ଜିଏସ୍‌ଟି ହାର ବଢ଼ିବ, ସ୍ଲାବ୍‌ କମିବ

ନୂଆଦିଲ୍ଲୀ: କେତେକ ସାମଗ୍ରୀ ଓ ସେବା ଉପରେ ଜିଏସ୍‌ଟି ହାର ବଢ଼ାଇବା ବିଷୟରେ ସରକାର ବିଚାର କରୁଛନ୍ତି। ଜିଏସ୍‌ଟି ଢାଞ୍ଚାରେ ବଡ଼ ଧରଣର ପରିବର୍ତ୍ତନ ହେବା ସମ୍ଭାବନା ରହିଛି। ବର୍ତ୍ତମାନ ଯେଉଁ ସ୍ଲାବ୍‌ ରହିଛି ତାହାର ସଂଖ୍ୟା ହ୍ରାସ କରି ଟିକସ ମାତ୍ରା ବଢ଼ାଇବା ଉପରେ ବିଚାର କରାଯାଉଛି। ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣଙ୍କ ନେତୃତ୍ବରେ ଗଠିତ ଏକ କମିଟି ଏବିଷୟରେ ଡିସେମ୍ବରରେ ହେବାକୁ ଥିବା ଏକ ବୈଠକରେ ବିଚାର କରିବ। ବର୍ତ୍ତମାନ ଦେଶରେ ୫%, ୧୨%,୧୮% ଓ ୨୮% ଭଳି ଚାରିଟି ଟିକସ ସ୍ଲାବ୍ ରହିଛି। କେତେକ ଅତ୍ୟାବଶ୍ୟକ ସାମଗ୍ରୀ ଉପରେ କମ୍ ଟିକସ ଲାଗୁ କରାଯାଇଥିବା ବେଳେ ହାନିକାରକ ଓ ବିଳାସପୂର୍ଣ୍ଣ ସାମଗ୍ରୀଗୁଡ଼ିକ ଉପରେ ସର୍ବୋଚ୍ଚ ସ୍ଲାବ୍ ସହିତ ଅତିରିକ୍ତ ସେସ୍‌ ଲାଗୁ କରାଯାଇଛି। ମିଳିଥିବା ସୂଚନା ଅନୁସାରେ ପ୍ରଥମ ଦୁଇଟି ସ୍ଲାବ୍‌କୁ ୬% ଓ ୧୩% କରିବା ବିଷୟରେ ସରକାର ବିଚାର କରୁଛନ୍ତି। ପର୍ଯ୍ୟାୟକ୍ରମେ ଚାରି ଥାକିଆ ଜିଏସ୍‌ଟି ତିନିଟି ଥାକିଆରେ ପରିଣତ ହେବ। ଏନେଇ ରାଜ୍ୟର ଅର୍ଥମନ୍ତ୍ରୀମାନେ ଚଳିତ ମାସ ଶେଷ ସୁଦ୍ଧା ପ୍ରସ୍ତାବ ଦାଖଲ କରିବେ।
ଦେଶର କେତେକ ଗୁରୁତ୍ବପୂର୍ଣ୍ଣ ରାଜ୍ୟରେ ନିର୍ବାଚନ ହେବାକୁ ଯାଉଥିବା ବେଳେ ସରକାର ଜିଏସ୍‌ଟି ହାର ବଢ଼ାଇବା ବିଷୟରେ ବିଚାର କରୁଛନ୍ତି। ଏମିତିରେ ପେଟ୍ରୋଲ୍‌, ଡିଜେଲ୍‌ ଓ ଏଲ୍‌ପିଜି ଦରବୃଦ୍ଧିକୁ ନେଇ ଜନ ଅସନ୍ତୋଷ ରହିଛି। ଯଦି ଜିଏସ୍‌ଟି‌ରେ ବୃଦ୍ଧି କରାଯିବ ତେବେ ଆହୁରି ଅନେକ ସାମଗ୍ରୀ ମହଙ୍ଗା ହେବ। ନିର୍ବାଚନ ଆସୁଥିବା ବେଳେ ଟିକସ ବୃଦ୍ଧି ଭଳି ପଦକ୍ଷେପ ସରକାରଙ୍କ ବିରୋଧରେ ଜନ ଅସନ୍ତୋଷକୁ ବଢ଼ାଇବ ବୋଲି କୁହାଯାଉଛି।

ସମ୍ବନ୍ଧିତ ଖବର