ଗାଁକୁ ଫେରିଥିବା ଶ୍ରମିକଙ୍କୁ ଡାକୁଛନ୍ତି ଶିଳ୍ପସଂସ୍ଥା: ବିମାନ ଟିକଟ, ଖାଦ୍ୟ, ରହଣୀ ସୁବିଧା ଦେବାକୁ ପ୍ରସ୍ତୁତ

ନୂଆଦିଲ୍ଲୀ: ଦେଶରେ ଅନ୍‌ଲକ୍‌ ପ୍ରକ୍ରିୟା ଜାରି ରହିଥିବା ବେଳେ ବିଭିନ୍ନ ସ୍ଥାନରେ କଳକାରଖାନାଗୁଡ଼ିକ ଖୋଲିବା ଆରମ୍ଭ ହୋଇଛି। ‌କିନ୍ତୁ କାରଖାନାରେ ଉତ୍ପାଦନ ସ୍ବାଭାବିକ କରିବାରେ ମାନବ ସମ୍ବଳ ଏକ ବଡ଼ ସମସ୍ୟା ଭାବେ ଉଭା ହୋଇଛି। ଲକ୍‌ଡାଉନ୍ ଘୋଷଣା ପରେ ନିଜ ଘରକୁ ଫେରିଯାଇଥିବା ପ୍ରବାସୀ ଶ୍ରମିକମାନଙ୍କ ଅଭାବ ଅନୁଭୂତ ହୋଇଛି। ସେମାନଙ୍କୁ ପୁଣି ସହର ଫେରାଇ ଆଣିବା ଲାଗି କିଛି ସଂସ୍ଥା ଉଦ୍ୟମ ଆରମ୍ଭ କରିଛନ୍ତି। ପ୍ରବାସୀ ଶ୍ରମିକମାନଙ୍କୁ ମାଗଣା ବିମାନ ଟିକଟ, ଖାଦ୍ୟ ଓ ରହଣୀ ସୁବିଧା ଦେବା ଲାଗି କଂପାନିଗୁଡ଼ିକ ପ୍ରତିଶ୍ରୁତି ଦେଉଛନ୍ତି।

କଳକାରଖାନାଗୁଡ଼ିକୁ ଚାଲୁ ରଖିବା ଲାଗି ଆବଶ୍ୟକ ହେଉଥିବା ଶ୍ରମିକଙ୍କ ଅଭାବ ପୂରଣ କରିବା ଏବେ କଂପାନିଗୁଡ଼ିକ ଲାଗି ମୁଣ୍ଡବ୍ୟଥାର କାରଣ ସାଜିଛି। କିଛି ସଂସ୍ଥା ପ୍ରବାସୀ ଶ୍ରମିକମାନଙ୍କୁ ଫେରାଇ ଆଣିବା ଲାଗି ଲୋଭନୀୟ ଅଫର ଦେଉଥିବା ବେଳେ ଆଉ କିଛି କଂପାନି କାରଖାନା ଆଖପାଖ ଗ୍ରାମରୁ ଶ୍ରମିକ ଖୋଜିବା ଆରମ୍ଭ କରିଛନ୍ତି। ଅଷ୍ଟ୍ରେଲିଆର ସଂସ୍ଥା ଲିନଫକ୍ସ ଗ୍ରୁପ୍‌ ପକ୍ଷରୁ ଶ୍ରମିକମାନଙ୍କୁ ଖାଦ୍ୟ ସହିତ ଅନ୍ୟାନ୍ୟ ସୁବିଧା ସୁଯୋଗ ଦିଆଯାଉଛି। ଶ୍ରମିକମାନଙ୍କ ଗମନାଗମନ ଲାଗି ବସ୍‌ର ବ୍ୟବସ୍ଥା କରିଛି। ନୂତନ ଭାବେ ନିଯୁକ୍ତି ଦିଆଯାଉଥିବା ଶ୍ରମିକମାନଙ୍କ ଦକ୍ଷତା ବଢ଼ାଇବା ଲାଗି ସେମାନଙ୍କୁ ପ୍ରଶିକ୍ଷଣ ମଧ୍ୟ ଦିଆଯାଉଛି।

ଗତ ମାର୍ଚ୍ଚ ୨୫ରେ ଦେଶରେ ଲକ୍‌ଡାଉନ୍ ଆରମ୍ଭ ହେବା ପରେ ପ୍ରବାସୀ ଶ୍ରମିକମାନଙ୍କୁ ନିଜ କର୍ମକ୍ଷେତ୍ର ପାଖରେ ରଖିବା ଲାଗି ଉଦ୍ୟମ କରାଯାଇଥିଲା। ମାତ୍ର ଲକ୍‌ଡାଉନ୍‌ ଅବଧି ବଢ଼ିବା ପରେ ସେମାନଙ୍କ ପାଖରେ ଥିବା ଟଙ୍କାପଇସା ଶେଷ ହୋଇଯାଇଥିଲା। ଭୋକ ଉପାସରେ ଶହ ଶହ କିଲୋମିଟର ଚାଲି ଚାଲି ପ୍ରବାସୀ ଶ୍ରମିକମାନେ ନିଜ ଗ୍ରାମ ଓ ଘରକୁ ଫେରିଥିଲେ। ପ୍ରବାସୀ ଶ୍ରମିକମାନଙ୍କ ଦୟନୀୟ ସ୍ଥିତିର ଏକ ଭିନ୍ନ ଚେହେରା ସାମ୍ନାକୁ ଆସିଥିଲା। ଘରକୁ ଫେରିଆସିଥିବା ଶ୍ରମିକଙ୍କୁ କାମଧନ୍ଦା ଯୋଗାଇବା ଲାଗି କେନ୍ଦ୍ର ସରକାର ଯୋଜନା ଘୋଷଣା କରିଛନ୍ତି। ସେମାନଙ୍କ ଲାଗି ମାଗଣା ଖାଦ୍ୟ, ଇନ୍ଧନ ଓ ନଗଦ ଟଙ୍କାର ବ୍ୟବସ୍ଥା କରାଯାଇଛି। ଆସନ୍ତା ନଭେମ୍ବର ପର୍ଯ୍ୟନ୍ତ ଲୋକମାନଙ୍କୁ ସରକାର ମାଗଣାରେ ଖାଦ୍ୟଶସ୍ୟ ଦେବେ। ସରକାର ଦେଉଥିବା ସୁବିଧା ଶିଳ୍ପ ସଂସ୍ଥାଗୁଡ଼ିକ ଲାଗି ବଡ଼ ସମସ୍ୟା ଭାବେ ଉଭା ହୋଇଛି। ଗାଁକୁ ଫେରିଥିବା ଶ୍ରମିକଙ୍କୁ ସହର ଫେରାଇ ଆଣିବା ଲାଗି କଂପାନଗୁଡ଼ିକୁ ସରକାରଙ୍କ ଠାରୁ ଆହୁରି ଲୋଭନୀୟ ସୁବିଧା ଦେବାର ପ୍ରତିଶ୍ରୁତି ଦେବାକୁ ପଡ଼ୁଛି। ଅଧିକ ପାରିଶ୍ରମିକ, ରହିବା ଓ ଖାଇବା ସୁବିଧା ଦେବା ଲାଗି ମଧ୍ୟ ବ୍ୟବସ୍ଥା କରିବାକୁ ପଡ଼ୁଛି। ସେଥିପାଇଁ ଶିଳ୍ପ ସଂସ୍ଥାଗୁଡ଼ିକ ବ୍ୟୟଭାର ବୃଦ୍ଧି ପାଇଛି। ଶ୍ରମିକ ଅଭାବ ଦ୍ବାରା ରିଅଲ ଇଷ୍ଟେଟ୍‌ ଶିଳ୍ପ ଗୁରୁତର ଭାବେ ପ୍ରଭାବିତ ହୋଇଛି।

ସମ୍ବନ୍ଧିତ ଖବର