ପୂରା ଦରମା ‌ଦେବା ପ୍ରସଙ୍ଗ: କଂପାନି ବିରୋଧରେ ଜୁଲାଇ ପର୍ଯ୍ୟନ୍ତ କାର୍ଯ୍ୟାନୁଷ୍ଠାନ ହେବନି

ନୂଆଦିଲ୍ଲୀ: ଲକ୍‌ଡାଉନ୍‌ ସମୟରେ କର୍ମଚାରୀଙ୍କୁ ପୂରା ‌ଦରମା ଦେଇପାରିନଥିବା ସଂସ୍ଥାଗୁଡ଼ିକ ବିରୋଧରେ ଆସନ୍ତା ଜୁଲାଇ ପର୍ଯ୍ୟନ୍ତ ସରକାର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିପାରିବେ ନାହିଁ। ସୁପ୍ରିମକୋର୍ଟ ଆଜି ଏହା କହିଛନ୍ତି। ଦରମାକୁ ନେଇ ଯେଉଁ ସମସ୍ୟା ରହିଛି ତାହାକୁ ଉଭୟ କର୍ମଚାରୀ ଓ କଂପାନି କର୍ତ୍ତୃପକ୍ଷ ମିଳିତ ଭାବେ ସମାଧାନ କରିବା ଦରକାର। ଉଭୟ ପକ୍ଷ ମଧ୍ୟରେ ବୁଝାମଣା ଲାଗି ପଥ ପ୍ରସ୍ତୁତ କରିବାକୁ ରାଜ୍ୟ ଶ୍ରମ ବିଭାଗକୁ କୁହାଯାଇଛି।

ତିନି ଜଣିଆ ବିଚାରପତି ଅଶୋକ ଭୂଷଣ, ଏସ୍‌ କେ କୌଲ ଓ ଏମ୍‌ଆର୍‌ ଶାହଙ୍କ ଖଣ୍ଡପୀଠରେ ଆଜି ମାମଲାର ଶୁଶାଣି ହୋଇଥିଲା। ଖଣ୍ଡପୀଠ କହିଛନ୍ତି, ଉଭୟ ଶ୍ରମିକ ଓ ଶିଳ୍ପ ପରସ୍କରର ଆବଶ୍ୟକତା। ତେଣୁ ସେମାନଙ୍କ ଭିତରେ ଆପୋଷ ବୁଝାମଣା ହେବା ଦରକାର। କର୍ମଚାରୀଙ୍କୁ ପୂର୍ଣ୍ଣ ଦରମା ଦେବା ଲାଗି ସରକାର ଯେଉଁ ବିଜ୍ଞପ୍ତି ଜାରି କରିଥିଲେ ଯେ ସଂକ୍ରାନ୍ତରେ କୋର୍ଟ କହିଛନ୍ତି, ଏହି ବିଜ୍ଞପ୍ତି କଂପାନିଗୁଡ଼ିକୁ ୧୦୦% ଦରମା ଦେବାକୁ ବାଧ୍ୟ କରିଛି। ଏହା ୫୦ କିମ୍ବା ୭୦ ପ୍ରତିଶତ ହୋଇପାରିଥାଆନ୍ତା। ତେବେ ପ୍ରଶ୍ନ ଉଠୁଛି କଂପାନିଗୁଡ଼ିକ ଏଭଳି ନିର୍ଦେଶ ଦେବା ଓ ନିୟମ ପାଳନ କରିବାରେ ବିଫଳ ହେଉଥିବା କଂପାନି ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାର କ୍ଷମତା ସରକାରଙ୍କ ପାଖରେ ଅଛି ନା ନାହିଁ, ତାହା ଜାଣିବାକୁ ହେବ। ଏହି ବିଜ୍ଞପ୍ତିର ଆଇନଗତ ବୈଧତା କ’ଣ ତାହା ଜଣାଇବା ଲାଗି କେନ୍ଦ୍ରକୁ ଚାରି ସପ୍ତାହ ସମୟ ଦିଆଯାଇଛି। ମାର୍ଚ୍ଚ ୨୯ର ବିଜ୍ଞପ୍ତି ବିଷୟରେ ଆଟର୍ଣ୍ଣି ଜେନେରାଲ୍ କେକେ ବେଣୁଗୋପାଳ କହିଛନ୍ତି, ଏହା ଏକ ସାମୟିକ ପଦକ୍ଷେପ ଥିଲା। ଯେହେତୁ କୋଟି କୋଟି ଲୋକ ନିଜ ଘରକୁ ଫେରିବା ଆରମ୍ଭ କରିଥିଲେ ସେମାନଙ୍କ କଷ୍ଟ ଦୂର କରିବା ଏବଂ ସେମାନଙ୍କୁ ଅନ୍ୟତ୍ର ଯିବାରୁ ଅଟକାଇବା ଲାଗି ଏହି ପ‌ଦକ୍ଷେପ ନିଆଯାଇଥିଲା ବୋଲି ସେ କହିଛନ୍ତି।

ସମ୍ବନ୍ଧିତ ଖବର