ଇନ୍‌ଷ୍ଟିଚ୍ୟୁଟ୍‌ ଅଫ୍‌ ପବ୍ଲିକ୍ ଅଡିଟର୍ସ ଅଫ୍‌ ଇଣ୍ଡିଆ, ଓଡ଼ିଶା ଶାଖାର ନୂତନ ଭବନ ଶିଳାନ୍ୟାସ ପାଇଁ ଭୁବନେଶ୍ବର ଆସିଥିବା ସିଏଜି ଗିରିଶ ଚନ୍ଦ୍ର ମୁର୍ମୁ ଦେଶରେ ଚାଲିଥିବା ଅଡିଟ୍‌, ପୁରୁଣା ପେନ୍‌ସନ୍ ସ୍କିମ୍‌ର ପ୍ରଭାବ, ଜି୨୦ ସଭାପତିତ୍ବ ଆଦି ପ୍ରସଙ୍ଗରେ ‘ସମ୍ବାଦ’ ପ୍ରତିନିଧି ପ୍ରଭାତ ପଟ୍ଟନାୟକଙ୍କ ସହ ଆଲୋଚନା

Advertisment

ସରକାରଙ୍କ କାର୍ଯ୍ୟ ପ୍ରତି ସିଏଜିଙ୍କ ଉତ୍ତରଦାୟିତ୍ବ କ’ଣ?
ସିଏଜିଙ୍କ କାମ ହେଉଛି ସରକାରୀ ଖର୍ଚ୍ଚର ହିସାବ ରଖିବା। ରାଜସ୍ବ ଓ ସମ୍ବଳ କେଉଁଠୁ ଆସୁଛି ଓ କେମିତି ଆସୁଛି? ନିର୍ଧାରିତ ଲକ୍ଷ୍ୟ ଅନୁସାରେ ରାଜସ୍ବ ଆସୁଛି ନା ନାହିଁ? ଯେଉଁ ରାଜସ୍ବ ଆସୁଛି ତାହା କିଭଳି ଖର୍ଚ୍ଚ ହେଉଛି। ସେସବୁ ଜାଣିବା ହେଉଛି ଆମର ପ୍ରଥମ କାମ। ଯେଉଁ ଖର୍ଚ୍ଚ ହେଉଛି ତାହା ଦାୟିତ୍ବପୂର୍ଣ୍ଣ ଭାବେ, ପାରଦର୍ଶୀ ଢଙ୍ଗରେ ଏବଂ ଠିକ୍ ସମୟରେ ଖର୍ଚ୍ଚ ହେଉଛି ନା ନାହିଁ, ତାହା ଜାଣିବାକୁ ଆମେ ଉଦ୍ୟମ କରୁଛୁ। ଯେଉଁ କାର୍ଯ୍ୟକ୍ରମ କିମ୍ବା ପ୍ରକଳ୍ପ ପାଇଁ ବଜେଟ୍‌ରେ ପାଣ୍ଠିର ବ୍ୟବସ୍ଥା କରାଯାଉଛି, ତାହା ଠିକ୍ ଭାବେ ଖର୍ଚ୍ଚ ହେଉଛି ନା ନାହିଁ ତାହା ମଧ୍ୟ ଆମେ ଜାଣିବା ପାଇଁ କାର୍ଯ୍ୟ କରୁଛୁ।

ଜାତୀୟ ସ୍ତରରେ କେଉଁ ବିଷୟକୁ ନେଇ ଅଡିଟ୍ ଚାଲିଛି?
ସର୍ବଭାରତୀୟ ସ୍ତରରେ ଆମେ ମୁଖ୍ୟତଃ ଦୁଇଟି ବିଷୟର ଅଡିଟ୍ କରୁଛୁ। ପ୍ରଥମଟି ହେଉଛି ସ୍ବାସ୍ଥ୍ୟ ଭିତ୍ତିଭୁମି ଏବଂ ଦ୍ବିତୀୟ ବିଷୟଟି ହେଉଛି ପୌରସଂସ୍ଥା। ଏହା ବ୍ୟତୀତ ରାଜ୍ୟ ସ୍ତରରେ ଏଜିମାନେ ମଧ୍ୟ ବିଭିନ୍ନ ବିଷୟ ଉପରେ ଅଡିଟ୍ କରୁଛନ୍ତି। ଗତବର୍ଷରୁ ସ୍ବାସ୍ଥ୍ୟ ଭିତ୍ତିଭୂମିର ଅଡିଟ୍ ଆରମ୍ଭ ହୋଇଛି ଯାହା ୨୦୨୩ ମାର୍ଚ୍ଚ ସୁଦ୍ଧା ଶେଷ ହେବ। ଦେଶରେ ହସ୍ପିଟାଲ୍‌ଗୁଡ଼ିକ କିଭଳି ଚାଲିଛି? ‌ସେଗୁଡ଼ିକର ଠିକ୍ ଭାବେ ପରିଚାଳନା ହେଉଛି ନା ନାହିଁ? ଆବଶ୍ୟକ ସଂଖ୍ୟକ ଡାକ୍ତର ଅଛନ୍ତି ନା ନାହିଁ? ଏଭଳି ବିଭିନ୍ନ ବିଷୟକୁ ନେଇ ଅଡିଟ୍ କରାଯାଉଛି। କୋଭିଡ୍ ସମୟରେ ହସ୍ପିଟାଲ୍‌ ଭିତ୍ତିଭୂମିର କିଭଳି ପରିଚାଳନା ହୋଇଥିଲା ତାହାର ମଧ୍ୟ ଅଡିଟ୍‌ ଅନ୍ତର୍ଭୁକ୍ତ ରହିଛି। ଏହା ବ୍ୟତୀତ ସମ୍ବିଧାନର ୭୪ତମ ସଂଶୋଧନରେ ସହରାଞ୍ଚଳ ପୌରସଂସ୍ଥାକୁ ନେଇ ଯେଉଁ ବ୍ୟବସ୍ଥା କରାଯାଇଥିଲା ତାହା ଠିକ୍ ଭାବେ କାର୍ଯ୍ୟକାରୀ ହେଉଛି ନା ନାହିଁ ତାହାର ମଧ୍ୟ ସର୍ବଭାରତୀୟ ସ୍ତରରେ ଅଡିଟ୍ କରାଯାଉଛି। ଏହି ରିପୋର୍ଟ ମଧ୍ୟ ମାର୍ଚ୍ଚ ସୁଦ୍ଧା ପ୍ରସ୍ତୁତ ହୋଇଯିବ। ତା’ପରେ ରିପୋର୍ଟ ହସ୍ତାନ୍ତର କରାଯିବ।

ପୁରୁଣା ପେନ୍‌ସନ୍‌ ସ୍କିମ୍‌କୁ ନେଇ ଯେଉଁ ବିତର୍କ ହେଉଛି ସେ ସମ୍ପର୍କରେ ଆପଣଙ୍କ ମତ କ’ଣ?
ଆମେ ଆର୍ଥିକ ନିରନ୍ତରତା ବିଷୟରେ ଚିନ୍ତା କରୁଛୁ। ଯେଉଁଥିରେ ବିନା କାରଣରେ ଖର୍ଚ୍ଚ ହେବ ତାହା ରାଜ୍ୟର ଉଭୟ ଆର୍ଥିକ ଓ ଅର୍ଥନୈତିକ ସ୍ଥିତିକୁ ପ୍ରଭାବିତ କରିବ। ରାଜ୍ୟ ସରକାରଙ୍କ ବହୁମୂଲ୍ୟ ରାଜସ୍ବ ସଥିରେ ଅଯଥାରେ ଖର୍ଚ୍ଚ ହୋଇଯିବ। ବିକାଶମୂଳକ କାର୍ଯ୍ୟରେ ହେଉଥିବା ଖର୍ଚ୍ଚ ଏବଂ ପୁଞ୍ଜି ବ୍ୟୟ କମିଯିବ। କିନ୍ତୁ ପ୍ରତିବଦ୍ଧ ଖର୍ଚ୍ଚ ବଢ଼ିଯିବ। ସେଭଳି ରାଜ୍ୟରେ ସମ୍ବଳ ସଙ୍କଟ ଦେଖାଦେବ। ତେଣୁ ଯେଉଁ ରାଜ୍ୟ ପୁରୁଣା ପେନ୍‌ସନ୍ ସ୍କିମ୍‌କୁ ପୁଣି ଆଣିବାକୁ ଚାହୁଛନ୍ତି, ସେମାନେ ଭାବିଚିନ୍ତି ନିଷ୍ପତ୍ତି ନେବା ଉଚିତ। ବର୍ତ୍ତମାନ ସମୟରେ ଯଦିଓ ଏହା ‌ବିଶେଷ ପ୍ରଭାବ ପକାଇବନି, କିନ୍ତୁ ଭବିଷ୍ୟତ ପିଢ଼ି ଲାଗି ପୁରୁଣା ପେନ୍‌ସନ୍‌ ସ୍କିମ୍ ବହୁତ ବଡ଼ ବୋଝ ହେବ। ନିରନ୍ତରତାକୁ ଏହା ନିଶ୍ଚିତ ରୂପେ ପ୍ରଭାବିତ କରିବ। ଆମେ ଏତିକି ଚେତାବନୀ ଦେଇପାରିବୁ। ବାକି ରାଜ୍ୟ ସରକାରମାନେ ନିଜ ବୁଦ୍ଧି ବଳରେ ଯାହା କିଛି ନିଷ୍ପତ୍ତି ନେଇପାରିବେ। ଏଭଳି ପଦକ୍ଷେପକୁ ପିଛିଲା ପଦକ୍ଷେପ ବିଚାର କରାଯାଉଛି। ତାହା ଅର୍ଥନୈତିକ ବିକାଶରେ ବାଧକ ହେବ। ନୂଆ ପେନ୍‌ସନ୍ ସ୍କିମ୍ (ଏନ୍‌ପିଏସ୍‌) ଆସିବା ପରେ ବହୁତ ଭଲ ବ୍ୟବସ୍ଥା ବିକାଶ ହୋଇଥିଲା।

ଜି୨୦ ସଭାପତିତ୍ବରୁ ଭାରତ କିଭଳି ଲାଭବାନ ହେବ?
ଭାରତକୁ ଜି୨୦ ସଭାପତିତ୍ବ ମିଳିଥିବା ବେଳେ ଆମେ ଜି୨୦ ସୁପ୍ରିମ୍‌ ଅଡିଟ୍‌ ଇନଷ୍ଟିଚ୍ୟୁସନର ନେତୃତ୍ବ ନେବୁ। ଆମେ ମଧ୍ୟ ସମାନ୍ତରାଳ ଭାବେ ୨୦ ଦେଶର ଅଡିଟ୍‌ ସଂସ୍ଥାଙ୍କୁ ନେଇ ବିଭିନ୍ନ ବୈଠକ ଆୟୋଜନ କରିବୁ। ଆମର ମୁଖ୍ୟ ବୈଠକ ଗୋଆରେ ଅନୁଷ୍ଠିତ ହେବ। ଜି୨୦ର ସଭାପତିତ୍ବ ମିଳିବା ଏକ ଗର୍ବର ବିଷୟ। ଏହା ଜରିଆରେ ଆମେ ଭାରତର ଦକ୍ଷତାକୁ ବିଶ୍ବସ୍ତରରେ ଉପସ୍ଥାପନ କରିପାରିବା। ବିଶ୍ବର ବିଭିନ୍ନ ଅଭିଯାନରେ ଭାରତ କିଭଳି ସହଯୋଗ କରିପାରିବ ତାହା ମଧ୍ୟ ଆମେ ବିଶ୍ବବାସୀଙ୍କୁ ଜଣାଇପାରିବୁ। ଜି୨୦ରେ ବହୁ ବଡ଼ ବଡ଼ ଦେଶ ଅଛନ୍ତି। ସେମାନଙ୍କ ସହ ଆମ ଅଭିଜ୍ଞତା ବାଣ୍ଟିବାର ଏକ କାର୍ଯ୍ୟକ୍ରମ ମଧ୍ୟ ରହିଛି। ଆମର ଯେଉଁ ସବୁ ସଫଳ କାର୍ଯ୍ୟକ୍ରମ ରହିଛି ତାହାର ଅଭିଜ୍ଞତାକୁ ଆମେ ‌ଦୁନିଆ ସହ ବାଣ୍ଟିପାରିବୁ। ଅନ୍ୟମାନଙ୍କ ସହ ମିଶି ଆମେ ଦକ୍ଷତା ଗଠନ ଉପରେ କାମ କରିପାରିବୁ।

ଅଡିଟ୍‌ରେ ସୂଚନା ପ୍ରଯୁକ୍ତିର ବ୍ୟବହାରକୁ କିଭଳି ଗୁରୁତ୍ବ ଦିଆଯାଉଛି?
ସୂଚନା ପ୍ରଯୁକ୍ତି ହେଉଛି ସବୁ କିଛି। ଭବିଷ୍ୟତରେ ଆଇଟି ଜରିଆରେ ପ୍ରଶାସନିକ କାର୍ଯ୍ୟ ହେବ। ଆମ କର୍ମଚାରୀମାନଙ୍କୁ ନୂଆ ନୂଆ ପ୍ରଯୁକ୍ତିରେ ପ୍ରଶିକ୍ଷଣ ଦେବା ଲାଗି ନୋଏଡାରେ ଆମର ଏକ ବହୁତ ବଡ଼ ଆନ୍ତର୍ଜାତିକ କେନ୍ଦ୍ର ରହିଛି। କେବଳ ଭାରତ ନୁହେଁ ବିଭିନ୍ନ ଦେଶର ୬୦୦୦ ଲୋକଙ୍କୁ ସେଠାରେ ତାଲିମ ଦିଆଯାଇଛି। ୧୬୦ଟି ଦେଶର ଲୋକଙ୍କୁ ସେଠାରେ ତାଲିମ ଦିଆଯାଉଛି। ଅଡିଟ୍ ବ୍ୟବସ୍ଥାରେ କାର୍ଯ୍ୟ କରୁଥିବା କର୍ମଚାରୀମାନେ ଆଗାମୀ ଦିନରେ ସୂଚନା ପ୍ରଯୁକ୍ତିକୁ ବହୁଳ ଭାବେ ବ୍ୟବହାର କରି କାର୍ଯ୍ୟ କରିବେ। ଆମ ପାଇଁ ଉଭୟ କର୍ମଚାରୀ ଏବଂ ନୂଆ ପ୍ରଯୁକ୍ତି ବେଶ ଗୁରୁତ୍ବପୂର୍ଣ୍ଣ।