ନୂଆଦିଲ୍ଲୀ: ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ଚଳିତ ଆର୍ଥିକ ବର୍ଷର ପୂର୍ଣ୍ଣାଙ୍ଗ ବଜେଟ୍ରେ ଆୟକରକୁ ନେଇ ବଡ଼ ଘୋଷଣା କରିବେ ବୋଲି ଚର୍ଚ୍ଚା ହେଉଛି। ବିଶେଷ କରି ବେତନଭୋଗୀ ଓ ମଧ୍ୟବିତ୍ତ ପରିବାରକୁ ଆଶ୍ବସ୍ତି ପ୍ରଦାନ କରିବା ଲାଗି କିଛି ନିର୍ଦ୍ଦିଷ୍ଟ ପ୍ରସ୍ତାବ ଉପରେ ବିଚାର କରାଯାଉଛି। ବାର୍ଷିକ ପାଞ୍ଚ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଆୟ ଉପରେ ଆୟକରକୁ ସମ୍ପୂର୍ଣ୍ଣ ଛାଡ଼ କରାଯାଇପାରେ। ବର୍ତ୍ତମାନ ୩ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଆୟ ଉପରେ କୌଣସି ଆୟକର ସଂଗ୍ରହ କରାଯାଉନାହିଁ। ନୂଆ ନିୟମ ଅନୁସାରେ ଯେଉଁମାନେ ଆୟକର ରିଟର୍ଣ୍ଣ ଦାଖଲ କରୁଛନ୍ତି, ସେମାନଙ୍କ ପାଇଁ ଏହି ସୁବିଧା ପ୍ରଦାନ କରାଯିବ।
୨୦୨୦ରେ ଆୟକରଦାତାମାନଙ୍କୁ ସରକାର ନୂଆ ଓ ପୁରୁଣା ଆୟକର ଢାଙ୍ଗା ଭଳି ଦୁଇଟି ବିକଳ୍ପ ପ୍ରଦାନ କରିଥିଲେ। ପୁରୁଣା ଢାଞ୍ଚାରେ ଆୟକରଦାତାମାନେ ବିଭିନ୍ନ ବିଷୟ ଉପରେ କାଟ ସୁବିଧା ପାଉଛନ୍ତି। ମାତ୍ର ନୂଆ ଟିକସ ଢାଞ୍ଚାରେ ସେଭଳି କୌଣସି ବ୍ୟବସ୍ଥା ନାହିଁ। କିନ୍ତୁ ଏଥିରେ ଟିକସ ହାର କମ୍ ରହିଛି। ସର୍ବୋଚ୍ଚ ଆୟକର ହାରକୁ ୩୦ ପ୍ରତିଶତରୁ ଖସାଇ ୨୫ ପ୍ରତିଶତ କରିବା ଲାଗି ଶିଳ୍ପ ସଂଘଗୁଡ଼ିକ ଦେଇଥିବା ପ୍ରସ୍ତାବକୁ ସରକାର ଗ୍ରହଣ କରିନପାରନ୍ତି ବୋଲି ଆଲୋଚନା ହେଉଛି।
ବର୍ତ୍ତମାନ ପରିସ୍ଥିତିରେ କମ୍ ରୋଜଗାର କରୁଥିବା ଲୋକମାନଙ୍କ ପାଖରେ ଅଧିକ ଟଙ୍କା ପହଞ୍ଚାଇବାର ଆବଶ୍ୟକତା ରହିଛି। ତେଣୁ ଯାହା ବି କିଛି ପରିବର୍ତ୍ତନ ହେବ ତାହାର ଲାଭ ଏହି ବର୍ଗର ଟିକସଦାତାମାନଙ୍କୁ ମିଳିବ। ଖର୍ଚ୍ଚ କରିବା ଲାଗି ସେମାନଙ୍କ ପାଖରେ ଅଧିକ ଟଙ୍କା ରହୁ ବୋଲି ସରକାର ଚାହୁଛନ୍ତି। ନୂଆ ଟିକସ ବ୍ୟବସ୍ଥାରେ ବାର୍ଷିକ ଆୟ ୧୫ ଲକ୍ଷ ଟଙ୍କାରୁ ଅଧିକ ହେଲେ ୩୦% ଟିକସ ହାର ଲାଗୁ ହେଉଛି। ମାତ୍ର ପୁରୁଣା ବ୍ୟବସ୍ଥାରେ ବାର୍ଷିକ ଆୟ ୧୦ ଲକ୍ଷ ଟଙ୍କା ଟପିଲେ ୩୦% ଟିକସ ହାର ଲାଗୁ ହୋଇଯାଉଛି। ସବ୍ସିଡି ବାବଦରେ ଅଧିକ ଖର୍ଚ୍ଚ ନକରି ବ୍ୟକ୍ତିଗତ ଆୟ କର ହ୍ରାସ ଉପରେ ସରକାର ଜୋର ଦେଉଥିବା ଜଣାପଡ଼ିଛି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2022/02/income-tax-1.jpg)