ଓଡ଼ିଶାରେ ଶିଳ୍ପ ବାତାବରଣ ଅନୁକୂଳ: ମନ୍ତ୍ରୀ ଦିବ୍ୟଶଙ୍କର

ଭୁବନେଶ୍ବର: ବୟନ ଶିଳ୍ପ ହବ୍‌ ‌ଭାବେ ଉଭା ହେବା ଲାଗି ଓଡ଼ିଶା ପାଖରେ ସୁଯୋଗ ରହିଛି। ରାଜ୍ୟର ଶିଳ୍ପ ଅନୁକୂଳ ବାତାବରଣ ଯୋଗୁଁ ଏହା ସମ୍ଭବ ହୋଇପାରିବ ବୋଲି ଶିଳ୍ପ ମନ୍ତ୍ରୀ ଦିବ୍ୟ ଶଙ୍କର ମିଶ୍ର କହିଛନ୍ତି। ଆଜି ଲୋକସେବା ଭବନରେ ହସ୍ତତନ୍ତ, ବୟନ ଓ ହସ୍ତଶିଳ୍ପ ବିଭାଗ ଆନୁକୂଲ୍ୟରେ ଆୟୋଜିତ ବୟନ ଶିଳ୍ପ ସମ୍ପର୍କିତ ଏକ କନ୍‌କ୍ଲେଭ୍‌ରେ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ସେ କହିଛନ୍ତି ଯେ ରାଜ୍ୟରେ ସ୍ଥିର ନେତୃତ୍ବ, ସ୍ବଚ୍ଛ ଶିଳ୍ପ ନୀତି, କଞ୍ଚାମାଲ ଉପଲବ୍ଧତା, ଦକ୍ଷ ଓ କୁଶଳୀ ମାନବ ସମ୍ବଳ, ବିଦ୍ୟୁତ ବଳକା ସ୍ଥିତି ଶିଳ୍ପ ସଂସ୍ଥାମାନଙ୍କୁ ବେଶ ସୁହାଉଛି। ଇଡ୍‌କୋର ଜମି ବ୍ୟାଙ୍କ ଓ ଶିଳ୍ପ ପୁଞ୍ଜ ଢାଞ୍ଚା ଯୋଗୁଁ ଶିଳ୍ପ ସ୍ଥାପନ ଲାଗି ଆନୁଷଙ୍ଗିକ ଭିତ୍ତିଭୂମି ସୃଷ୍ଟି ହୋଇପାରିଛି ବୋଲି ସେ କହିଛନ୍ତି। ସେ କହିଛନ୍ତି ଯେ ଓଡ଼ିଶାକୁ ଏକ ଟ୍ରିଲିଅନ ଡଲାର ଅର୍ଥନୀତିରେ ପରିଣତ କରିବା ଲାଗି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ନିରନ୍ତର ପ୍ରୟାସ ଜାରି ରଖିଛନ୍ତି। ରାଜ୍ୟରେ କୋଇଲା, ବକ୍ସାଇଟ, ହସ୍ତତନ୍ତ ପ୍ରସାଧାନର ଅଭାବ ନାହିଁ। ଯଦ୍ୱାରା ଅତୀତର ଓଡିଶା ଏବେ ଉନ୍ନତ ରାଜ୍ୟରେ ପରିଣତ ହୋଇଛି ବୋଲି ମନ୍ତ୍ରୀ ଶ୍ରୀ ମିଶ୍ର କହିଛନ୍ତି।

ଏହି ଅବସରରେ କେନ୍ଦ୍ର ବୟନ ସଚିବ ଉପେନ୍ଦ୍ର ପ୍ରସାଦ ସିଂହ ଅତିଥି ଭାବେ ଯୋଗ ଦେଇ ବୟନ କ୍ଷେତ୍ର ଲାଗି ଘୋଷଣା କରାଯାଇଥିବା ଉତ୍ପାଦନ ଭିତ୍ତିକ ପ୍ରୋତ୍ସାହନ (ପିଏଲ୍‌ଆଇ) ସ୍କିମ୍ ଓ ପିଏମ୍‌ ମିତ୍ର ସ୍କିମ୍‌ର ବିଭିନ୍ନ ଦିଗ ବିଷୟରେ ଆଲୋଚନା କରିଥିଲେ। ଶିଳ୍ପ ପୁଞ୍ଜ ଢାଞ୍ଚାରେ ଶିଳ୍ପ ପ୍ରତିଷ୍ଠା କଲେ ଲଜିଷ୍ଟିକ୍ ଖର୍ଚ୍ଚରେ ୩-୪ ପ୍ରତିଶତ ହ୍ରାସ ହୋଇପାରିବ ବୋଲି ସେ କହିଛନ୍ତି। ପୁଞ୍ଜିନିବେଶ ଆକୃଷ୍ଟ କରିବାରେ ଓଡ଼ିଶା କିଭଳି ଆଗରେ ରହିଛି ସେ ବିଷୟରେ ଶିଳ୍ପ ସଚିବ ହେମନ୍ତ ଶର୍ମା ସୂଚନା ଦେଇଛନ୍ତି। ଅତିରିକ୍ତ ମୁଖ୍ୟ ସଚିବ ପ୍ରଦୀପ କୁମାର ଜେନା କହିଛନ୍ତି ଯେ ପୁଞ୍ଜିନିବେଶକାରୀଙ୍କୁ ଆକୃଷ୍ଟ କରିବା ଓ ପ୍ରକଳ୍ପ କାର୍ଯ୍ୟକାରୀ କରିବାରେ ଓଡ଼ିଶା ସବୁଠୁ ଆଗରେ ରହିଛି। ରାଜ୍ୟରେ ଥିବା ତିନିଟି ବନ୍ଦର ବ୍ୟତୀତ ଟାଟା ବିକଶିତ କରିବାକୁ ଯାଉଥିବା ସୁବର୍ଣ୍ଣରେଖା ବନ୍ଦର ରାଜ୍ୟର ଶିଳ୍ପ ବିକାଶକୁ ନୂତନ ଶିଖରରେ ପହଞ୍ଚାଇବ ବୋଲି ସେ କହିଛନ୍ତି। ଏହି ଅବସରରେ ସାହି ଏକ୍ସପୋର୍ଟ, ଆଦିତ୍ୟ ବିର୍ଲା ଫେସନ, ପେଜ୍ ଇଣ୍ଡଷ୍ଟ୍ରିଜ୍ ଓ ୱାଇଲ୍‌ଡ ଲୋଟସ୍‌ ଭଳି ପ୍ରାୟ ୩୦ଟି ସଂସ୍ଥାର ପ୍ରତିନିଧି ଅଂଶଗ୍ରହଣ କରିଥିଲେ। ଏହି ଅବସରରେ ଅନ୍ୟମାନଙ୍କ ମଧ୍ୟରେ ଇଣ୍ଡିଆନ ଅଏଲ୍‌ର ନିର୍ଦେଶକ ରାମ କୁମାର, ହସ୍ତତନ୍ତ ବୟନ କମିସନର ଶୁଭା ଶର୍ମା ଓ ଇପିକଲ୍‌ର ପରିଚାଳନା ନିର୍ଦେଶକ ଭୁପେନ୍ଦ୍ର ସିଂହ ପୁନିଆ ପ୍ରମୁଖ ଉପସ୍ଥିତ ଥିଲେ।

ସମ୍ବନ୍ଧିତ ଖବର