ମିଆଦୀ ଋଣ ଗାଇଡ୍‌ଲାଇନ୍‌ ବଦଳାଇବାକୁ ହୋଟେଲ୍‌ ଶିଳ୍ପର ଦାବି

ଭୁବନେଶ୍ବର: କୋଭିଡ୍-୧୯ ସଙ୍କଟ ସମୟରେ ଅଧିକ ଋଣ ଆବଣ୍ଟନକୁ ନିଶ୍ଚିତ କରିବା ଲାଗି ଭାରତୀୟ ରିଜର୍ଭ ବ୍ୟାଙ୍କର ଗଭର୍ଣ୍ଣର ଶକ୍ତିକାନ୍ତ ଦାସ ଅନେକ ପଦକ୍ଷେପ ନେଇଛନ୍ତି। କିନ୍ତୁ ରିଜର୍ଭ ବ୍ୟାଙ୍କର ପୂର୍ବରୁ ପ୍ରଳଚନରେ ଥିବା ଏକ ନୀତି ଯୋଗୁଁ ମିଆଦୀ ଋଣ ଆବଣ୍ଟନରେ ସମସ୍ୟା ସୃଷ୍ଟି ହୋଇଛି। ନିୟମ ଅନୁସାରେ କେବଳ ସମ୍ପତ୍ତି ସୃଷ୍ଟି କ୍ଷେତ୍ରରେ ମିଆଦୀ ଋଣ ମଞ୍ଜୁର କରିବାର ବ୍ୟବସ୍ଥା ରହିଛି। ବର୍ତ୍ତମାନର କରୋନା ବିଶ୍ବ ମହାମାରୀ ସଙ୍କଟ ସମୟରେ ହୋଟେଲ୍ ଶିଳ୍ପ ପାଇଁ ସମ୍ପତ୍ତି ସୃଷ୍ଟି କରିବା କିମ୍ବା ସମ୍ପ୍ରସାରଣ କରିବା ମଧ୍ୟ ଏକ ପ୍ରକାର ଅସମ୍ଭବ। କର୍ମଚାରୀଙ୍କୁ ବେତନ ଦେଇ ଏବଂ ଖର୍ଚ୍ଚ ପରିଚାଳନା କରି ତିଷ୍ଠି ରହିବା ଲାଗି ହୋଟେଲ୍‌ଗୁଡ଼ିକ ସଂଘର୍ଷ କରୁଛନ୍ତି।

ଏଭଳି ସମୟରେ ହୋଟେଲ୍‌ଗୁଡ଼ିକର ଆୟ ସମ୍ପୂର୍ଣ୍ଣ ଠପ୍ ହୋଇଯାଇଥିବା ବେଳେ ସେମାନେ କମର୍ଚାରୀଙ୍କୁ ପୂର୍ଣ୍ଣ ବେତନ ଦେଇପାରୁନାହାନ୍ତି ଓ ଖର୍ଚ୍ଚ ମଧ୍ୟ ତୁଲାଇ ପାରୁନାହାନ୍ତି। ରିଜର୍ଭ ବ୍ୟାଙ୍କ ଘୋଷଣା‌ କରିଥିବା ପଦକ୍ଷେପ କାରଣରୁ ବ୍ୟାଙ୍କଗୁଡ଼ିକ ପାଖରେ ବିପୁଳ ପାଣ୍ଠି ରହିଛି। କିନ୍ତୁ ନିୟମରେ ପରିବର୍ତ୍ତନ କରାଯାଇନଥିବାରୁ ସେମାନେ ହୋଟେଲ୍‌ ଶିଳ୍ପକୁ ମିଆଦୀ ଋଣ ଦେଇପାରୁନାହାନ୍ତି। ଏନେଇ ରିଜର୍ଭ ବ୍ୟାଙ୍କର ଯେଉଁ ଗାଇଡ୍‌ଲାଇନ୍ ରହିଛି ସେଥିରେ ସଂଶୋଧନ କରିବା ଲାଗି ଓଡ଼ିଶା ହୋଟେଲ୍ ଓ ରେସ୍ତୋରାଁ ସଂଘ (ହା‌ରୋ) ପକ୍ଷରୁ କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣଙ୍କୁ ଅନୁରୋଧ କରାଯାଇଛି। ଏନେଇ ଶ୍ରୀମତୀ ସୀତାରମଣଙ୍କୁ ହାରୋର ଅଧ୍ୟକ୍ଷ ଜେ କେ ମହାନ୍ତି ଏକ ପତ୍ର ଲେଖିଛନ୍ତି ଯେଉଁଥିରେ ହୋଟେଲ୍‌ ଶିଳ୍ପକୁ ବଞ୍ଚାଇବା ଲାଗି ଏକ ବର୍ଷର ମୋରାଟୋରିଅମ୍ ସୁବିଧା ସହିତ ୧୦ ବର୍ଷ ପର୍ଯ୍ୟନ୍ତ ବାର୍ଷିକ ୩.୫ ପ୍ରତିଶତ ସୁଧ ହାରରେ ସଫ୍‌ଟ ଲୋନ୍ ଦେବାକୁ ଅନୁରୋଧ କରାଯାଇଛି।

ସମ୍ବନ୍ଧିତ ଖବର