ଆର୍ଥିକ ସେବାରେ ବଡ଼ ସଂସ୍ଥାଙ୍କ ଆଗ୍ରହ ଚିନ୍ତାଜନକ

ନିୟନ୍ତ୍ରଣରେ ରଖିବା କଷ୍ଟକର ହେବ: ରିଜର୍ଭ ବ୍ୟାଙ୍କ
ଚିନ୍ତାର କାରଣ ଗୁଗୁଲ୍, ଆମାଜନ, ଫେସବୁକ୍, ଆପଲ୍‌ ଓ ମାଇକ୍ରୋସଫ୍ଟ

ମୁମ୍ବାଇ : ବିଶ୍ବର ବଡ଼ ବଡ଼ ପ୍ରଯୁକ୍ତି ଓ ଇଣ୍ଟରନେଟ୍‌ ଦ୍ବାରା ପରିଚାଳିତ ସଂସ୍ଥା ଆର୍ଥିକ ସେବା କ୍ଷେତ୍ର ପ୍ରତି ଯେଉଁ ଆଗ୍ରହ ଦେଖାଇଛନ୍ତି ତାହାକୁ ନେଇ ଭାରତୀୟ ରିଜର୍ଭ ବ୍ୟାଙ୍କ ଚିନ୍ତା ପ୍ରକଟ କରିଛି। ଭାରତ ଭଳି ବିକାଶଶୀଳ ଦେଶରେ ଏଭଳି ସଂସ୍ଥା ଆର୍ଥିକ ସେବା କ୍ଷେତ୍ରରେ ପ୍ରବେଶ କରିଥିବାରୁ ଅନେକ ପ୍ରକାର ଆହ୍ବାନ ସୃଷ୍ଟି ହୋଇଛି। ବଜାରରେ ସ୍ଥିରତା ବଜାୟ ରଖିବା ଏବଂ ବ୍ୟବସ୍ଥାକୁ ପରିଚାଳନା କରିବା ବେଶ କଷ୍ଟକର ହେବ ବୋଲି ରିଜର୍ଭ ବ୍ୟାଙ୍କ ପୂର୍ବାନୁମାନ କରିଛି। ଏହି ସଂସ୍ଥାଗୁଡ଼ିକର ମନମୁଖୀ କାର୍ଯ୍ୟ ବ୍ୟତୀତ ବିଶ୍ବାସଜନିତ ସମସ୍ୟା, ସାଇବର ନିରାପତ୍ତା ବିପଦ ଓ ତଥ୍ୟର ସୁରକ୍ଷା ଭଳି ଆହ୍ବାନ ସୃଷ୍ଟି ହେବାର ଆଶଙ୍କା ପ୍ରକାଶ ପାଇଛି।

ରିଜର୍ଭ ବ୍ୟାଙ୍କ ପକ୍ଷରୁ କୁହାଯାଇଛି ଯେ ଭାରତ ସମେତ ବିଭିନ୍ନ ବିକଶିତ ଓ ଉଦୀୟମାନ ରାଷ୍ଟ୍ରରେ ବଡ଼ କଂପାନିଗୁଡ଼ିକ ବିବିଧ ପ୍ରକାରର ଆର୍ଥିକ ସେବା ପ୍ରଦାନ କରୁଛନ୍ତି। ଯଦିଓ ଆର୍ଥିକ ସେବାକୁ ଅଧିକ ଲୋକଙ୍କ ନିକଟରେ ପହଞ୍ଚାଇବାରେ ଏହା ସହାୟକ ହୋଇଛି, କିନ୍ତୁ ବ୍ୟାଙ୍କଗୁଡ଼ିକ ଭଳି ସମାନ ସ୍ତରରେ ସେମାନେ ପରିଚାଳିତ ହେବେ ନା ନାହିଁ ତାହା ହେଉଛି ଏକ ସମସ୍ୟା। ବଡ଼ ପ୍ରଯୁକ୍ତି ସଂସ୍ଥା ଭାବେ ମୁଖ୍ୟତଃ ପାଞ୍ଚଟି ସଂସ୍ଥାକୁ ଇଙ୍ଗିତ କରାଯାଇଛି। ତାହା ହେଉଛି ଗୁଗୁଲ୍, ଆମାଜନ, ଫେସବୁକ୍, ଆପଲ୍ ଓ ମାଇକ୍ରୋସଫ୍ଟ। ଏହି କଂପାନିଗୁଡ଼ିକର ବଜାର ମୂଲ୍ୟ ୧ ଲକ୍ଷ କୋଟିରୁ ୨ ଲକ୍ଷ କୋଟି ଡଲାର ପର୍ଯ୍ୟନ୍ତ ରହିଛି।

ରିଜର୍ଭ ବ୍ୟାଙ୍କ ଏଭଳି ଏକ ସମୟରେ ଏଭଳି ଆଶଙ୍କା ପ୍ରକଟ କରିଛି ଯେତେବେଳେ ନୂଆ ଆଇଟି ନିୟମ ମାଧ୍ୟମରେ ଏହି ସବୁ ସଂସ୍ଥା ଉପରେ ନିୟନ୍ତ୍ରଣ ହାସଲ କରିବା ଲାଗି ସରକାର ଉଦ୍ୟମ କରୁଛନ୍ତି। ସୋସିଆଲ୍ ମିଡିଆ ସଂସ୍ଥା ଟ୍ବିଟର୍‌ ଏହି ନିୟମକୁ ପାଳନ କରୁନାହିଁ। ସରକାରଙ୍କ ସହିତ ଏହାର ଛକାପଞ୍ଝା ଲାଗିରହିଛି। ଭାରତରେ ଆମାଜନ୍, ଗୁଗୁଲ୍ ଓ ଫେସବୁକ୍‌ର ସଂସ୍ଥା ହ୍ବାଟସ୍‌ଆପ୍ ପକ୍ଷରୁ ପେମେଣ୍ଟ୍ ସୁବିଧା ପ୍ରଦାନ କରାଯାଉଛି। ଋଣ ପ୍ରଦାନ କରିବା ଓ କାର୍ଡ ଜାରି କରିବା ପାଇଁ ମଧ୍ୟ ଗୁଗୁଲ୍ ଓ ଆମାଜନ ଅନୁମତି ହାସଲ କରିଛନ୍ତି। ରିଜର୍ଭ ବ୍ୟାଙ୍କ ଏହାର ରିପୋର୍ଟରେ ଜଣାଇଛି ଯେ ଏହି ବଡ଼ ସଂସ୍ଥାଗୁଡ଼ିକର ପ୍ରଭାବକୁ ନିୟନ୍ତ୍ରଣରେ ରଖିବା ଲାଗି ସାରା ବିଶ୍ବର କେନ୍ଦ୍ରୀୟ ବ୍ୟାଙ୍କଗୁଡ଼ିକ ମିଳିତ ହୋଇ ଏକ ଆନ୍ତର୍ଜାତିକ ମାନକ ଜାରି କରିବାକୁ ପଡ଼ିବ। ଏକ ସ୍ବତନ୍ତ୍ର ସଂସ୍ଥା ସ୍ଥାପନ କରି ପୂର୍ବରୁ ନିର୍ଧାରଣ କରାଯାଇଥିବା‌ କେତେକ ମାନଦଣ୍ଡ ଆଧ‌ାରରେ ସ୍ବାଧୀନ ଭାବେ ବଡ଼ ସଂସ୍ଥାଗୁଡ଼ିକର କାର୍ଯ୍ୟକଳାପର ସମୀକ୍ଷା ଦରକାର। ଯେହେତୁ ଡିଜିଟାଲ୍ ଅର୍ଥନୀତି ଆନ୍ତର୍ଜାତିକ ସ୍ତରରେ ପହଞ୍ଚିଛି ତେଣୁ ଏହା ଉପରେ ନିୟନ୍ତ୍ରଣ ହାସଲ କରିବା ଲାଗି ନିୟମ ଓ ମାନଦଣ୍ଡ ଧାର୍ଯ୍ୟ କରିବାରେ ଆନ୍ତର୍ଜାତିକ ସହଯୋଗିତା ଦରକାର ବୋଲି ରିଜର୍ଭ ବ୍ୟାଙ୍କ କହିଛି। ଡିଜିଟାଲ୍ ପେମେଣ୍ଟ୍‌ ସଂସ୍ଥା ଉପରେ ନିୟନ୍ତ୍ରଣ ରଖିବା ଲାଗି ରିଜର୍ଭ ବ୍ୟାଙ୍କ ଦ୍ବାରା ପରିଚାଳିତ ହେଉଥିବା ସଂସ୍ଥା ନ୍ୟାସନାଲ୍ ପେମେଣ୍ଟ୍ କର୍ପୋରେସନ ଅଫ୍ ଇଣ୍ଡିଆ (ଏନ୍‌ପିସିଆଇ) ପକ୍ଷରୁ ବଜାର ଅଂଶ ଭିତ୍ତିକ ସୀମା ଧାର୍ଯ୍ୟ କରାଯାଇଛି। କୌଣସି ସଂସ୍ଥା ପାଖରେ ୩୦%ରୁ ଅଧିକ ବଜାର ଅଂଶ ରହିବ ନାହିଁ ବୋଲି ଏହା ସ୍ପଷ୍ଟ କରିଛି। ୨୦୨୨ ସୁଦ୍ଧା ଏହି ନିୟମ ଲାଗୁ କରାଯିବ। ଏବେ ଆମେରିକୀୟ କଂପାନି ୱାଲ୍‌ମାର୍ଟର ମାଲିକାନାରେ ଥିବା ଫୋନ୍‌ପେ ଓ ଗୁଗୁଲ୍‌ର ଗୁଗୁଲ୍ ପେ’ ଅଧୀନରେ ଏହି ବଜାରର ୮୫% ଅଂଶ ରହିଛି। ଭାରତରେ ନିଜର ପେମେଣ୍ଟ୍‌ ନେଟ୍‌ୱର୍କ ସ୍ଥାପନ କରିବା ଲାଗି ଗୁଗୁଲ୍, ଫେସ୍‌ବୁକ୍, ଆମାଜନ୍ ଭଳି ସଂସ୍ଥା ଆବେଦନ କରିଥିବା ଜଣାପଡ଼ିଛି।

ସମ୍ବନ୍ଧିତ ଖବର