ମୁମ୍ବାଇ: ଟାଟା ଟ୍ରଷ୍ଟ୍ସରେ ରତନ ଟାଟାଙ୍କ ଉତ୍ତରାଧିକାରୀ ଭାବେ ନିଯୁକ୍ତ ହୋଇଥିବା ନୋଏଲ୍ ଟାଟା ନୂଆ ଚେହେରା ନୁହନ୍ତି। ଟାଟା ଗ୍ରୁପ୍ ମଧ୍ୟରେ ସେ ଜଣେ ପରିଚିତ ନାମ। ୧୪ଟି ଟାଟା ଟ୍ରଷ୍ଟର ପରିଚାଳନା କରୁଥିବା ଟାଟା ଟ୍ରଷ୍ଟ୍ସର ଅଧ୍ୟକ୍ଷ ଭାବେ ରତନ ଟାଟାଙ୍କ ସାବତ ଭାଇ ନୋଏଲ ଟାଟା ନିଯୁକ୍ତ ହୋଇଛନ୍ତି। ନୋଏଲ ୧୯୫୭ ଡିସେମ୍ବରରେ ଜନ୍ମ ଗ୍ରହଣ କରିଛନ୍ତି। ତାଙ୍କ ବାପାଙ୍କ ନାମ ନବଲ ଏଚ୍ ଟାଟା ଏବଂ ମାଙ୍କ ନାମ ସାଇମନ ଏନ୍ ଟାଟା। େସ ଟାଟା ସନ୍ସର ପୂର୍ବତନ ଅଧ୍ୟକ୍ଷ ସାଇରସ୍ ମିସ୍ତ୍ରୀଙ୍କ ଭଉଣୀ ଆଲୁ ମିସ୍ତ୍ରିଙ୍କୁ ବିବାହ କରିଛନ୍ତି। ନୋଏଲଙ୍କର ୩ଟି ପିଲା ଅଛନ୍ତି। ସେମାନେ ହେଲେ ଲିଆ, ମାୟା ଏବଂ ନେଭିଲି। ନୋଏଲଙ୍କ ପିଲାମାନେ ମଧ୍ୟ ପରିବାରର ବ୍ୟବସାୟ ସହ ଜଡ଼ିତ। ଲିଆ ଟାଟା ଇଣ୍ଡିଆନ୍ ହୋଟେଲ୍ସ କମ୍ପାନିର ଉପାଧ୍ୟକ୍ଷ ଅଛନ୍ତି। ମାୟା ଟାଟା ଟାଟା କ୍ୟାପିଟାଲ ସହ ଜଡ଼ିତ। ଟାଟା ଟ୍ରଷ୍ଟର ବିଭିନ୍ନ ଦାତବ୍ୟ ସଂସ୍ଥାରେ ସେମାନେ ଟ୍ରଷ୍ଟିଭାବେ କାର୍ଯ୍ୟ କରୁଛନ୍ତି।
ନୋଏଲ ଏନ୍ ଟାଟା ଏବେ ଟାଟା ଇଣ୍ଟରନ୍ୟାସନାଲ ଲିମିଟେଡର ଅଧ୍ୟକ୍ଷ ଏବଂ ଅଣକାର୍ଯ୍ୟନିର୍ବାହୀ ନିର୍ଦ୍ଦେଶକଭାବେ ଦାୟିତ୍ବ ନିର୍ବାହ କରୁଛନ୍ତି। ଦେଶ ଭିତରେ ଏବଂ ବିଦେଶରେ ବିଭିନ୍ନ ଖ୍ୟାତନାମା ପ୍ରତିଷ୍ଠାନରେ ନୋଏଲ ଶିକ୍ଷାଲାଭ କରିଛନ୍ତି। ବ୍ରିଟେନର ସସେକ୍ସ ବିଶ୍ବବିଦ୍ୟାଳୟରୁ ସ୍ନାତକ ଡିଗ୍ରି ସହିତ ଆଇଏନଏସଇଏଡିରେ ଇଣ୍ଟରନ୍ୟାସନାଲ ଏକ୍ଜିକ୍ୟୁଟିଭ ପ୍ରୋଗ୍ରାମ (ଆଇଇପି) କରିଛନ୍ତି। ନୋଏଲ ବର୍ତ୍ତମାନ ଟାଟା ଗ୍ରୁପ୍ର ବିଭିନ୍ନ କମ୍ପାନିର ଗୁରୁତ୍ବପୂର୍ଣ୍ଣ ପଦପଦବିରେ କାର୍ଯ୍ୟ କରୁଛନ୍ତି। ଟ୍ରେଣ୍ଟ୍, ଭୋଲଟାସ୍, ଟାଟା ଇନଭେଷ୍ଟମେଣ୍ଟ କର୍ପୋରେସନର ଅଧ୍ୟକ୍ଷ ରହିଛନ୍ତି। ସେହିଭଳି ଟାଟା ଷ୍ଟିଲ୍ ଏବଂ ଟାଇଟାନ କମ୍ପାନି ଲିମିଟେଡର ଉପାଧ୍ୟକ୍ଷ ରହିଛନ୍ତି। ଟ୍ରେଣ୍ଟ୍ର ଅଧ୍ୟକ୍ଷ ପଦ ପୂର୍ବରୁ ନୋଏଲ ୨୦୧୦ରୁ ୨୦୨୧ ପର୍ଯ୍ୟନ୍ତ ଟାଟା ଇଣ୍ଟରନ୍ୟାସନାଲ ଲିମିଟେଡର ମୁଖ୍ୟ ଥିଲେ। ତାଙ୍କ ଅମଳରେ ଏହି କମ୍ପାନିର ରାଜସ୍ବ ୫୦୦ ନିୟୁତ ଡଲାରରୁ ୩ ବିଲିଅନ ଡଲାରକୁ ବୃଦ୍ଧି ପାଇଥିଲା।
୧୯୯୯ରେ ନୋଏଲ ଟାଟା ଟ୍ରେଣ୍ଟ ଲିମିଟେଡର ପରିଚାଳନା ନିର୍ଦ୍ଦେଶକ ହୋଇଥିଲେ। ତାହାକୁ ତାଙ୍କ ମା’ ସିମୋନ ଟାଟା ସ୍ଥାପନ କରିଥିଲେ। ସେତେବେଳେ ଟ୍ରେଣ୍ଟ ଭାରତୀୟ ଖୁଚୁରା ବଜାରରେ ଅପେକ୍ଷାକୃତ ଛୋଟ କମ୍ପାନି ଥିଲା ଏବଂ ତାହାର ମାତ୍ର ଗୋଟିଏ ଷ୍ଟୋର ଥିଲା। ନୋଏଲଙ୍କ ନେତୃତ୍ୱରେ ଟ୍ରେଣ୍ଟ ଯଥେଷ୍ଟ ଆଗକୁ ବଢ଼ିଛି। ବର୍ତ୍ତମାନ ସାରା ଦେଶରେ କମ୍ପାନିର ଷ୍ଟୋର୍ ସଂଖ୍ୟା ୮୨୩କୁ ବୃଦ୍ଧି ପାଇଛି। ବର୍ତ୍ତମାନ ଏହା ଟିସିଏସ୍, ଟାଇଟାନ୍ ଏବଂ ଟାଟା ମୋଟର୍ସ ପରେ ଟାଟା ଗ୍ରୁପ୍ର ଚତୁର୍ଥ ବୃହତ୍ତମ କମ୍ପାନି। ଟ୍ରେଣ୍ଟରେ ନୋଏଲ ଟାଟାଙ୍କର ଅନ୍ୟତମ ଗୁରୁତ୍ୱପୂର୍ଣ୍ଣ ସଫଳତା ଥିଲା ଡିପାର୍ଟମେଣ୍ଟାଲ୍ ଷ୍ଟୋର ଲିଟିଲଉଡ୍ସ ଇଣ୍ଟରନ୍ୟାସନାଲକୁ ଅଧିଗ୍ରହଣ କରିବା। ତାହାକୁ ସେ ୱେଷ୍ଟସାଇଡ୍ ବ୍ରାଣ୍ଡ୍ରେ ପରିଣତ କରିଥିଲେ। ସମ୍ପ୍ରସାରଣ ଏବଂ ଆଧୁନିକ ରିଟେଲିଂ ଉପରେ ଧ୍ୟାନ ଦେବା ଦ୍ୱାରା ୱେଷ୍ଟସାଇଡ୍ ତାଙ୍କ ମାର୍ଗଦର୍ଶନରେ ଏକ ଲାଭଜନକ ଉଦ୍ୟୋଗରେ ପରିଣତ ହୋଇଛି।
ଭାରତକୁ ଅନ୍ତର୍ଜାତୀୟ ବ୍ରାଣ୍ଡ ଆଣିବାରେ ନୋଏଲ୍ ପ୍ରମୁଖ ଭୂମିକା ଗ୍ରହଣ କରିଥିଲେ। ସେ ବିଶ୍ୱସ୍ତରୀୟ କଂପାନିମାନଙ୍କ ସହଯୋଗରେ ଜାରା ଏବଂ ସିସ୍ଲି ଭଳି ଲୋକପ୍ରିୟ ବ୍ରାଣ୍ଡ୍କୁ ଆଣିଥିଲେ। ଏବଂ ବ୍ରିଟେନର ଟେସ୍କୋ ସହ ଟ୍ରେଣ୍ଟ ଏକ ଯୌଥ ଉଦ୍ୟୋଗ ମଧ୍ୟ ପ୍ରତିଷ୍ଠା କରିଛି। ତାହାର ଷ୍ଟୋର୍ ମୁମ୍ବାଇ, ବେଙ୍ଗାଲୁରୁ, ଅହମ୍ମଦାବାଦ ଏବଂ ଚେନ୍ନାଇ ସହରରେ ରହିଛି। ଭାରତର ଉଦ୍ୟୋଗଜଗତରେ ରତନ ଟାଟା ଏକ ସମ୍ମାନିତ ନାମ। ଟାଟା ସାମ୍ରାଜ୍ୟକୁ ବିଭିନ୍ନ କ୍ଷେତ୍ରକୁ ଏବଂ ବିଶ୍ବର ବିଭିନ୍ନ ଦେଶକୁ ନେବାରେ ତାଙ୍କର ଉଲ୍ଲେଖନୀୟ ଅବଦାନ ରହିଥିଲା। ଟାଟା ଗ୍ରୁପ୍ ସ୍ଥାପନ ହେବାର କିଛି ବର୍ଷ ପରେ ୧୮୯୨ ମସିହାରେ ଟାଟା ଟ୍ରଷ୍ଟ ଜାମସେତ୍ଜୀ ଟାଟାଙ୍କ ଦ୍ବାରା ସ୍ଥାପନ ହୋଇଥିଲା।