ଭୁବନେଶ୍ବର: ନିଜ ପରିସର ଭିତରେ କୋଭିଡ୍ କେୟାର ସେଣ୍ଟର୍ ସ୍ଥାପନ କରିବା ଲାଗି ରାଜ୍ୟର ଶିଳ୍ପସଂସ୍ଥା ଓ କର୍ପୋରେଟ୍ ହାଉସ୍ଗୁଡ଼ିକୁ ରାଜ୍ୟ ସରକାର ନିର୍ଦେଶ ଦେଇଛନ୍ତି। ସପ୍ତାହକ ଭିତରେ ଏହି ବ୍ୟବସ୍ଥା କରିବା ଲାଗି ଶିଳ୍ପସଂସ୍ଥାଗୁଡ଼ିକୁ କୁହାଯାଇଛି। ଆଜି ଲୋକସେବା ଭବନରୁ ଡିଜିଟାଲ୍ ମାଧ୍ୟମରେ କର୍ପୋରେଟ୍ ସଂସ୍ଥାର ମୁଖ୍ୟ ଓ ସିଇଓମାନଙ୍କ ସହ ଆଲୋଚନା କରିବା ବେଳେ ମୁଖ୍ୟ ସଚିବ ଅସିତ କୁମାର ତ୍ରିପାଠୀ ଏହି ନିର୍ଦେଶ ଦେଇଛନ୍ତି। ମୁଖ୍ୟ ସଚିବ କହିଛନ୍ତି, କୋଭିଡ୍-୧୯ ମୁକାବିଲା ଲାଗି ରାଜ୍ୟରେ ତ୍ରିସ୍ତରୀୟ ବ୍ୟବସ୍ଥା ରହିଛି। ତାହା ହେଉଛି କୋଭିଡ୍ କେୟାର ସେଣ୍ଟର୍, କୋଭିଡ୍ ହେଲ୍ଥ ସେଣ୍ଟର୍ ଓ ସ୍ବତନ୍ତ୍ର କୋଭିଡ୍ ହସ୍ପିଟାଲ୍। ଯେଉଁମାନଙ୍କ ଠାରେ କରୋନା ସଂକ୍ରମଣର ଲକ୍ଷଣ ନାହିଁ କିମ୍ବା ନାମକୁ ମାତ୍ର ଲକ୍ଷଣ ରହିଛି ସେମାନଙ୍କ ପାଇଁ କୋଭିଡ୍ କେୟାର ସେଣ୍ଟର୍ର ବ୍ୟବସ୍ଥା କରାଯାଇଛି। ସଂକ୍ରମଣର ଗମ୍ଭୀରତା ଆଧାରରେ ରୋଗୀମାନଙ୍କୁ ହେଲ୍ଥ ସେଣ୍ଟର୍ କିମ୍ବା କୋଭିଡ୍ ହସ୍ପିଟାଲ୍ରେ ଭର୍ତି କରାଯାଉଛି। ଲକ୍ଷଣ ନଥିବା ଲୋକଙ୍କ ସାମାଜିକ ସମ୍ପର୍କକୁ ସମ୍ପୂର୍ଣ୍ଣ ଛିନ୍ନ କରାଯିବା ପରେ ସେମାନେ ଶାରିରୀକ ଓ ମାନସିକ ସ୍ତରରେ ପ୍ରଭାବିତ ହେଉଛନ୍ତି।
ସେଥିପାଇଁ ଗୃହ ସଙ୍ଗରୋଧ ଓ ସଂସ୍ଥାଗତ ସଙ୍ଗରୋଧ ଲାଗି ସରକାର ଅନୁମତି ଦେଇଛନ୍ତି ବୋଲି ସେ କହିଛନ୍ତି। ନିଜ ସଂସ୍ଥାର କର୍ମଚାରୀ ଓ ପରିବାର ସଦସ୍ୟଙ୍କ ଲାଗି କୋଭିଡ୍ କେୟାର ସେଣ୍ଟର୍ ସ୍ଥାପନ କରିବା ନିମନ୍ତେ ଆଗେଇ ଆସିବାକୁ ଶିଳ୍ପ ସଂସ୍ଥାଗୁଡ଼ିକୁ କୁହାଯାଇଛି। ଆଜିର ଆଲୋଚନାରେ ଏମ୍ସିଏଲ୍, ନାଲ୍କୋ, ଓସିଏଲ୍, ପାରାଦୀପ ରିଫାଇନାରି, ଏନ୍ଟିପିସି, ଆର୍ଏସ୍ପି, ହାଲ୍, ଆଇଓସିଏଲ୍, ଏସ୍ଟିପିଆଇ, ଏନ୍ସିଏଲ୍, ଇଡ୍କୋ, ଇପିକଲ୍, ଓଏସ୍ଆର୍ଟିସି, ଓପିଟିସିଏଲ୍, ଟାଟା ପାୱାର୍, ନେସ୍କୋ, ୱେସ୍କୋ, ସାଉଥ୍କୋ, ଗ୍ରିଡ୍କୋ, ଓଏଚ୍ପିସି, ଓଏମ୍ସି, ଇଡିକଲ୍, ଓଟିଡିସି, ଓଏସ୍ବିସି, ଓଏସ୍ଆଇସି, ଓଏସ୍ଏଫ୍ସି, ଟାଟା ଷ୍ଟିଲ୍, ଜେଏସ୍ଡବ୍ଲୁ, ଇମ୍ଫା, ଗ୍ରାସିମ୍, ଇମାମି, ଡାଲ୍ମିଆ ସିମେଣ୍ଟ୍, ହିଣ୍ଡାଲ୍କୋ, ଲକ୍ଷ୍ମୀ ସିମେଣ୍ଟ୍, ଏସିସି ସିମେଣ୍ଟ୍, ବେଦାନ୍ତ, ଜେକେ ପେପର, ଜେଏସ୍ପିଏଲ୍ ଓ ଜେଏସ୍ଏଲ୍ର ଅଧିକାରୀମାନେ ଅଂଶଗ୍ରହଣ କରିଥିଲେ। କୋଭିଡ୍ କେୟାର ସେଣ୍ଟର୍ ପାଇଁ ଆବଶ୍ୟକ ହେଉଥିବା ବୈଷୟିକ ଓ ପ୍ରଶିକ୍ଷଣ ସୁବିଧା ଓ ଔଷଧ ରାଜ୍ୟ ସରକାର ଯୋଗାଇବେ। ଏହି ସେଣ୍ଟର୍ଗୁଡ଼ିକ ଯେଭଳି ସୁବିଧାରେ ସ୍ଥାପନ ହୋଇପାରିବ ସେଥିପାଇଁ ଜିଲ୍ଲାପାଳ ଓ ମୁନିସିପାଲ କମିସନରଙ୍କ ସହ ଯୋଗାଯୋଗ କରିବା ଲାଗି ଶିଳ୍ପ ସଂସ୍ଥାଗୁଡ଼ିକୁ କୁହାଯାଇଛି। ଏହି ଅବସରରେ ଶିଳ୍ପ ବିଭାଗର ପ୍ରମୁଖ ସଚିବ ହେମନ୍ତ ଶର୍ମା, ଇପିକଲ୍ ଏମ୍ଡି ସଚିନ ରାମଚନ୍ଦ୍ର ଯାଦବ ଓ ଶିଳ୍ପ ବିଭାଗର ଯୁଗ୍ମ ସଚିବ ଶୁଭନ୍ଦ୍ର କୁମାର ନାୟକ ଉପସ୍ଥିତ ଥିଲେ।