୨୦୦୮ ବିଶ୍ବ ମାନ୍ଦାବସ୍ଥା ପରେ, ଆୟ ବୈଷମ୍ୟ ହ୍ରାସ

ଧନୀ ଓ ଗରିବ ଦେଶ ଭିତରେ ତାରତମ୍ୟ କମିଛି, ମଧ୍ୟବିତ୍ତଙ୍କ ଆୟରେ ଉନ୍ନତି ହୋଇଛି

ନୂଆଦିଲ୍ଲୀ: ଧନୀ ଓ ଗରିବଙ୍କ ଭିତରେ ଆୟକୁ ନେଇ ଯେଉଁ ବୈଷମ୍ୟ ରହିଥିଲା ତାହା ୨୦୦୮ ପରେ ହ୍ରାସ ପାଇଛି। ସିଟି ୟୁନିଭର୍ସିଟି ଅଫ୍ ନ୍ୟୁୟର୍କର ଗ୍ରାଜୁଏଟ ସେଣ୍ଟର ପକ୍ଷରୁ କରାଯାଇଥିବା ସର୍ବେକ୍ଷଣରୁ ଏହା ଜଣାପଡ଼ିଛି। ଏହି ମାନ୍ଦାବସ୍ଥାର ୨୦ ବର୍ଷ ପୂର୍ବରୁ ସାରା ବିଶ୍ବରେ ଭିନ୍ନ ଧରଣର ସ୍ଥିତି ଥିଲା। ବିଶେଷ କରି ଦୁଇଟି ବର୍ଗର ଆୟ ବଢ଼ୁଥିଲା। ଚୀନ୍‌ ଭଳି ଉଦୀୟମାନ ଦେଶରେ ଥିବା ମଧ୍ୟବିତ୍ତ ପରିବାର ଓ ସାରା ବିଶ୍ବର ଅତି ଧନୀ ଲୋକମାନଙ୍କୁ ଆୟ ବଢ଼ୁଥିଲା। ମାତ୍ର ସେହି ସମୟରେ ପଶ୍ଚିମ ୟୁରୋପ ଓ ଉତ୍ତର ଆମେରିକାର ମଧ୍ୟବିତ୍ତ ଓ ନିମ୍ନ ମଧ୍ୟବିତ୍ତ ବର୍ଗର ଲୋକମାନଙ୍କ ଆୟ ସ୍ଥିର ହୋଇଯାଇଥିଲା। ଏହା ପରେ ୧୯୯୮ରୁ ୨୦୦୮ ପର୍ଯ୍ୟନ୍ତ ଭିନ୍ନ ଏକ ଚିତ୍ର ଦେଖିବାକୁ ମିଳିଥିଲା। କେବଳ ବିଶ୍ବର ୧ ପ୍ରତିଶତ ଧନୀ ଲୋକମାନଙ୍କ ଆୟ ବଢ଼ୁଥିବା ବେଳେ ଅନ୍ୟମାନଙ୍କ ଆୟ ସ୍ଥିର ହୋଇଯାଇଥିଲା। ‌ଏହାକୁ ଜଗତକରଣ ଓ ପୁଞ୍ଜିବାଦର ବିଫଳତା ଭାବେ ବର୍ଣ୍ଣନା କରାଯାଇଥିଲା। ଧନୀଙ୍କ ଉପରେ ସ୍ବତନ୍ତ୍ର ସମ୍ପତ୍ତି ଟିକସ ଲଗାଇବାକୁ ଦାବି ଜୋରଦାର ହୋଇଥିଲା।

ମାତ୍ର ସିଟି ୟୁନିଭର୍ସିଟି ଅଫ୍‌ ନ୍ୟୁୟର୍କ ପକ୍ଷରୁ ଅର୍ଥନୀତିଜ୍ଞ କ୍ରିଷ୍ଟୋଭ୍ ଲାଙ୍କର ଓ ବ୍ରାଙ୍କୋ ମିଲାନୋଭିକ୍ ବିଶ୍ବବ୍ୟାଙ୍କ ଓ ଅନ୍ୟାନ୍ୟ ତଥ୍ୟ ଆଧାରରେ ଏକ ରିପୋର୍ଟ ପ୍ରସ୍ତୁତ କରିଛନ୍ତି ଯାହା ‘ଏଲିଫ୍ୟାଣ୍ଟ୍‌ ଚାର୍ଟ’ ଭାବେ ପରିଚିତ। ଏଥିରେ ସେମାନେ ଜଣାଇଛନ୍ତି ଯେ, ୨୦୦୮ର ବିଶ୍ବ ମାନ୍ଦାବସ୍ଥା ପରେ ଆୟ ଭାଗବଣ୍ଟାରେ ବଡ଼ ଧରଣର ପରିବର୍ତନ ହୋଇଛି। ୨୦୦୮-୨୦୧୩ ମଧ୍ୟରେ ବାସ୍ତବରେ ଆୟରେ ଅସମାନତା ହ୍ରାସ ପାଇଛି। ବିଭିନ୍ନ ଦେଶର ମଧ୍ୟବିତ୍ତ ପରିବାରଗୁଡ଼ିକର ଆୟରେ ଯେଉଁ ଅସମାନତା ରହିଥିଲା ତାହା ଦୂର ହେବାରେ ଲାଗିଛି। ସେହି ସମୟରେ ଅତି ଧନୀ ଲୋକମାନଙ୍କ ଆୟରେ ଯେଉଁ ବୃଦ୍ଧି ହେଉଥିଲା ସେହି ହାର ହ୍ରାସ ପାଉଛି। ଆମେରିକା ଠାରୁ ଜର୍ମାନି ପର୍ଯ୍ୟନ୍ତ ସବୁ ଦେଶରେ ଏଭଳି ସ୍ଥିତି ଦେଖିବାକୁ ମିଳିଛି। ବିଶ୍ବର ୯୫% ଲୋକ ବାସ କରୁଥିବା ୧୩୦ଟି ଦେଶର ତଥ୍ୟକୁ ନେଇ ଏହି ସର୍ଭେ କରାଯାଇଛି। ଏଥିରୁ ଜଣାପଡ଼ିଛି ଯେ, ୨୦୦୮ରୁ ୨୦୧୩ ମଧ୍ୟରେ କ୍ରୟ ଶକ୍ତିରେ ଅସମାନତା ୬୬.୪ରୁ ହ୍ରାସ ପାଇ ୬୧.୬ ହୋଇଛି। ଧନୀ ଓ ଗରିବ ଦେଶଗୁଡ଼ିକ ମଧ୍ୟରେ ପୂର୍ବରୁ ଯେଉଁ ଅସମାନତା ରହିଥିଲା ତାହା ମଧ୍ୟ ଦୂର ହେବାରେ ଲାଗିଛି। ୟୁରୋପ ଓ ଆମେରିକା ଅର୍ଥନୀତି ସ୍ଥିର ‌ହୋଇଥିବା ବେଳେ ଏସିଆ ଆଗକୁ ବଢ଼ୁଛି। ଏହି ପାଂଚ ବର୍ଷରେ ଏସିଆରେ ଲୋକମାନଙ୍କ ଆୟ ୭୬ ପ୍ରତିଶତ ବଢ଼ିଥିବା ବେଳେ ପଶ୍ଚିମ ୟୁରୋପ, ଉତର ଆମେରିକାରେ ଥିବା ଦେଶଗୁଡ଼ିକରେ ଆୟ ୬% ବଢ଼ିଛି। ଏହି ରିପୋର୍ଟ ପ୍ରସ୍ତୁତି ବେଳେ ଜୀବନ ଧାରଣର ବିଭିନ୍ନ ଖର୍ଚ୍ଚ ବିଚାରକୁ ନିଆଯାଇଛି।

ମିଲାନୋଭିକ୍‌ଙ୍କ ମତରେ ୨୦୦୮ ପୂର୍ବରୁ ମଧ୍ୟ ଆୟରେ ଅସମାନତା ହାର ହ୍ରାସ ପାଉଥିବାର ସଙ୍କେତ ମିଳିସାରିଥିଲା। ଏସିଆରେ ମଧ୍ୟବିତ୍ତ ପରିବାରର ଲୋକମାନଙ୍କ ଆୟ ବଢ଼ୁଥିବାରୁ ପାଶ୍ଚାତ୍ୟ ଦେଶର ବୁଦ୍ଧିଜୀବୀମାନେ ସହଜରେ ଗ୍ରହଣ କରିନଥିଲେ। ସେମାନେ ଓଲଟା ପ୍ରଚାର କରିଥିଲେ ଯେ ଧନୀଙ୍କ ଆୟ ବହୁତ ବଢ଼ୁଛି। କ୍ରୟ ଶକ୍ତି ଅନୁସାରେ ୨୦୦୮-୨୦୧୩ ମଧ୍ୟରେ ଶ୍ରେଷ୍ଠ ୧ ପ୍ରତିଶତ ଧନୀ ଲୋକଙ୍କ ମୁଣ୍ଡପିଛା ଆୟ‌ରେ ମାତ୍ର ୬% ବୃଦ୍ଧି ହୋଇଥିଲା। ୟୁରୋପ ଓ ଉତ୍ତର ଆମେରିକାର ନିମ୍ନ ମଧ୍ୟବିତ୍ତ ଓ ମଧ୍ୟବିତ୍ତଙ୍କ ଆୟରେ ୧୫% ବୃଦ୍ଧି ହୋଇଥିଲା। କିନ୍ତୁ ବିଶ୍ବର ଅନ୍ୟଦେଶଗୁଡ଼ିକର ମଧ୍ୟବିତ୍ତ ଲୋକମାନଙ୍କ ଆୟରେ ୬୦ ପ୍ରତିଶତର ବଡ଼ଧରଣର ବୃଦ୍ଧି ଘଟିଥିଲା। ୨୦୦୮ ପରେ ଆୟ ବୈଷମ୍ୟର ସ୍ଥିତି ବିଭିନ୍ନ ଦେଶରେ ଭିନ୍ନ ଭିନ୍ନ ରହିଛି। ଭାରତରେ ଧନୀ ଲୋକମାନଙ୍କ ଆୟ ବହୁତ ବଢ଼ିଥିଲା। କିନ୍ତୁ ଆମେରିକାରେ ସେହି ହାରରେ ଆୟ ବଢ଼ିନଥିଲା। କିଛି ଧନୀଙ୍କ ଆୟରେ ୫% ହ୍ରାସ ଘଟିଥିଲ। ୨୦୧୩ରେ ପରେ ଆୟ ବୈଷମ୍ୟର ସ୍ଥିତି କିଭଳି ରହିଛି ତାହା ଆକଳନ କରିବା ଲାଗି ବିଶେଷ ତଥ୍ୟ ଉପଲବ୍ଧ ନାହିଁ।

ସମ୍ବନ୍ଧିତ ଖବର