ବିଦେଶୀ କାର୍ କଂପାନିଙ୍କ ଭରସା ଅତୁଟ, ଫିଏଟ୍‌ ୨୫୦ ନିୟୁତ ଡଲାର ନିବେଶ କରିବ

ନୂଆଦିଲ୍ଲୀ: ବିଶ୍ବସ୍ତରୀୟ କାର୍‌ କଂପାନିଗୁଡ଼ିକ ଲାଗି ଭାରତର କାର୍‌ ବଜାର ଆକର୍ଷଣ ହରାଉଥିବା କୁହାଯାଉଥିଲା। ହୋଣ୍ଡା ଏହାର କାର୍‌ କାରଖାନାରେ ଉତ୍ପାଦନ ବନ୍ଦ କରିବା ପରେ ଏଭଳି କିଛି ସଙ୍କେତ ମିଳିଥିଲା। ମାତ୍ର କିଛି ଦିନ ଭିତରେ ଏଭଳି କିଛି ଘଟଣା ଘଟିଛି ଯାହା ଏହି ଆଶଙ୍କାକୁ ଭୁଲ ପ୍ରମାଣିତ କରୁଛି। ମହିନ୍ଦ୍ରା ଆଣ୍ଡ୍ ମହିନ୍ଦ୍ରା ସହ ମିଶି ଆଗକୁ ବଢ଼ିବା ଲାଗି ଆମେରିକୀୟ କଂପାନି ଫୋର୍ଡ ଯେଉଁ ନିଷ୍ପତ୍ତି ନେଇଥିଲା ତାହାର ପୁନର୍ବିଚାର କରିଛି। ଏହା ଏକାକୀ ନିଜର ଯାତ୍ରା ଜାରି ରଖିବାକୁ ନିଷ୍ପତ୍ତି ନେଇଛି। ସେହି ସମୟରେ ଅନ୍ୟତମ ବିଦେଶୀ କାର୍‌ କଂପାନି ଫିଏଟ୍‌ କ୍ରିସ୍‌ଲର୍‌ ଅଟୋମୋବାଇଲ୍‌ (ଏଫ୍‌ସିଏ) ଭାରତରେ ୨୫୦ ନିୟୁତ ଡଲାର ନ‌ିବେଶ କରିବ ବୋଲି ଆଜି ଘୋଷଣା କରିଛି।

ଏଫ୍‌ସିଏ ଖୁବ୍‌ଶୀଘ୍ର ଜିପ୍‌ ବ୍ରାଣ୍ଡ୍‌ର ନୂଆ ଉତ୍ପାଦ ଭାରତୀୟ ବଜାରକୁ ଆଣିବ। କଂପାନି ୪ଟି ନୂଆ ଉତ୍ପାଦ ଆଣିବ। ସେଗୁଡ଼ିକ ହେଉଛି ଜିପ୍ କମ୍ପାସ୍‌, ନୂଆ ରାଙ୍ଗଲର୍‌ ଏବଂ ଗ୍ରାଣ୍ଡ୍‌ ଚେରୋକି ଏସ୍‌ୟୁଭି। ବର୍ଷ ଶେ‌ଷ ସୁଦ୍ଧା ଏହି ସବୁ ନୂଆ ମଡେଲ୍‌ ବଜାରରେ ଉପଲବ୍ଧ ହେବ। କଂପାନି ଏହାର ରାଙ୍ଗଲର୍‌ ଓ ଗ୍ରାଣ୍ଡ୍‌ ଚେରୋକିର ଉତ୍ପାଦ ଭାରତରେ କରିବ। ଦେଶ ଭିତରେ ଉତ୍ପାଦନ ହେଲେ ଏହି ଗାଡ଼ିଗୁଡ଼ିକର ଦାମ୍ ହ୍ରାସ ପାଇବ ବୋଲି କୁହାଯାଉଛି। ନୂତନ ପୁଞ୍ଜିନିବେଶ ବିଷୟରେ ଘୋଷଣା କରିବା ଅବସରରେ କଂପାନିର ପରିଚାଳନା ନିର୍ଦେଶକ ଡକ୍ଟର ପାର୍ଥ ଦତ୍ତା କହିଛନ୍ତି ଯେ ଏହା ଦ୍ବାରା ବିଭିନ୍ନ ଉତ୍ପାଦ ବର୍ଗରେ ଆମେ ପ୍ରତିଦ୍ବନ୍ଦ୍ବିତାରେ ଆଗରେ ରହିପାରିବୁ। ଗତ ପାଞ୍ଚ ବର୍ଷ ଭିତରେ କଂପାନି ଭାରତରେ ୪୫୦ ନିୟୁତ ଡଲାର ନିବେଶ କରିସାରିଛି। ଭାରତରେ ଗାଡ଼ି ଉତ୍ପାଦନ ବଢ଼ାଇବାକୁ କଂପାନି ପ୍ରତିବଦ୍ଧ ବୋଲି ସେ କହିଛନ୍ତି।

ସମ୍ବନ୍ଧିତ ଖବର