ନୂଆଦିଲ୍ଲୀ: ଅର୍ଥନୀତିରୁ ୨ ହଜାର ଟଙ୍କିଆ ନୋଟ୍‌ ପ୍ରତ୍ୟାହାର ଘୋଷଣାକୁ ଇତିମଧ୍ୟରେ ୯ ମାସରୁ ଅଧିକ ସମୟ ବିତିଗଲାଣି। ଏହା ସତ୍ତ୍ବେ ଏବେ ବି ଲୋକଙ୍କ ନିକଟରେ ୮୪୭୦ କୋଟି ଟଙ୍କା ମୂଲ୍ୟର ୨ ହଜାର ଟଙ୍କିଆ ‌ନୋଟ୍‌ ରହିଛି। ଫେବ୍ରୁଆରି ୨୯ ସୁଦ୍ଧା ଲୋକଙ୍କ ପାଖରେ ଉପରୋକ୍ତ ମୂଲ୍ୟର ନୋଟ୍‌ ରହିଥିବା ସଂପର୍କରେ ରିଜର୍ଭ ବ୍ୟାଙ୍କ ଆଜି ଘୋଷଣା କରିଛି। ଗତ ବର୍ଷ ମେ ୧୯ରେ ୨ ହଜାର ଟଙ୍କିଆ ନୋଟ୍‌ ପ୍ରତ୍ୟାହାର ସଂପର୍କରେ ଘୋଷଣା ସମୟରେ ଅର୍ଥନୀତିରେ ୩.୫୬ ଲକ୍ଷ କୋଟି ଟଙ୍କା ମୂଲ୍ୟର ୨ ହଜାର ଟଙ୍କିଆ ନୋଟ୍ ଲୋକଙ୍କ ନିକଟରେ ରହିଥିଲା। ‌ଗତ ମେ’ ୧୯ ସୁଦ୍ଧା ପ୍ରଚଳନରେ ଥିବା ସମୁଦାୟ ନୋଟ୍‌ ମଧ୍ୟରୁ ବର୍ତ୍ତମାନ ସୁଦ୍ଧା ୯୭.୬୨ ପ୍ରତିଶତ ଫେରିଛି ‌ବୋଲି ରିଜର୍ଭ ବ୍ୟାଙ୍କ କହିଛି। ଏଥିସହିତ ଏବେ ବି ୨ ହଜାର ଟଙ୍କିଆ ନୋଟ୍‌ ବୈଧ ବୋଲି ରିଜର୍ଭ ବ୍ୟାଙ୍କ କହିଛି। ଉଲ୍ଲେଖଯୋଗ୍ୟ, ଗତ ଅକ୍ଟୋବର ୭ ତାରିଖ ପର୍ଯ୍ୟନ୍ତ ଦେଶର ସବୁ ବ୍ୟାଙ୍କ ଶାଖାରେ ୨ ହଜାର ଟଙ୍କିଆ ନୋଟ୍‌ ଜମା କରିବା ଏବଂ ବଦଳାଇବା ସୁବିଧା ମିଳୁଥିଲା। ଏଥିସହିତ ସେବେଠାରୁ ରିଜର୍ଭ ବ୍ୟାଙ୍କର ୧୯ଟି କାର୍ଯ୍ୟାଳୟରେ ୨ ହଜାର ଟଙ୍କିଆ ବଦଳାଇବା ସୁବିଧା ମିଳୁଛି।

Advertisment

ଲ୍ଲେଖଯୋଗ୍ୟ, ୨୦୧୬ ନଭେମ୍ବରରେ ବିମୁଦ୍ରୀକରଣ ଘୋଷଣା ସମୟରେ ୨ ହଜାର ଟଙ୍କିଆ ନୋଟ୍‌ ପ୍ରଚଳନ କରାଯାଇଥିଲା। ସେତେବେଳେ ପ୍ରଚଳନରେ ଥିବା ୫୦୦ ଏବଂ ୧୦୦୦ ଟଙ୍କିଆ ନୋଟ୍‌କୁ ଅଚଳ ଘୋଷଣା କରି ଦିଆଯାଇଥିଲା। ରିଜର୍ଭ ବ୍ୟାଙ୍କର ସୂଚନା ଅନୁଯାୟୀ, ୨୦୧୮-୧୯ ବର୍ଷରୁ ୨୦୦୦ ଟଙ୍କିଆ ନୋଟ୍‌ ଛପା ବନ୍ଦ କରି ଦିଆଯାଇଛି। ୨୦୨୩ ନଭେମ୍ବର ୩୦ ସୁଦ୍ଧା ପ୍ରଚଳନରେ ୯୭୬୦ କୋଟି ଟଙ୍କା ମୂଲ୍ୟର ୨ ହଜାର ଟଙ୍କିଆ ନୋଟ୍‌ ଥିଲା। ଫେବ୍ରୁଆରି ୨୯ ସୁଦ୍ଧା ଏହା ୮୪୭୦ କୋଟି ଟଙ୍କାକୁ ହ୍ରାସ ପାଇଛି। ତେଣୁ ଉପରୋକ୍ତ ସମୟ ମଧ୍ୟରେ ୧୨୯୦ କୋଟି ଟଙ୍କା ମୂଲ୍ୟର ୨ ହଜାର ଟଙ୍କିଆ ନୋଟ୍‌ ବ୍ୟାଙ୍କିଂ ବ୍ୟବସ୍ଥାକୁ ଫେରିଛି। ଗତବର୍ଷ ମେ ୧୯ ତାରିଖରେ ରିଜର୍ଭ ବ୍ୟାଙ୍କ ପକ୍ଷରୁ ନୋଟ୍‌ ପ୍ରତ୍ୟାହାର ସଂପର୍କରେ ଘୋଷଣା କରାଯାଇଥିଲା। ଲୋକଙ୍କୁ ଏଥିପାଇଁ ବ୍ୟାଙ୍କଗୁଡ଼ିକରେ ପ୍ରଥମେ ସେପ୍ଟେମ୍ବର ୩୦ ଏବଂ ପରେ ଅକ୍ଟୋବର ୭ ପର୍ଯ୍ୟନ୍ତ ଜମା କରିବା ଓ ବଦଳାଇବା ପାଇଁ ସୁଯୋଗ ଦିଆଯାଇଥିଲା।