ବିଦେଶରେ ଭାରତୀୟଙ୍କ ପାଠ ପଢ଼ିବା ମୋହ ବଢ଼ୁଛି: ବର୍ଷକୁ ବ୍ୟୟ କରୁଛନ୍ତି ୨ ଲକ୍ଷ କୋଟି
୨୦୨୪ ସୁଦ୍ଧା ୬ ଲକ୍ଷ କୋଟିକୁ ବଢ଼ିବ
ନୂଆଦିଲ୍ଲୀ: ଭାରତୀୟମାନଙ୍କ ବିଦେଶରେ ପାଠ ପଢ଼ିବା ମୋହ ବଢ଼ୁଛି। ବିଶେଷକରି ଉଚ୍ଚ ଶିକ୍ଷା ପାଇଁ ଅଧିକ ସଂଖ୍ୟକ ଭାରତୀୟ ବିଦେଶ ଯାଉଛନ୍ତି। ବର୍ତ୍ତମାନ ଭାରତୀୟ ମାନେ ବିଦେଶରେ ପାଠ ପଢ଼ିବା ପାଇଁ ବାର୍ଷିକ ୨୮ ବିଲିଅନ ଡଲାର ବା ୨ ଲକ୍ଷ କୋଟି ଟଙ୍କାରୁ ଅଧିକ ଅର୍ଥ ଖର୍ଚ୍ଚ କରୁଛନ୍ତି। ତେବେ ଗୁରୁତ୍ବପୂର୍ଣ୍ଣ ବିଷୟ ହେଲା ଆସନ୍ତା ୨୦୨୪ ବେଳକୁ ଏହି ଖର୍ଚ୍ଚ ରାଶି ୮୦ ବିଲିଅନ ଡଲାର ବା ପ୍ରାୟ ୬ ଲକ୍ଷ କୋଟି ଟଙ୍କାରେ ପହଞ୍ଚିଯିବ। ଅର୍ଥାତ୍ ଭାରତୀୟ ଅଭିଭାବକମାନେ ବିଦେଶରେ ସେମାନଙ୍କ ପିଲାଙ୍କ ଉଚ୍ଚଶିକ୍ଷା ବାବଦରେ ୩ ଗୁଣା ଅଧିକ ଅର୍ଥ ଖର୍ଚ୍ଚ କରିବେ। କନସଲ୍ଟିଂ ଫାର୍ମ ରେଡ୍ସିଅର ପକ୍ଷରୁ ବିଦେଶରେ ଉଚ୍ଚଶିକ୍ଷା ଶୀର୍ଷକ ସଦ୍ୟ ରିପୋର୍ଟରେ ଏପରି ଆକଳନ କରାଯାଇଛି।
Sambad is now on WhatsApp
Join and get latest news updates delivered to you via WhatsApp
ରିପୋର୍ଟ ଅନୁଯାୟୀ, ବିଦେଶରେ ପଢ଼ୁଥିବା ଭାରତୀୟ ଛାତ୍ରଛାତ୍ରୀଙ୍କ ସଂଖ୍ୟା ୨୦୧୬ରେ ୪,୪୦,୦୦୦ ଥିବାବେଳେ ୨୦୧୯ରେ ଏହା ୭,୭୦,୦୦୦ରେ ପହଞ୍ଚିଛି। ୨୦୨୪ ମସିହା ସୁଦ୍ଧା ଏହି ସଂଖ୍ୟା ପ୍ରାୟ ୧୮ ଲକ୍ଷକୁ ବୃଦ୍ଧି ପାଇବ। ଏଥିଯୋଗୁ ବିଦେଶରେ ଭାରତୀୟଙ୍କ ପାଠପଢ଼ା ବାବଦ ମୋଟ ଖର୍ଚ୍ଚ ବଢ଼ିଯିବ। ଅନ୍ୟପକ୍ଷରେ ଭାରତରେ ଆଲୋଚ୍ୟ ବର୍ଗରେ ପଢ଼ୁଥିବା ଛାତ୍ରଛାତ୍ରୀଙ୍କ ସଂଖ୍ୟା ୨୦୧୬ରେ ୩୭ ନିୟୁତ ଥିବାବେଳେ ୨୦୧୯ରେ ଏହା ୪୦ ନିୟୁତରେ ପହଞ୍ଚିବ।
ରେଡ୍ସିଅର୍ର ପ୍ରତିଷ୍ଠାତା ତଥା ସିଇଓ ଅନୀଲ କୁମାର ଭାରତରେ ଛାତ୍ରଛାତ୍ରୀଙ୍କ ମଧ୍ୟରେ ଦେଖାଦେଇଥିବା ଉକ୍ତ ଧାରା ସଂପର୍କରେ ମତ ରଖିଛନ୍ତି। ସେ କହିଛନ୍ତି, ଆଗାମୀ ଦିନରେ ଭାରତୀୟ ଛାତ୍ରଛାତ୍ରୀଙ୍କ ବିଦେଶରେ ପାଠ ପଢ଼ିବା ସଂଖ୍ୟାର ଧାରା ଦ୍ରୁତଗତିରେ ବୃଦ୍ଧି ପାଇବ। ବର୍ତ୍ତମାନ ବିଦେଶକୁ ପାଠ ପଢ଼ିବାକୁ ଯାଉଥିବା ଛାତ୍ରଛାତ୍ରୀମାନେ ବିଭିନ୍ନ କ୍ଷେତ୍ରର ଶିକ୍ଷା ଲାଭ କରୁଛନ୍ତି।
ଅଧିକାଂଶ ଛାତ୍ରଛାତ୍ରୀ ଇଂରାଜୀ ଭାଷାଭାଷୀ ଦେଶଗୁଡ଼ିକୁ ଉଚ୍ଚଶିକ୍ଷା ପାଇଁ ଯାଉଛନ୍ତି। ନିକଟ ଭବିଷ୍ୟତରେ ଭାରତୀୟ ଛାତ୍ରଛାତ୍ରୀଙ୍କ ଏହି ଧାରା ମଧ୍ୟ ଜାରି ରହିବ ବୋଲି କୁହାଯାଇଛି। ଅନ୍ୟ ଦେଶ ତୁଳନାରେ କାନାଡା ଭାରତୀୟ ଛାତ୍ରଛାତ୍ରୀଙ୍କ ପାଇଁ ଅଧିକ ପସନ୍ଦର ସ୍ଥାନ ପାଲଟିଛି। ପୂର୍ବରୁ ଯୁକ୍ତରାଷ୍ଟ୍ର ଆମେରିକାକୁ ସର୍ବାଧିକ ଛାତ୍ରଛାତ୍ରୀ ପସନ୍ଦ କରୁଥିବାବେଳେ ଗତ ୩ରୁ ୫ ବର୍ଷ ମଧ୍ୟରେ ଏହି ଧାରାରେ ପରିବର୍ତ୍ତନ ଆସିଛି। ଅଷ୍ଟ୍ରେଲିଆ, କାନାଡ଼ା, ବ୍ରିଟେନ, ଆମେରିକାରେ ଅଧିକ ସଂଖ୍ୟକ ଉଚ୍ଚ ଶିକ୍ଷାନୁଷ୍ଠାନ ରହିଛି। ଏଥିପାଇଁ ବିଶ୍ବରୁ ଅନେକ ଛାତ୍ରଛାତ୍ରୀ ଏସବୁ ଦେଶକୁ ପଢ଼ିବା ପାଇଁ ଆସି ପାରୁଛନ୍ତି। ଆମେରିକାରେ ୪୦୦୦ରୁ ଅଧିକ ବିଶ୍ବବିଦ୍ୟାଳୟ ରହିଛି। ଏହି ଦେଶରେ ନିଯୁକ୍ତି ପାଉଥିବା ଛାତ୍ରଛାତ୍ରୀମାନଙ୍କୁ ସର୍ବାଧିକ ବେତନ ମିଳୁଛି। ଏହା ପଛକୁ ବ୍ରିଟେନ ଓ କାନାଡ଼ା ରହିଛି।
ଅନ୍ୟପକ୍ଷରେ ଭାରତରେ ଅଧିକ ଛାତ୍ରଛାତ୍ରୀ ସାଧାରଣ ପାଠ୍ୟକ୍ରମରେ ନାମ ଲେଖାଉଥିବାବେଳେ ବିଦେଶରେ ଅଧିକାଂଶ ଛାତ୍ରଛାତ୍ରୀ ବୈଷୟିକ ପାଠ ପଢ଼ୁଛନ୍ତି। ଦେଶରେ ୮୪ ପ୍ରତିଶତ ଛାତ୍ରଛାତ୍ରୀ ସାଧାରଣ ପାଠ୍ୟକ୍ରମରେ ନାମ ଲେଖାଉଥିବାବେଳେ ୧୬ ପ୍ରତିଶତ ବୈଷୟିକ ବା ସ୍ବତନ୍ତ୍ର ପାଠ୍ୟକ୍ରମରେ ନାମ ଲେଖାଉଛନ୍ତି। ଅନ୍ୟପକ୍ଷରେ ବିଦେଶକୁ ଯାଉଥିବା ଛାତ୍ରଛାତ୍ରୀଙ୍କ ମଧ୍ୟରୁ ୭୦ ପ୍ରତିଶତ ସ୍ବତନ୍ତ୍ର ପାଠ୍ୟକ୍ରମରେ ନାମ ଲେଖାଉଥିବାବେଳେ କେବଳ ୩୦ ପ୍ରତିଶତ ସାଧାରଣ ପାଠ୍ୟକ୍ରମରେ ନାମ ଲେଖାଉଛନ୍ତି। ସ୍ବତନ୍ତ୍ର ପାଠ୍ୟକ୍ରମ ଭିତରେ କମ୍ପ୍ୟୁଟର ଆପ୍ଲିକେସନ, ନର୍ସିଂ, ଇଞ୍ଜିନିୟରିଂ ଏବଂ ଅନ୍ୟାନ୍ୟ ବିଷୟ ରହିଛି।