ଖଣିଜ ଉତ୍ତୋଳନ ହୋଇନଥିଲେ ଲିଜ୍ ବାତିଲ

ଶ୍ୟାମ୍ ଓର୍‌ର ଅନୁମତିପତ୍ର ରଦ୍ଦ, ଜମା, ବ୍ୟାଙ୍କ ଗ୍ୟାରେଣ୍ଟି ବାଜ୍ୟାପ୍ତି

ଭୁବନେଶ୍ୱର: ଖଣି ନିଲାମ ପାଇବାର ୮ମାସ ପରେ ଖଣିଜ ଉତ୍ତୋଳନ ଆରମ୍ଭ କରିନଥିବା ତଥା ବିଗତ ୩ଟି ତ୍ରୈମାସିକରେ ଧାର୍ଯ୍ୟ ଲକ୍ଷ୍ୟର ଉତ୍ତୋଳନ ଓ ଚାଲାଣ କରିନଥିବା ନୂଆ ପଟ୍ଟାଦାରଙ୍କ ଲିଜ୍ ବାତିଲ କରିବାକୁ କେନ୍ଦ୍ର ସରକାର ପ୍ରକ୍ରିୟା ଆରମ୍ଭ କରିଛନ୍ତି । ଗତ ମାର୍ଚ୍ଚ ୩୧ରେ ଲିଜ୍ ମିଆଦ ଶେଷ ହୋଇଥିବା ଓଡ଼ିଶାର ୨୪ଟି କାର୍ଯ୍ୟକ୍ଷମ ଖଣି ସମେତ ଦେଶର ୪୬ଟି ଲୌହ-ମାଙ୍ଗାନିଜ୍ ଖଣିର ଇ-ନିଲାମ ଗତ ଫେବ୍ରୁଆରି ସୁଦ୍ଧା ଶେଷ ହୋଇଥିଲେ ମଧ୍ୟ ଅଧିକାଂଶ ଖଣିରୁ ଏ ପର୍ଯ୍ୟନ୍ତ ଖଣିଜ ଉତ୍ତୋଳନ ଆରମ୍ଭ ହୋଇନାହିଁ। ଚାହିଦା ମୁତାବକ ଖଣିଜ ଉତ୍ପାଦନ ବିନା ଉଭୟ କଞ୍ଚାମାଲର ଦର ପାଖାପାଖି ୪୦%ରୁ ଅଧିକ ବୃଦ୍ଧି ପାଇଲାଣି। ଏକ ପକ୍ଷରେ ଚାହିଦା ମୁତାବକ କଞ୍ଚାମାଲର ଅଭାବ ଓ ଅନ୍ୟ ପକ୍ଷରେ ଏହାର ଚଢ଼ା ଦର ଯୋଗୁଁ ଦେଶରେ ଲୌହ-ଇସ୍ପାତ ଉତ୍ପାଦନ ଯଥେଷ୍ଟ ପ୍ରଭାବିତ ହୋଇଛି।

କଞ୍ଚାମାଲ ସଙ୍କଟ ଯୋଗୁଁ ଦେଶରେ ଲୌହ ଇସ୍ପାତ ଉତ୍ପାଦନ ଗୁରୁତର ଭାବେ ପ୍ରଭାବିତ ହେବା ସହ ଆଭ୍ୟନ୍ତରୀଣ ବଜାରରେ ଇସ୍ପାତ ସାମଗ୍ରୀର ଦର ବୃଦ୍ଧି ଜାରି ରହିଛି। ଫଳରେ ଭିତ୍ତିଭୂମି ଓ ଗୃହ ନିର୍ମାଣ ବସ୍ତୁତଃ ମନ୍ଥର ହୋଇପଡ଼ିଛି। ତେଣୁ ଖଣି କାର୍ଯ୍ୟକଳାପ ଆରମ୍ଭ କରିନଥିବା ନୂଆ ଲିଳଧାରୀଙ୍କ ଲିଜ୍ ବାତିଲ କରିବାକୁ କେନ୍ଦ୍ର ସରକାର ପୂର୍ବରୁ ଚେତାବନୀ ଦେଇଥିଲେ। ଏହା ସତ୍ତ୍ୱେ ଅଧିକାଂଶ ନିଲାମ ଖଣିରୁ ଉତ୍ତୋଳନ ଆରମ୍ଭ ନହେବାରୁ କଞ୍ଚାମାଲ ସଙ୍କଟ ଗୁରୁତର ହେବାରେ ଲାଗିଛି। ଏଭଳି ସଙ୍କଟର ସମାଧାନ ଲାଗି କେନ୍ଦ୍ର ସରକାର ଶେଷରେ ଖଣିଜ ରିହାତି ନିୟମ (ଏମସିଆର)-୧୯୬୦ର ଧାରା ୧୨-ଏରେ ଆବଶ୍ୟକ ସଂଶୋଧନ ସହ କଠୋର ସର୍ତ୍ତାରୋପ ନିମନ୍ତେ ଚିଠା ପ୍ରସ୍ତୁତ କରିଛନ୍ତି। ପ୍ରସ୍ତାବିତ ସଂଶୋଧନ ଆଧାରରେ ଖଣିଜ ଉତ୍ତୋଳନ ଓ ଚାଲାଣ ନିମନ୍ତେ ଲକ୍ଷ୍ୟ ଧାର୍ଯ୍ୟ କରାଯିବ। ଯେଉଁ ଖଣି ସଂସ୍ଥା କ୍ରମାଗତ ୩ଟି ତ୍ରୈମାସିକରେ ଧାର୍ଯ୍ୟ ଲକ୍ଷ୍ୟର ଖଣିଜ ଉତ୍ତୋଳନ ଓ ଚାଲାଣରେ ବିଫଳ ହେବେ, ସେମାନଙ୍କଠାରୁ ସେହି ଅନୁପାତରେ ରାଜସ୍ବ ଅସୁଲ କରାଯିବ ଓ ପରିଶେଷରେ ସେମାନଙ୍କ ଲିଜ୍ ବାତିଲ ପାଇଁ ବ୍ୟବସ୍ଥା ରହିବ। ପ୍ରସ୍ତାବିତ ସଂଶୋଧନ ସମ୍ପର୍କରେ କେନ୍ଦ୍ର ସରକାର ଇତିମଧ୍ୟରେ ସମ୍ପୃକ୍ତ ବିଭିନ୍ନ ପକ୍ଷଙ୍କଠାରୁ ମତାମତ ଲୋଡ଼ିଛନ୍ତି। ତେବେ ସଂସଦ କିମ୍ବା ବିଧାନସଭାର ଅନୁମୋଦନକୁ ଅପେକ୍ଷା ନକରି ସରକାର ଏମ୍‌ସିଆର୍‌-୧୯୬୦ରେ ଉପରୋକ୍ତ ସଂଶୋଧନ ପ୍ରସ୍ତାବକୁ ଅଧ୍ୟାଦେଶ ବଳରେ କାର୍ଯ୍ୟକାରୀ କରିବାକୁ ଚିନ୍ତା କରୁଥିବା ବିଶ୍ୱସ୍ତ ସୂତ୍ରରୁ ଜଣାପଡ଼ିଛି।

ଗତ ଜାନୁଆରି-ଫେବ୍ରୁଆରିରେ ନିଲାମ ଚୂଡ଼ାନ୍ତ ହୋଇଥିବା ଓଡ଼ିଶାର ୨୪ଟି ଲୌହ-ମାଙ୍ଗାନିଜ୍ ଖଣି ମଧ୍ୟରୁ ନୂଆ ଲିଲଧାରୀମାନେ ମାତ୍ର ୮ଟି ଖଣିରୁ ଯଥାକଥା ଉତ୍ତୋଳନ ଆରମ୍ଭ କରିଥିଲେ ମଧ୍ୟ ସେମାନଙ୍କ ତ୍ରୈମାସିକ ଉତ୍ପାଦନ ଧାର୍ଯ୍ୟ ଲକ୍ଷ୍ୟଠାରୁ ଯଥେଷ୍ଟ ନିମ୍ନରେ। ଏଭଳି ପରିସ୍ଥିତିରେ ଦେଶରେ ଲୁହାପଥର ଚାହିଦାର ଅର୍ଦ୍ଧାଧିକ ପୂରଣ କରୁଥିବା ଓଡ଼ିଶାର ଲୁହାପଥର ଉତ୍ତୋଳନ ୧୨ କୋଟି ଟନ୍ ବଦଳରେ ଗତ ଡିସେମ୍ବର ସୁଦ୍ଧା ୯ କୋଟି ଟନ୍, ଅର୍ଥାତ ୨୫% କମିଛି। ଚଳିତ ଆର୍ଥିକ ବର୍ଷ ଶେଷ ସୁଦ୍ଧା ଲୁହାପଥର ଉତ୍ପାଦନକୁ ନିହାତି ୧୨ କୋଟି ଟନ୍‌ରେ ପହଞ୍ଚାଇବା ଲକ୍ଷ୍ୟରେ ଓଡ଼ିଶା ସରକାର ଇତିମଧ୍ୟରେ ନୂଆ ଲିଜଧାରୀମାନଙ୍କୁ ଜରିମାନା ଧମକ ଦେବା ଆରମ୍ଭ କରିଛନ୍ତି। ଅନ୍ୟ ପକ୍ଷରେ ଯୋଡ଼ା ଖଣି ମଣ୍ଡଳର ଜିଲିଂ ଲଙ୍ଗଲୋଟା ଲୁହାପଥର ଖଣିକୁ ବଜାର ଦରର ୧୩୫% ମୂଲ୍ୟ ଦର୍ଶାଇ ଇ-ନିଲାମ ନେଇଥିବା ଝାଡ଼ଖଣ୍ଡର ଶ୍ୟାମ୍ ଓର୍ ପ୍ରାଇଭେଟ୍ ଲିମିଟେଡ୍‌ର ଅନୁମତିପତ୍ର (ଭେଷ୍ଟିଂ ଅର୍ଡ଼ର୍) ଓ କମ୍ପାନି ଦେଇଥିବା ଆଗ୍ରହ ପତ୍ର (ଲେଟର ଅଫ୍ ଇଣ୍ଟେଣ୍ଟ୍)କୁ ବାତିଲ କରିଛନ୍ତି। ମିଳିଥିବା ସୂଚନା ଅନୁସାରେ ଏହି ସଂସ୍ଥା ଅଦ୍ୟାବଧି ଖଣି କାର୍ଯ୍ୟକଳାପ ଆରମ୍ଭ କରିନଥିବା ବେଳେ ଧାର୍ଯ୍ୟ ସମୟ ମଧ୍ୟରେ ନିଲାମ ପରବର୍ତ୍ତୀ ବୈଧାନିକ ସର୍ତ୍ତ ପୂରଣ କରିନଥିବାରୁ ସଂସ୍ଥା ୩ଟି କିସ୍ତିରେ ଦାଖଲ କରିଥିବା ୯୦ କୋଟି ୬୦ ଲକ୍ଷ ୧୩,୮୫୨ ଟଙ୍କା ଓ ସମପରିମାଣର ବ୍ୟାଙ୍କ ଗ୍ୟାରେଣ୍ଟିକୁ ବାଜ୍ୟାପ୍ତି ପାଇଁ ଗତ ଡିସେମ୍ବର ୨୨ରେ ଆଦେଶ ଜାରି କରିଛନ୍ତି। ରାଜ୍ୟ ସରକାରଙ୍କ ଏହି କାର୍ଯ୍ୟାନୁଷ୍ଠାନକୁ ସଂସ୍ଥା କୋର୍ଟରେ ଚ୍ୟାଲେଞ୍ଜ କରିବା ସମ୍ଭାବନା ଥିବାରୁ ଜିଲିଂ ଲୁହାପଥର ଖଣିରୁ କେବେ ଉତ୍ତୋଳନ ଆରମ୍ଭ ହେବ, ତାହା ଅନିଶ୍ଚିତ।

ସମ୍ବନ୍ଧିତ ଖବର