ଶିଳ୍ପ ଭିତ୍ତିଭୂମିର ଉନ୍ନତୀକରଣ କରାଯିବ, ସାମାଜିକ ଭିତ୍ତିଭୂମି ପାଇଁ ୮୧୦୦ କୋଟିର ସ୍କିମ୍

ଅନେକ ବିମାନବନ୍ଦର ବିଶ୍ବସ୍ତରୀୟ ହେବ, ବିମାନ ପାଇଁ ଆକାଶ ମାର୍ଗ କଟକଣା ହଟିବ

ନୂଆଦିଲ୍ଲୀ: ରାଜ୍ୟଗୁଡ଼ିକରେ ଥିବା ଶିଳ୍ପ କ୍ଲଷ୍ଟର୍‌ଗୁଡ଼ିକର ସାଧାରଣ ଭିତ୍ତିଭୂମି ବ୍ୟବସ୍ଥା ଏବଂ ଯୋଗାଯୋଗ ଭିତ୍ତିଭୂମିର ଉନ୍ନତୀକରଣ ପାଇଁ ଆହ୍ବାନପୂର୍ଣ୍ଣ ପ୍ରକ୍ରିୟା ମାଧ୍ୟମରେ ଏକ ସ୍କିମ୍ ଲାଗୁ କରାଯିବ। ଶିଳ୍ପ ଭିତ୍ତିଭୂମିରେ ବ୍ୟାପକ ପରିବର୍ତ୍ତନ ଆଣିବାକୁ କେନ୍ଦ୍ର ସରକାର ଲକ୍ଷ୍ୟ ରଖିଛନ୍ତି। ଶିଳ୍ପ ପାଇଁ ଜମି ଯୋଗାଡ଼ କରାଯିବ। ନୂତନ ପୁଞ୍ଜିନିବେଶ ଆକୃଷ୍ଟ କରିବା ଲାଗି ଜମି ବ୍ୟାଙ୍କ ରହିବ। ନୂଆ ନିବେଶକ ଆସିଲେ ସେମାନଙ୍କୁ ସେହି ଜମି ବ୍ୟାଙ୍କରୁ ଜମି ଯୋଗାଇ ଦିଆଯିବ। ଫଳରେ ଜମି ଅଧିଗ୍ରହଣକୁ ନେଇ ଯେଉଁ ସମସ୍ୟା ରହୁଥିଲା ତାହା ଦୂର ହୋଇପାରିବ। ଶିଳ୍ପ ପାଇଁ ଜମି ସଂକ୍ରାନ୍ତ ବିଭିନ୍ନ ସୂଚନାକୁ ଜିଆଇଏସ୍‌ ମ୍ୟାପିଂ ଜରିଆରେ ଶିଳ୍ପ ସୂଚନା ବ୍ୟବସ୍ଥା (ଆଇଆଇଏସ୍‌)ରେ ଉପଲବ୍ଧ କରାଯିବ। ବର୍ତ୍ତମାନ ସୁଦ୍ଧା ଦେଶର ୩୩୭୬ଟି ଶିଳ୍ପ ପାର୍କ, ଇଷ୍ଟେଟ୍‌, ଏସ୍‌ଇଜେଡ୍‌ ୫ ଲକ୍ଷ ହେକ୍ଟରୁ ଅଧିକ ଜମିରେ ଥିବା ବେଳେ ସେଗୁଡ଼ିକର ତଥ୍ୟ ଶିଳ୍ପ ସୂଚନା ବ୍ୟବସ୍ଥାରେ ରହିବ। ୨୦୨୦-୨୧ରେ ସମସ୍ତ ଶିଳ୍ପ ପାର୍କର ରୢାଙ୍କିଙ୍ଗ୍‌ ଜାରି କରାଯିବ।

ପ୍ରତି ମନ୍ତ୍ରଣାଳୟରେ ରହିବ ‘ପ୍ରକଳ୍ପ ବିକାଶ ସେଲ୍‌’
ନୂଆଦିଲ୍ଲୀ: ଦେଶରେ ପୁଞ୍ଜିନିବେଶକୁ ତ୍ବରାନ୍ବିତ କରିବା ଲାଗି ନୀତିଗତ ସଂସ୍କାର ଅଣାଯିବ ବୋଲି ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ କହିଛନ୍ତି। ସେ କହିଛନ୍ତି, ସଚିବମାନଙ୍କ ଗୋଷ୍ଠୀ (ଗ୍ରୁପ୍ ଅଫ୍‌ ସେକ୍ରେଟାରିଜ୍) ଜରିଆରେ ନିବେଶ ମଞ୍ଜୁରିକୁ ତ୍ବରାନ୍ବିତ କରାଯିବ। ପ୍ରତି ମନ୍ତ୍ରଣାଳୟରେ ପ୍ରକଳ୍ପ ବିକାଶ ସେଲ୍ ରହିବ। ସେହି ସେଲ୍‌ଗୁଡ଼ିକ ନିବେଶଯୋଗ୍ୟ ପ୍ରକଳ୍ପ ପ୍ରସ୍ତୁତ କରିବେ ଓ ନିବେଶକ ଏବଂ ରାଜ୍ୟ ଓ କେନ୍ଦ୍ର ସରକାରଙ୍କ ସହ ଯୋଗାଯୋଗ ରକ୍ଷା କରିବା କାର୍ଯ୍ୟ କରିବେ। ନୂତନ ନିବେଶ ହାତେଇବା ଲାଗି ନିବେଶ ପାଇଁ ଆକର୍ଷଣୀୟ ଅଞ୍ଚଳ ଭାବେ ରାଜ୍ୟଗୁଡ଼ିକର ରୢାଙ୍କିଙ୍ଗ୍‌ ହେବ। ଏହା ହେଲେ ନିଜକୁ ନିବେଶର ପସନ୍ଦ ସ୍ଥାନରେ ପରିଣତ କରିବା ଲାଗି ରାଜ୍ୟଗୁଡ଼ିକ ଭିତରେ ପ୍ରତିଦ୍ବନ୍ଦ୍ବିତା ବୃଦ୍ଧି ପାଇବ ବୋଲି ଶ୍ରୀମତୀ ସୀତାରମଣ କହିଛନ୍ତି। ସୌର ପିଭି ଉତ୍ପାଦ, ଆଡଭାନ୍ସଡ୍‌ ସେଲ୍ ବ୍ୟାଟେରି ଷ୍ଟୋରେଜ୍ ଭଳି ନୂତନ ଚାମ୍ପିଆନ୍ କ୍ଷେତ୍ରର ପ୍ରଚାରପ୍ରସାର ଲାଗି ପ୍ରୋତ୍ସାହନ ସ୍କିମ୍ ଅଣାଯିବ ବୋଲି ସେ କହିଛନ୍ତି।

News Nation

ବିମାନ ପାଇଁ ଆକାଶ ମାର୍ଗ କଟକଣା ହଟିବ
ନୂଆଦିଲ୍ଲୀ: ଆକାଶମାର୍ଗରେ ବିମାନ ଚଳାଚଳକୁ ପାରଦର୍ଶୀ ଢଙ୍ଗରେ ପରିଚାଳନା କରିବାକୁ ସରକାର ନିଷ୍ପତ୍ତି‌ ନେଇଛନ୍ତି। ବର୍ତ୍ତମାନ ବେସାମରିକ ବିମାନଗୁଡ଼ିକର ଚଳାଚଳ ପାଇଁ ଦେଶର ୬୦ ପ୍ରତିଶତ ଆକାଶମାର୍ଗ ଉନ୍ମୁକ୍ତ ରହିଛି। ଅନ୍ୟ ଆକାଶମାର୍ଗଗୁଡ଼ିକ‌ରେ ବିମାନ ଉଡ଼ାଣ ପାଇଁ ଅନୁମତି ନାହିଁ। ଏହି କଟକଣାକୁ କୋହଳ କରିବାକୁ ସରକାର ନିଷ୍ପତ୍ତି ନେଇଛନ୍ତି। ଆକାଶମାର୍ଗର ଉଚିତ ପରିଚାଳନା ହେ‌ଲେ ବେସାମରିକ ବିମାନ ଚଳାଚଳ ଶିଳ୍ପ ବର୍ଷକୁ ୧୦୦୦ କୋଟି ଟଙ୍କା ସଞ୍ଚୟ କରିପାରିବ। ଇନ୍ଧନ ଖର୍ଚ୍ଚ ଓ ସମୟ ଅପଚୟ ହ୍ରାସ ପାଇବ। ପରିବେଶ ଉପରେ ମଧ୍ୟ ଏହାର ସକାରାତ୍ମକ ପ୍ରଭାବ ପଡ଼ିବ ବୋଲି ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ କହିଛନ୍ତି।

ଅନେକ ବିମାନବନ୍ଦର ବିଶ୍ବସ୍ତରୀୟ ହେବ
ନୂଆଦିଲ୍ଲୀ: ଘରୋଇ ସରକାରୀ ସହଭାଗିତାରେ ବିମାନବନ୍ଦରଗୁଡ଼ିକୁ ବିଶ୍ବସ୍ତରୀୟ କରିବା ଲାଗି ସରକାର ପଦକ୍ଷେପ ଘୋଷଣା କରିଛନ୍ତି। ପରିଚାଳନା ଓ ରକ୍ଷଣାବେକ୍ଷଣ ପାଇଁ ବିମାନବନ୍ଦରଗୁଡ଼ିକର ନିଲାମ କରାଯାଉଛି। ପ୍ରଥମ ପର୍ଯ୍ୟାୟରେ ୬ଟି ବିମାନବନ୍ଦର ନିଲାମ କରାଯାଇଥିଲା ଯାହା ବଳରେ ୧୦୦୦ କୋଟି ଟଙ୍କାର ବାର୍ଷିକ ରାଜସ୍ବ ମିଳିବ। ଭାରତୀୟ ବିମାନବନ୍ଦର କର୍ତ୍ତୃପକ୍ଷ (ଏଏଆଇ)କୁ ୨୩୦୦ କୋଟି ଟଙ୍କାର ଡାଉନ୍‌ ପେମେଣ୍ଟ୍ ମଧ୍ୟ ମିଳିବ। ଦ୍ବିତୀୟ ପର୍ଯ୍ୟାୟରେ ଆଉ ୬ଟି ବିମାନ ବନ୍ଦର ନିଲାମ କରାଯିବ ଯାହାର ପ୍ରକ୍ରିୟା ଖୁବ୍‌ଶୀଘ୍ର ଆରମ୍ଭ ହେବ। ପ୍ରଥମ ଓ ଦ୍ବିତୀୟ ପର୍ଯ୍ୟାୟରେ ନିଲାମ ହେବାକୁ ଥିବା ୧୨ଟି ବିମାନବନ୍ଦରରେ ଘରୋଇ ସଂସ୍ଥାଗୁଡ଼ିକ ୧୩,୦୦୦ କୋଟି ଟଙ୍କା ନିବେଶ କରିବେ ବୋଲି ଆକଳନ କରାଯାଇଛି। ତୃତୀୟ ପର୍ଯ୍ୟାୟରେ ଆଉ ୬ଟି ବିମାନବନ୍ଦର ନିଲାମ କରାଯିବ।

ବିମାନ ମରାମତି, ରକ୍ଷଣାବେକ୍ଷଣର ହବ୍ ହେବ ଭାରତ
ନୂଆଦିଲ୍ଲୀ: ଭାରତକୁ ବିମାନଗୁଡ଼ିକର ରକ୍ଷଣାବେକ୍ଷଣ, ମରାମତି ଓ ଓଭରହାଉଲ୍‌ (ଏମ୍‌ଆର୍‌ଓ)ର ହବ୍‌ରେ ପରିଣତ କରିବା ଲାଗି ଆତ୍ମନିର୍ଭର ଭାରତ ଅଭିଯାନରେ ଲକ୍ଷ୍ୟ ରଖାଯାଇଛି। ଏମ୍‌ଆର୍‌ଓ ପାଇଁ ଯେଉଁ ଟିକସ ବ୍ୟବସ୍ଥା ରହିଛି ତାହାର ସରଳୀକରଣ କରାଯିବ। ଆସନ୍ତା ତିନି ବର୍ଷ ଭିତରେ ବିମାନ ଉପକରଣ ମରାମତି ଓ ଏୟାରଫ୍ରେମ୍‌ର ରକ୍ଷଣାବେକ୍ଷଣ ପରିମାଣ ୮୦୦ କୋଟି ଟଙ୍କାରୁ ବୃଦ୍ଧି ପାଇ ୨୦୦୦ କୋଟି ଟଙ୍କା ହେବ। ବିମାନ ଇଞ୍ଜିନ ନିର୍ମାଣ କରୁଥିବା ସଂସ୍ଥାଗୁଡ଼ିକୁ ଭାରତରେ କାରଖାନା ବସାଇବା ଲାଗି ଆମନ୍ତ୍ରଣ କରାଯିବ। ପ୍ରତିରକ୍ଷା ବିଭାଗ ଓ ବେସାମରିକ ବିମାନ ଚଳାଚଳ ଏମ୍‌ଆର୍‌ଓଗୁଡ଼ିକ ଭିତରେ ସମନ୍ବୟ ରକ୍ଷା କରାଯିବ। ଏହି ସବୁ ପଦକ୍ଷେପ ଦ୍ବାରା ବିମାନ କଂପାନିଗୁଡ଼ିକ ରକ୍ଷଣାବେକ୍ଷଣ ବାବଦ ଖର୍ଚ୍ଚ ବହୁତ ହ୍ରାସ ପାଇବ।

ସାମାଜିକ ଭିତ୍ତିଭୂମି ପାଇଁ ୮୧୦୦ କୋଟିର ସ୍କିମ୍
ନୂଆଦିଲ୍ଲୀ: ସାମାଜିକ ଭିତ୍ତିଭୂମି ପ୍ରକଳ୍ପଗୁଡ଼ିକ ବାଣିଜ୍ୟିକ ଦୃଷ୍ଟିକୋଣରୁ ଲାଭଦାୟକ ହେଉନଥିବାରୁ ସେହି ସ୍ଥିତିରେ ଉନ୍ନତି ଆଣିବାକୁ ଲକ୍ଷ୍ୟ ରଖାଯାଇଛି। ଏହି କ୍ଷେତ୍ରରେ ଘରୋଇ ପୁଞ୍ଜିନିବେଶ ବଢ଼ାଇବା ଲାଗି ୮୧୦୦ କୋଟି ଟଙ୍କାର ଏକ ଭାୟାବିଲିଟି ଗ୍ୟାପ୍‌ ଫଣ୍ଡିଂ ସ୍କିମ୍ ଘୋଷଣା କରାଯାଇଛି। ସାମାଜିକ ଭିତ୍ତିଭୂମି ପ୍ରକଳ୍ପଗୁଡ଼ିକୁ ‌ଉଭୟ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ସଂସ୍ଥାଗୁଡ଼ିକ ତରଫରୁ ମୋଟ୍ ଖର୍ଚ୍ଚ ଉପରେ ୩୦ ପ୍ରତିଶତ ଭାୟାବିଲିଟି ଗ୍ୟାପ୍ ପାଣ୍ଠି ପ୍ରଦାନ କରାଯିବ। ଅନ୍ୟାନ୍ୟ କ୍ଷେତ୍ର ପାଇଁ ଏହି ହାର ୨୦ ପ୍ରତିଶତ ରହିବ। ଏଥିପାଇଁ ଉଭୟ କେନ୍ଦ୍ର ଓ ରାଜ୍ୟ ସରକାର ପ୍ରକଳ୍ପର ପ୍ରସ୍ତାବ ଦେଇପାରିବେ।

ସମ୍ବନ୍ଧିତ ଖବର