ଭାରତୀୟ ରେଳ ଷ୍ଟେସନ ବିକାଶ ନିଗମ ବନ୍ଦ: ୨୦୧୨ରେ ସ୍ଥାପନ ହୋଇଥିଲା, ୪୫ ଦିନରେ ରେଳବାଇର ଦୁଇଟି ସଂସ୍ଥା ବନ୍ଦ

ନୂଆଦିଲ୍ଲୀ: ଭାରତୀୟ ରେଳ ଷ୍ଟେସନଗୁଡ଼ିକୁ ପୁନଃବିକଶିତ କରିବା ଲାଗି ୨୦୧୨ରେ ସ୍ଥାପନ କରାଯାଇଥିବା ସଂସ୍ଥା ‘ଭାରତୀୟ ରେଳ ଷ୍ଟେସନ ବିକାଶ ନିଗମ’କୁ ବନ୍ଦ କରିଦିଆଯାଇଛି। ଏହି ସଂସ୍ଥାକୁ ବନ୍ଦ କରିବାକୁ ରେଳ ବୋର୍ଡ ନିଷ୍ପତ୍ତି ନେଇଛି। ଗତ ୪୫ ଦିନ ମଧ୍ୟରେ ରେଳବାଇର ଦୁଇଟି ସଂସ୍ଥାକୁ ବନ୍ଦ କରାଯାଇଛି। ଏହା ପୂର୍ବରୁ ଚଳିତ ବର୍ଷ ସେପ୍ଟେମ୍ବର ୭ରେ ‌ଇଣ୍ଡିଆନ ରେଲ୍‌ୱେଜ୍ ଅର୍ଗାନାଇଜେସନ୍ ଫର ଅଲ୍‌ଟରନେଟିଭ୍ ଫୁଏଲ୍ (ଆଇଆର୍‌ଓଏଏଫ୍‌)କୁ ବନ୍ଦ କରିଦିଆଯାଇଥିଲା। ବିଭିନ୍ନ ମନ୍ତ୍ରଣାଳୟ ଅଧୀନରେ ଥିବା ଏକାଧିକ ସଂସ୍ଥାର ମିଶ୍ରଣ କରିବା କିମ୍ବା ବନ୍ଦ କରିବା ଲାଗି ସରକାର ଯେଉଁ ଅଭିଯାନ ଆରମ୍ଭ କରିଛନ୍ତି ସେହି ଆଧାରରେ ଭାରତୀୟ ରେଳ ଷ୍ଟେସନ ବିକାଶ ନିଗମକୁ ବନ୍ଦ କରାଯାଇଛି।

ରେଳ ବୋର୍ଡ ପକ୍ଷରୁ ସମସ୍ତ ଜୋନାଲ୍ ମ୍ୟାନେଜରଙ୍କୁ ଅବଗତ କରାଯାଇଛି ଯେ ପୂର୍ବରୁ ଯେଉଁ ସବୁ ଷ୍ଟେସନ ଭାରତୀୟ ରେଳ ଷ୍ଟେସନ ବିକାଶ ନିଗମ ଅଧୀନରେ ଥିଲା, ସେଗୁଡ଼ିକ ଆଗାମୀ ଦିନରେ ସମ୍ପୃକ୍ତ ଜୋନ୍ ଦ୍ବାରା ପରିଚାଳିତ ହେବ। ଏହି ନିଗମ ଖୁବ୍‌ଶୀଘ୍ର ଷ୍ଟେସନ୍ ସମ୍ପର୍କିତ କାଗଜପତ୍ରଗୁଡ଼ିକୁ ରେଳ ଜୋନ୍ କର୍ତ୍ତୃପକ୍ଷଙ୍କୁ ହସ୍ତାନ୍ତର କରିବ। ନିଗମକୁ ବନ୍ଦ କରିବା ପ୍ରକ୍ରିୟା ଆରମ୍ଭ କରିବା ଲାଗି ଏହାର କର୍ତ୍ତୃପକ୍ଷଙ୍କୁ ସରକାର ନିର୍ଦେଶ ଦେଇଛନ୍ତି। କିଛି ଗୁରୁତ୍ବପୂର୍ଣ୍ଣ ରେଳ ଷ୍ଟେସନକୁ ପୁନଃ ବିକଶିତ କରିବା ଲାଗି ନିଗମ କାର୍ଯ୍ୟ ବରାଦ ଦେଇଥିବା ବେଳେ ଏହାକୁ ବନ୍ଦ କରିବାକୁ ନିଷ୍ପତ୍ତି ନିଆଯାଇଛି। ମୁମ୍ବାଇର ଛତ୍ରପତି ଶିବାଜୀ ଟର୍ମିନସ୍‌କୁ ପୁନଃ ବିକଶିତ କରିବାରେ ନିଗମ ଗୁରୁତ୍ବପୂର୍ଣ୍ଣ ଭୂମିକା ନିର୍ବାହ କରିଥିଲା। ଚଣ୍ଡିଗଡ଼ ଓ କେଏସ୍‌ଆର୍‌ ବେଙ୍ଗାଲୁରୁ ରେଳ ଷ୍ଟେସନରେ ରେଳ ଆର୍କେଡ୍‌ ସ୍ଥାପନ କରିବା ଲାଗି ଏହା ବିଡ୍ ଆହ୍ବାନ କରିଥିଲା। ଦକ୍ଷିଣ ଭାରତରେ ଥିବା ୯୦ଟି ରେଳ ଷ୍ଟେସନ୍‌ ଅଧୀନରେ ଥିବା ବ୍ୟବସ୍ଥା ପରିଚାଳନା କରିବାକୁ ମଧ୍ୟ ନିଗମ ଯୋଜନା ଘୋଷଣା କରିଥିଲା। ଏହି ସଂସ୍ଥାକୁ ରେଳ ଜମି ବିକାଶ କର୍ତ୍ତୃପକ୍ଷଙ୍କ ସହ ମିଶ୍ରଣ କରିବା ଲାଗି ଅର୍ଥ ମନ୍ତ୍ରଣାଳୟ ଦେଇଥିବା ସୁପାରିସ୍‌କୁ ମଧ୍ୟ ଗ୍ରହଣ କରାଯାଇନାହିଁ। ନିଗମ ସ୍ଥାପନକୁ ଏକ ଦଶନ୍ଧି ପୂରିନଥିବା ବେଳେ ତାହାକୁ ବନ୍ଦ କରିଦିଆଯାଉଛି।

ସମ୍ବନ୍ଧିତ ଖବର