ବିଶ୍ୱର ୫ମ ବୃହତ୍ତମ ହୀରା ୪୦ ନିୟୁତ ଡଲାରରେ ବିକ୍ରି

ଅଣ୍ଟଓ୍ଵର୍ପ (ବେଲଜିୟମ) : ବେଲଜିୟମର ଅଣ୍ଟଓ୍ଵର୍ପ ସହରରେ ନିଲାମ ହୋଇଛି ବିଶ୍ୱର ୫ମ ବୃହତ୍ତମ ହୀରା । ୯୧୦ କ୍ୟାରେଟର ଏହି ହୀରା ଲେସୋଥୋ ଲିଜେଣ୍ଡକୁ ୪୦ ନିୟୁତ ଡଲାରରେ ବିକ୍ରି କରାଯାଇଛି । ଏହି ହୀରା ଆଫ୍ରିକୀୟ ଦେଶ ଲେସୋଥୋର ଲେଟସେଙ୍ଗ ହୀରା ଖଣିରୁ ଆବିଷ୍କାର କରାଯାଇଥିଲା । ଏହାର ଆକାର ପ୍ରାୟ ଦୁଇଟି ଗଲ୍ଫ ବଲ୍‌ ସହ ସମାନ ହେବ । ଜେମ ଡାଇମଣ୍ଡ ଦ୍ୱାରା ଏହି ହୀରାକୁ ବିକ୍ରି କରାଯାଇଛି । ଏହି ହୀରା ର ଆବିଷ୍କାର ଫଳରେ ଜେମ ଡାଇମଣ୍ଡ କମ୍ପାନିର ସେୟାର ମୂଲ୍ୟ ପ୍ରାୟ ୧୩ ପ୍ରତିଶତ ବୃଦ୍ଧି ପାଇଛି । ଏହି ହୀରା ହେଉଛି ବିଶ୍ୱରେ ଏପର୍ଯ୍ୟନ୍ତ ବାହାରିଥିବା ସବୁ ହୀରାମଧ୍ୟରେ ୫ମ ବୃହତ୍ତମ ହୀରା ଓ ଉକ୍ତ ଲେଟସେଙ୍ଗ ହୀରା ଖଣିରୁ ବାହାରିଥିବା ବୃହତ୍ତମ ହୀରା । କେବଳ ଏହି ହୀରା ନୁହେଁ କମ୍ପାନି ପକ୍ଷରୁ ବିଗତ କିଛି ବର୍ଷ ମଧ୍ୟରେ ଆହୁରି କିଛି ହୀରାର ଆବିଷ୍କାର କରାଯାଇଥିଲା । ବିଗତ ୧୦୦ ବର୍ଷ ମଧ୍ୟରେ ଆବିଷ୍କାର କରାଯାଇଥିବା ବୃହତ୍ତମ ହୀରା ହେଉଛି ଲେସେଡି ଲା ରୋନା । ଏହାର ଓଜନ ପ୍ରାୟ ୧୧୦୯ କ୍ୟାରେଟ୍‌ । ଏହାକୁ ବତସ୍ୱାନାର କାରୋେଓ୍ଵ ଖଣିରୁ ଆବିଷ୍କାର କରାଯାଇଥିଲା । ଏହାକୁ ଲୁକାରା ଡାଇମଣ୍ଡ ନାମକ ହୀରା କମ୍ପାନି ପକ୍ଷରୁ ଆବିଷ୍କାର କରାଯାଇଥିଲା ।

ସମ୍ବନ୍ଧିତ ଖବର