋଇପାରେ। ତେବେ ଅଣଅତ୍ୟାବଶ୍ୟକ ସାମଗ୍ରୀ ଉପରେ ଜିଏସଟି ପରିଷଦ ଟିକସ ବଢ଼ାଇବେ କି ନାହିଁ ତାହା ଉପରେ ସମସ୍ତଙ୍କ ନଜର ରହିଛି।

ଓଡ଼ିଶାକୁ ମିଳିଲା ୧୧୧୬ କୋଟି
ଭୁବନେଶ୍ବର: କେନ୍ଦ୍ର ସରକାରଙ୍କ ଠାରୁ ଜିଏସଟି କ୍ଷତିପୂରଣ ରାଶି ବାବଦରେ ଓଡ଼ିଶା ୧୧୧୬ କୋଟି ଟଙ୍କା ପାଇଛି। ଓଡ଼ିଶା ସରକାରଙ୍କ ପକ୍ଷରୁ ଡିସେମ୍ବର ୧୯ ତାରିଖରୁ ମାର୍ଚ୍ଚ ୨୦ ପର୍ଯ୍ୟନ୍ତ ଜିଏସ୍‌ଟି କ୍ଷତିପୂରଣ ବାବଦରେ ୧୬୮୦ କୋଟି ଟଙ୍କା ମଗାଯାଇଥିଲା। ତେବେ କେନ୍ଦ୍ର ସରକାରଙ୍କ ପକ୍ଷରୁ ଡିସେମ୍ବର ୧୯ରୁ ଫେବ୍ରୁଆରି ୨୦ ତାରିଖ ପର୍ଯ୍ୟନ୍ତ ଏ ବାବଦରେ ୧୧୧୬ କୋଟି ଟଙ୍କା ମିଳିଛି ବୋଲି ଅର୍ଥ ବିଭାଗର ଜଣେ ବରିଷ୍ଠ ଅଧିକାରୀଙ୍କ ସୂତ୍ରରୁ ଜଣାଯାଇଛି। ତେଣୁ ଓଡ଼ିଶା ସରକାର ଫେବ୍ରୁଆରି ‌୨୦ରୁ ମାର୍ଚ୍ଚ ୩୧ ପର୍ଯ୍ୟନ୍ତ ଜିଏସଟି କ୍ଷତିପୂରଣ ବାବଦରେ ଆଉ ଏକ କିସ୍ତି ପାଇବେ। ଏହି ଅର୍ଥ ମିଳିଗଲା ପରେ ରାଜ୍ୟ ସରକାରଙ୍କୁ ଗତ ଆର୍ଥିକ ବର୍ଷର ଜିଏସଟି କ୍ଷତିପୂରଣ ବାବଦ ସମୁଦାୟ ରାଶି ମିଳିଯିବ।

ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ସମ୍ବାଦ ଓ କନକ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ‘ସମ୍ବାଦ’ ଗ୍ରୁପର ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |

ସମ୍ବନ୍ଧିତ ଖବର

Comments are closed.