ଆଧୁନିକୀକରଣ ପାଣ୍ଠି ପାଇଁ ପ୍ରତିରକ୍ଷା ବିଭାଗ ଜମି ବିକ୍ରି ଏକମାତ୍ର ବିକଳ୍ପ!

ଚିଠା ପ୍ରସ୍ତାବ ଉପରେ ଚାଲିଛି ବିଚାରବିମର୍ଶ

ନୂଆଦିଲ୍ଲୀ: ସେନାର ଆଧୁନିକୀକରଣ ପାଇଁ ଏକ ସ୍ବତନ୍ତ୍ର ପାଣ୍ଠି (ନନ୍‌ ଲାପ୍‌ସେବଲ୍‌ ମର୍ଡର୍ଣ୍ଣାଇଜେସନ୍ ଫଣ୍ଡ) ଗଠନ କରିବାକୁ ପଞ୍ଚଦଶ ଅର୍ଥ ଆାୟୋଗ ସୁପାରିସ କରିଛି। ଅର୍ଥ ଆୟୋଗର ଏହି ସୁପାରିସକୁ ମଧ୍ୟ ସରକାର ଆପାତତଃ ଗ୍ରହଣ କରି ସାରିଛନ୍ତି। ତେବେ ଏହି ପାଣ୍ଠି ପାଇଁ ଅର୍ଥ ଯୋଗାଡ଼ କରିବାର ଏକମାତ୍ର ବିକଳ୍ପ ପ୍ରତିରକ୍ଷା ବିଭାଗର ଜମି ବିକ୍ରି ବୋଲି ଅର୍ଥ ମନ୍ତ୍ରାଳୟ କହୁଛି। ଏକ ସୂତ୍ରରୁ ଜଣାଯାଇଛି ଏହି ପାଣ୍ଠି ଗଠନ ପାଇଁ କ୍ୟାବିନେଟ୍‌ ଚିଠା ପ୍ରସ୍ତାବ ପ୍ରସ୍ତୁତ ହୋଇଛି। ବର୍ତ୍ତମାନ ଏହା ଉପରେ ଅନ୍ତଃ ମନ୍ତ୍ରାଳୟ ସ୍ତରରେ ବିଚାରବିମର୍ଶ ଚାଲିଛି। ଖୁବଶୀଘ୍ର ଏ ନେଇ ଚୂଡ଼ାନ୍ତ ନିଷ୍ପତ୍ତି ନିଆଯିବ। ଏହାପରେ ଉକ୍ତ ପ୍ରସ୍ତାବକୁ କ୍ୟାବିନେଟ୍‌ରେ ଉପସ୍ଥାପନ କରାଯିବ।

ଏଥିସହିତ ପ୍ରତିରକ୍ଷା ବିଭାଗ ଅଧୀନରେ ବିକ୍ରି ପାଇଁ କେତେ ବଳକା ଜମି ରହିଛି ତାହାର ଆକଳନ କରିବା ନିମନ୍ତେ କଣ୍ଟ୍ରୋଲର ଜେନେରାଲ ଅଫ୍ ଡିଫେନ୍ସ ଆକାଉଣ୍ଟସ (ସିଜିଡିଏ) ଏବଂ ପ୍ରତିରକ୍ଷା ଇଷ୍ଟେଟର ମହାନିର୍ଦ୍ଦେଶକଙ୍କୁ ଦାୟିତ୍ବ ଦିଆଯାଇଛି। ଉକ୍ତ ପାଣ୍ଠି ଗଠନ ପାଇଁ ବିଭିନ୍ନ ସୂତ୍ରରୁ ଅର୍ଥ ସଂଗ୍ରହ କରିବା ଲାଗି ଅର୍ଥ ଆୟୋଗ ପରାମର୍ଶ ଦେଇଥିଲା। ଏଥିରେ ପ୍ରତିରକ୍ଷା କ୍ଷେତ୍ରର ଉଦ୍ୟୋଗଗୁଡ଼ିକର ଘରୋଇକରଣ, ପ୍ରତିରକ୍ଷା ବିଭାଗର ଜମିରୁ ସଂଗୃହୀତ ଅର୍ଥ ଆଦି ରହିଥିଲା। ତେବେ ସରକାରୀ ସ୍ତରରେ କିଛି ବର୍ଷ ପାଇଁ ପ୍ରତିରକ୍ଷା ସେସ୍‌ ଲାଗୁ କରିବା, ବଣ୍ଡ୍‌ ଜାରି କରିବା, ପ୍ରତିରକ୍ଷା ସାମଗ୍ରୀ ରପ୍ତାନି ବାବଦ ଅର୍ଥ ଆଦି ଉପରେ ବିଚାରବିମର୍ଶ ହୋଇଥିଲା। କିନ୍ତୁ ଏସବୁ ବିକଳ୍ପ ରାଜସ୍ବ ସଂଗ୍ରହ ପ୍ରସ୍ତାବଗୁଡ଼ିକୁ ପାଣ୍ଠି ଗଠନ ପାଇଁ ଗ୍ରହଣ କରାଯାଇ ନପାରେ। କାରଣ ଅର୍ଥ ମନ୍ତ୍ରାଳୟ କେବଳ ପ୍ରତିରକ୍ଷା ବିଭାଗର ଜମି ବିକ୍ରିରୁ ସଂଗୃହୀତ ଅର୍ଥରେ ଏହି ପାଣ୍ଠି ଗଠନ ପାଇଁ ସୁପାରିସ କରିଛି। ପ୍ରତିରକ୍ଷା ବିଭାଗର ଜମି ବିକ୍ରିରୁ ଯେଉଁ ଅର୍ଥ ଆସିବ ତାହାକୁ ସଂଗଠିତ ପାଣ୍ଠିରେ ରଖାଯିବ। ସେଥିରୁ ଅଧା ଅର୍ଥ ପ୍ରତିବର୍ଷ ଆଧୁନିକୀକରଣ ପାଇଁ ଗଠନ ହେବାକୁ ଥିବା ସ୍ବତନ୍ତ୍ର ପାଣ୍ଠିକୁ ସ୍ଥାନାନ୍ତର ହେବ। ତେବେ ଜଣେ ବରିଷ୍ଠ ସରକାରୀ ଅଧିକାରୀ କହିଛନ୍ତି ଯେ କେବଳ ପ୍ରତିରକ୍ଷା କ୍ଷେତ୍ରର ଜମି ବିକ୍ରି କରି ଯେଉଁ ଅର୍ଥ ମିଳିବ ସେଥିରେ ଉକ୍ତ ପାଣ୍ଠି ଚଳାଇବା ସମ୍ଭବ‌ ହେବନାହିଁ। ଅନ୍ୟ ସୂତ୍ରରୁ ଏଥିପାଇଁ ରାଜସ୍ବ ଆବଶ୍ୟକ। ଏତଦ୍‌ବ୍ୟତୀତ ଆଧୁନିକୀକରଣ ପାଣ୍ଠି ପ୍ରତିରକ୍ଷା କ୍ଷେତ୍ରର ତିନି ବିଭାଗ ପାଇଁ ଯଦିଓ ବ୍ୟୟ ହେବ ଅଧିକାଂଶ ଜମି ସ୍ଥଳସେନା ନିକଟରେ ରହିଛି।

ସମ୍ବନ୍ଧିତ ଖବର