ନୂଆଦିଲ୍ଲୀ: ପ୍ରଯୁକ୍ତି ଦୁନିଆରେ କିଛି କ୍ଷଣ ଭିତରେ ଏଭଳି ପରିବର୍ତ୍ତନ ହୋଇଯାଏ ଯାହା ପ୍ରତିଷ୍ଠିତ କମ୍ପାନିଗୁଡ଼ିକର ଅସ୍ତିତ୍ବକୁ ବିପଦରେ ପକାଇଦିଏ। ସମୟ ସହ ତାଳଦେଇ ନବସୃଜନକୁ ଆଗକୁ ବଢ଼ାଇବାରେ ବିଫଳ ହୋଇଥିବା ଅନେକ ପ୍ରତିଷ୍ଠିତ କମ୍ପାନି ଦୁନିଆରୁ ହଜିଯାଇଛନ୍ତି। ବିଶ୍ବର ସବୁଠୁ ବଡ଼ ଇଣ୍ଟରନେଟ୍ କମ୍ପାନି ଗୁଗଲ୍ ପାଇଁ ମଧ୍ୟ ସେଭଳି ସଙ୍କଟ ସୃଷ୍ଟି ହୋଇଥିଲା। ୨୦୨୨ରେ ଯେତେବେଳେ ଆମେରିକାର ଏକ ଷ୍ଟାର୍ଟଅପ୍ କମ୍ପାନି ଓପନ୍ଏଆଇ ଏହାର ଜେନେରେଟିଭ୍ ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସ (ଏଆଇ) ଚାଟ୍ବଟ୍ ‘ଚାଟ୍ଜିପିଟି’ ଉନ୍ମୋଚନ କଲା, ସାରା ଗୁଗଲ୍ରେ ଭୟର ବାତାବରଣ ସୃଷ୍ଟି ହୋଇଥିଲା। ସ୍ଥିତି ଏଭଳି ହୋଇଥିଲା ଯେ କମ୍ପାନିକୁ ପ୍ରାସଙ୍ଗିକ ରଖିବା ଲାଗି ଏହାର ଦୁଇ ପ୍ରତିଷ୍ଠାତା ଲାରି ପେଜ୍ ଓ ସର୍ଜି ବ୍ରିନ୍ଙ୍କୁ ଅବସରରୁ ଫେରିବାକୁ ପଡ଼ିଥିଲା।
ସେହି ସମୟରେ କ’ଣ ଘଟିଥିଲା ତାହା ଉପରୁ ଗୁଗଲ ସିଇଓ ସୁନ୍ଦର ପିଚାଇ ପରଦା ଉଠାଇଛନ୍ତି। ସେ କହିଛନ୍ତି ଯେ ଓପନଏଆଇ ଏକ ଛୋଟ ଷ୍ଟାର୍ଟଅପ୍ ହୋଇଥିଲେ ମଧ୍ୟ ଧନ୍ୟବାଦର ପାତ୍ର। ଆମେ ବି ଏଆଇ ଉପରେ କାମ କରୁଥିଲୁ। ସେମାନେ କିନ୍ତୁ ଆମଠାରୁ ଆଗୁଆ ବଜାରକୁ ଆସିଥିଲେ। ଖୁବ୍ କମ୍ ସମୟ ଭିତରେ ଚାଟ୍ଜିପିଟିର ଲୋକପ୍ରିୟତା ଯେଉଁଭଳି ଦ୍ରୁତ ଗତିରେ ଆଗକୁ ବଢ଼ିଥିଲା ତାହା ଆମକୁ ଚିନ୍ତିତ କରିଥିଲା। ଆମେ ବିକାଶ କରିଥିବା ଏଆଇ ଟୁଲ୍ ବଜାରକୁ ଆସିବା ପାଇଁ ଗୁଗଲର ଯେଉଁ ଉଚ୍ଚ ମାନଦଣ୍ଡ ଧାର୍ଯ୍ୟ ହୋଇଛି, ତାହା ପୂରଣ ହୋଇନଥିଲା। ସେଥିପାଇଁ ଆମେ ତାହାକୁ ଉନ୍ମୋଚନ କରିନଥିଲୁ। ଏକ ଛୋଟ ଷ୍ଟାର୍ଟଅପ୍ ଗୁଗଲ୍ର ୧୪୯ ବିଲିୟନ ଡଲାରର ସାମ୍ରାଜ୍ୟକୁ ଦୋହଲାଇ ଦେଇଥିଲା। ଚାଟ୍ଜିପିଟି ଜୁଆର ଭଳି ମାଡ଼ି ଆସିବାରୁ ଯେଉଁ ସଙ୍କଟ ଦେଖାଦେଇଥିଲା, ତାହାର ମୁକାବିଲା କରିବା ଲାଗି ୨୦୧୯ରେ କମ୍ପାନିରୁ ଅବ୍ୟାହତି ନେଇଥିବା ଦୁଇ ପ୍ରତିଷ୍ଠାତାଙ୍କୁ ଫେରିବାକୁ ପଡ଼ିଥିଲା। ଧୀରେ ଧୀରେ ପ୍ରତିଭାବାନ କର୍ମଚାରରୀ ଓ ସମ୍ବଳ ଯୋଗାଡ଼ କରି ଏଆଇ ଉପରେ କାମ ଆଗକୁ ବଢ଼ାଯାଇଥିଲା ଓ କିଛି ମାସ ପରେ ସ୍ଥିତି ସ୍ବାଭାବିକ ହୋଇଥିଲା ବୋଲି ପିଚାଇ କହିଛନ୍ତି। ଆନ୍ଧ୍ରପ୍ରଦେଶର ବିଶାଖାପାଟଣାରେ ଏଆଇ ହବ୍ ବିକାଶ କରିବା ପାଇଁ ଗୁଗଲ ୧୫୦୦ କୋଟି ଡଲାର ନିବେଶ ଘୋଷଣା କରିଛି। ଉକ୍ତ ପ୍ରକଳ୍ପ ପରିପ୍ରେକ୍ଷୀରେ ଶ୍ରୀ ପିଚାଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ସହ ମଧ୍ୟ କଥାବାର୍ତ୍ତା ହୋଇଥିଲେ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/member_avatars/2025/12/26/2025-12-26t132446534z-whatsapp-image-2025-12-26-at-65430-pm-2025-12-26-18-54-47.jpeg)
/sambad/media/media_files/2025/10/18/chat-gpt-google-2025-10-18-03-11-40.jpg)