୨୮କଂପାନି ଆଣିବେ ଆଇପିଓ: ୪୮ ହଜାର କୋଟି ଟଙ୍କା ଜୁଟାଇବେ

ମୁମ୍ବାଇ: ଆସନ୍ତା କିଛି ମାସ ଭିତରେ ୨୮ଟି ସଂସ୍ଥା ଷ୍ଟକ ବଜାରରୁ ପାଣ୍ଠି ହାସଲ କରିବା ଲାଗି ଇନିସିଆଲ୍ ପବ୍ଲିକ୍ ଅଫର (ଆଇପିଓ) ଆଣିବେ। ସେମାନେ ପ୍ରାୟ ୪୮ ହଜାର କୋଟି ଟଙ୍କା ସଂଗ୍ରହ କରିବାକୁ ଲକ୍ଷ୍ୟ ରଖିଛନ୍ତି। ଏହି କଂପାନିଗୁଡ଼ିକ ଭାରତୀୟ ପ୍ରତିଭୂତି ଓ ବିନିମୟ ବୋର୍ଡ (ସେବି) ନିକଟରେ ଆବେଦନ କରିଛନ୍ତି। ସେମାନଙ୍କ ଆବେଦନକୁ ମଞ୍ଜୁରି ମଧ୍ୟ ମିଳିଛି। ଉତ୍କର୍ଷ ସ୍ମଲ ଫାଇନାନ୍ସ ବ୍ୟାଙ୍କ, ସାଇ ସିଲ୍କ କଳାମନ୍ଦିର, ସୁଲା ଭାଇନୟାର୍ଡ, ଆଲାଏଡ୍ ବ୍ଲେଣ୍ଡର୍ସ ଆଣ୍ଡ୍‌ ଡିଷ୍ଟିଲର ଭଳି ସଂସ୍ଥା ଆଇପିଓ ପାଇଁ ଆବେଦନ କରିଛନ୍ତି।

ଚଳିତ ବର୍ଷ ୧୧ଟି ସଂସ୍ଥା ଆଇପିଓ ଜରିଆରେ ୩୩,୨୫୪ କୋଟି ଟଙ୍କା ହାସଲ କରିସାରିଲେଣି। ଭାରତୀୟ ଜୀବନ ବୀମା ନିଗମ (ଏଲ୍‌ଆଇସି) ସର୍ବାଧିକ ୨୦,୫୫୭ କୋଟି ଟଙ୍କା ହାସଲ କରିଛି। ମେ’ ମାସ ପର୍ଯ୍ୟନ୍ତ ବିଭିନ୍ନ କଂପାନି ଆଇପିଓ ଜାରି କରିଥିଲେ। ଏହା ପରେ କୌଣସି ସଂସ୍ଥା ପାଣ୍ଠି ହାସଲ କରିବା ଲାଗି ଷ୍ଟକ ବଜାରରେ ପ୍ରବେଶ କରିନାହାନ୍ତି। ପେଟିଏମ୍ ଓ ଜୋମାଟୋ ଭଳି ସଂସ୍ଥାର ଆଇପିଓକୁ ନେଇ ନିବେଶକମାନଙ୍କ ମଧ୍ୟରେ ପ୍ରବଳ ଉତ୍ସାହ ରହିଥିଲା। ମାତ୍ର ଷ୍ଟକ ବଜାରରେ ତାଲିକାଭୁକ୍ତ ହେବା ପରେ ସେମାନଙ୍କ ସେୟାର ଏଭଳି ତଳକୁ ଖସିଲା ଯାହା ସେମାନଙ୍କ ମନୋବଳକୁ ଦୁର୍ବଳ କରିଦେଇଛି। ଏଲ୍‌ଆଇସି ସେୟାର ମଧ୍ୟ ନିରୁତ୍ସାହଜନକ ପ୍ରଦର୍ଶନ କରିଛି।
ବିଶ୍ବରେ ଘଟୁଥିବା ଘଟଣାର ପ୍ରଭାବରେ ଷ୍ଟକ ବଜାର ଅସ୍ଥିର ରହିଛି। ସେଥିପାଇଁ କଂପାନିଗୁଡ଼ିକ ପାଣ୍ଠି ହାସଲ କରିବା ଲାଗି ଷ୍ଟକ ବଜାରରେ ପ୍ରବେଶ କରିବାକୁ ସାହସ କରୁନାହାନ୍ତି। ତେବେ ଗତ କିଛି ଦିନ ହେଲାଣି ଷ୍ଟକ ବଜାର କାରବାରରେ ସୁଧାର ହେଉଛି। ତେଣୁ ଆସନ୍ତା ୨-୩ ମାସ ମଧ୍ୟରେ କିଛି ସଂସ୍ଥା ନିଜର ଆଇପିଓ ଆଣିପାରନ୍ତି ବୋଲି ଅନୁମାନ କରାଯାଉଛି। ‌ବହୁ ସଂସ୍ଥାର ତ୍ରୈମାସିକ ଆର୍ଥିକ ଫଳାଫଳ ଉତ୍ସାହଜନକ ରହିଛି। ଏଥି ସହିତ ଅର୍ଥନୀତିର ସ୍ବାସ୍ଥ୍ୟ ବିଷୟରେ ସୂଚନା ଦେଉଥିବା କିଛି ତଥ୍ୟ ସକାରାତ୍ମକ ହେବାରେ ଲାଗିଛି। ତେଣୁ ବର୍ଷର ଅନ୍ୟ ମାସଗୁଡ଼ିକରେ ଗୋଟିଏ ପରେ ଗୋଟିଏ ବହୁ ସଂସ୍ଥାର ଆଇପିଓ ଆସିବ ବୋଲି ଆଶା କରାଯାଉଛି।

ସମ୍ବନ୍ଧିତ ଖବର