ଲୋକଙ୍କ ଶେଷ ଭରସା ସୁନା: ଗୁଜୁରାଣ ମେଣ୍ଟାଇବାକୁ ବନ୍ଧକ ରଖୁଛନ୍ତି, ବିକୁଛନ୍ତି

ନୂଆଦିଲ୍ଲୀ: କରୋନା ମହାମାରୀ ସମାଜର ଦୁର୍ବଳ ଶ୍ରେଣୀର ଲୋକମାନଙ୍କ ଆର୍ଥିକ ମେରୁଦଣ୍ଡକୁ ଦୋହଲାଇ ଦେଇଛି। ରୋଜଗାରର ମାଧ୍ୟମ ହରାଇ ବେକାର ‌ହୋଇପଡ଼ିଥିବା ଏହି ପରିବାରଗୁଡ଼ିକର ଶେଷ ଭରସା ହେଉଛି ସୁନା। ନିଜ ପାଖରେ ଥିବା ସୁନାକୁ ବିକ୍ରି କରି ସେମାନେ ଗୁଜୁରାଣ ମେଣ୍ଟାଉଛନ୍ତି। ଗ୍ରାମୀଣ ଭାରତରେ ଏହି ସମସ୍ୟା ଅତ୍ୟନ୍ତ ଜଟିଳ। ବ୍ୟାଙ୍କ ନଥିବା ଅଞ୍ଚଳରେ ଲୋକମାନଙ୍କ ଲାଗି ଟଙ୍କା ଯୋଗାଡ଼ କରିବାର ଏକମାତ୍ର ମାଧ୍ୟମ ହେଉଛି ସୁନା। ଅନ୍ୟଥା ସେମାନଙ୍କୁ ମହାଜନଙ୍କ ଠାରୁ ମୋଟା ଅଙ୍କର ସୁଧ ଦେଇ କରଳ ଆଣିବାକୁ ପଡ଼ିବ। ସେଭଳି ସମସ୍ୟାରେ ନପଡ଼ି ସୁନା ବିକିବାକୁ‌ ସେମାନେ ଅଧିକ ଉଚିତ ମଣୁଛନ୍ତି।

ସ୍ଥାନୀୟ ଲୋକମାନେ ସୁନା ବିକ୍ରି କରୁଥିବାରୁ ସ୍କ୍ରାପ୍ ସୁନା ଯୋଗାଣରେ ବୃଦ୍ଧି ଘଟିଛି। ପୁରୁଣା ସୁନା କିଣୁଥିବା ଦୋକାନିମାନେ ତାହାକୁ ତରଳାଇ ସୁନା ଗହଣା ତିଆରି କରିବା ଲାଗି ଯୋଗାଇ ଦେଉଛନ୍ତି। ଏଥର ସ୍କ୍ରାପ୍ ସୁନା ଯୋଗାଣ ୨୧୫ ଟନ୍‌ରୁ ଅଧିକ ହେବ ବୋଲି ଆକଳନ କରାଯାଇଛି। ବିଗତ ୯ ବର୍ଷ ଭିତରେ ଏହା ହେଉଛି ସର୍ବାଧିକ। ସ୍ଥାନୀୟ ସୁନା ଯୋଗାଣ ବଢ଼ିଥିବାରୁ ଆମଦାନି ହ୍ରାସ ପାଇଛି। କରୋନା ମହାମାରୀର ପ୍ରଥମ ଲହର ପ୍ରଭାବରେ ଜୀବିକା ହରାଇବା ପରେ ଲୋକମାନେ ନିଜ ପାଖରେ ଥିବା ସୁନାକୁ ବନ୍ଧକ ରଖି କିଛି ଦିନ ଚଳିବାକୁ ପ୍ରୟାସ କରିଥିଲେ।

ଚଳିତ ବର୍ଷ ଦ୍ବିତୀୟ ଲହର ଦେଖାଦେବା ପରେ ପୁଣି ଛଟେଇ ଓ ଜୀବିକା ହରାଇବା ସଙ୍କଟ ଦେଖାଇଛି। ତେଣୁ ଲୋକମାନେ ଏଥର ସୁନା ବିକ୍ରି କରିବାକୁ ବାଧ୍ୟ ହେଉଛନ୍ତି। କିଛି ମାସ ପରେ ତୃତୀୟ ଲହର ଆସିବାର ଆଶଙ୍କା ରହିଥିବାରୁ ଆସନ୍ତା ଅଗଷ୍ଟ ଓ ସେପ୍ଟେମ୍ବରରେ ଲୋକମାନେ ବିପୁଳ ପରିମାଣର ସୁନା ବିକିବାକୁ ବାଧ୍ୟ ହୋଇପାରନ୍ତି ବୋଲି ବିଶେଷଜ୍ଞମାନେ କହିଛନ୍ତି। ବହୁ ବର୍ଷ ସଂଘର୍ଷ କରିବା ପରେ ଦାରିଦ୍ର୍ୟ କବଳରୁ ମୁକ୍ତି ପାଇଥିବା ଲକ୍ଷ ଲକ୍ଷ ଲୋକ ଜୀବିକା ହରାଇ ପୁଣି ସଙ୍କଟରେ ପଡ଼ିଯାଇଛନ୍ତି। କାମଧନ୍ଦା ଅଭାବରୁ ୨୦ ‌କୋଟି ଲୋକ ଏଭଳି କାମ କରିବାକୁ ବାଧ୍ୟ ହେଉଛନ୍ତି ଯେଉଁଥିରେ ସେମାନଙ୍କୁ ୫ ଡଲାରର ସର୍ବନିମ୍ନ ମଜୁରି ମଧ୍ୟ ମିଳୁନାହିଁ।

ଲୋକମାନେ ବିପୁଳ ପରିମାଣର ସୁନା ବନ୍ଧକ ରଖିଥିବାର ଆଉ ଏକ ପ୍ରମାଣ ହେଉଛି ମଣପୁରମ୍ ଫାଇନାନ୍ସ ନିଲାମ କରିଥିବା ସୁନା ତଥ୍ୟ। ଏହା ତିନି ମାସରେ ୪୦୪ କୋଟି ଟଙ୍କାର ସୁନା ନିଲାମ କରିଛି। ଏହାର ପୂର୍ବ ୯ ମାସରେ କଂପାନି ମାତ୍ର ୮ କୋଟି ଟଙ୍କାର ସୁନା ନିଲାମ କରିଥିଲା। ମଣପୁରମ୍‌ରେ ସୁନା ବନ୍ଧକ ରଖୁଥିବା ଲୋକମାନଙ୍କ ମଧ୍ୟରୁ ଅଧିକାଂଶ ହେଉଛନ୍ତି ଦିନ ମଜୁରିଆ, କ୍ଷୁଦ୍ର ଉଦ୍ୟୋଗୀ ଏବଂ ଚାଷୀ। ସେମାନେ ନେଇଥିବା ଋଣ ଶୁଝିବାକୁ ଟଙ୍କା ଯୋଗାଡ଼ କରିପାରୁନାହାନ୍ତି।

ଦକ୍ଷିଣ ଭାରତରେ ସୁନା ପ୍ରତି ଲୋକମାନଙ୍କ ବି‌ଶେଷ ଆଗ୍ରହ ରହିଛି। ସେଠାକାର ଲୋକମାନଙ୍କ ପାଖରେ ଅଧିକ ମାତ୍ରାରେ ପୁରୁଣା ସୁନା ରହିଛି। ଲକ୍‌ଡାଉନ୍ କଟକଣା କୋହଳ ହେବା ପରେ ଦକ୍ଷିଣ ଭାରତୀୟ ରାଜ୍ୟଗୁଡ଼ିକରେ ସୁନା ଦୋକାନରେ ପ୍ରବଳ ଭିଡ଼ ହୋଇଥିଲା। ଏହା ପଛରେ ଦୁଇଟି କାରଣ ରହିଛି। ପ୍ରଥମ କାରଣଟି ହେଉଛି ବିବାହ ଲାଗି ଲୋକମା‌ନେ ସୁନା କିଣିବାକୁ ଆସୁଥିଲେ। ଦ୍ବିତୀୟ ବଡ଼ କାରଣଟି ହେଉଛି ବହୁ ଲୋକ ନିଜ ପାଖରେ ଥିବା ପୁରୁଣା ସୁନା ବିକ୍ରି କରିବାକୁ ଦୋକାନରେ ଭିଡ଼ ଲଗାଉଥିଲେ। ବିଶ୍ବ ସୁନା ପରିଷଦ ରିପୋର୍ଟ ଅନୁଯାୟୀ କିଛି ବର୍ଷ ହେଲାଣି ଭାରତୀୟମାନେ ସୁନାରେ ନିବେଶ କମ୍ କରିଛନ୍ତି।

ଏହାର ପ୍ରମୁଖ କାରଣ ହେଉଛି ଲୋକମାନଙ୍କ କ୍ରୟ ଶକ୍ତି ହ୍ରାସ ପାଇଛି। ଅର୍ଥନୈତିକ ଅଭିବୃଦ୍ଧି କମ୍ ରହିବା ଯୋଗୁଁ ଆୟ ସଙ୍କୁଚିତ ହୋଇଛି। ତେଣୁ ସୁନା ଭଳି ଅଣ ଅତ୍ୟାବଶ୍ୟକ ସାମଗ୍ରୀରେ ଲୋକମାନେ ନିବେଶ କରିବାକୁ ଚାହୁନାହାନ୍ତି। ୨୦୨୦ରେ ଯେତିକି ସୁନା ବିକ୍ରି ହୋଇଛି ତାହା ଗତ ଦୁଇ ଦଶନ୍ଧୀ ଭିତରେ ସବୁଠୁ କମ୍ ଥିଲା। କିନ୍ତୁ, ଚଳିତ ବର୍ଷ ସ୍ଥିତିରେ ସୁଧାର ଘଟିଛି। ସୁନା ବିକ୍ରିରେ ୪୦% ବୃଦ୍ଧି ହୋଇଛି।

ସମ୍ବନ୍ଧିତ ଖବର