ଭୁବନେଶ୍ବର: ଭାରତୀୟ ଜୀବନ ବୀମା ନିଗମ (ଏଲ୍‌ଆଇସି)ର ବରିଷ୍ଠ ପରିଚାଳନା ନିର୍ଦ୍ଦେଶକ (ଏମ୍‌ଡି) ସିଦ୍ଧାର୍ଥ ମହାନ୍ତି ଦୁଇଦିନିଆ ଓଡ଼ିଶା ଗସ୍ତରେ ଆସିଛନ୍ତି। ଏହି ଅବସରରେ ସର୍ବ ଭାରତୀୟ ଏଲ୍‌ଆଇସି ଅବସରପ୍ରାପ୍ତ ପ୍ରଥମ ଶ୍ରେଣୀ ଅଫିସର ସଂଘ ଓଡ଼ିଶା ଶାଖା ପକ୍ଷରୁ କଟକଠାରେ ତାଙ୍କୁ ସମ୍ବର୍ଦ୍ଧନା ଦିଆଯିବା ସହିତ ସାକ୍ଷାତ ଆଲୋଚନା କରାଯାଇଛି।

Advertisment

ଆଲୋଚନା ବେଳେ ତାଙ୍କୁ ସଂଘ ପକ୍ଷରୁ ୭ ଦଫା ସମ୍ବଳିତ ଦାବିପତ୍ର ପ୍ରଦାନ କରାଯାଇଛି। କଟକର ନେତୃବୃନ୍ଦଙ୍କ ମଧ୍ୟରୁ ତ୍ରିଲୋଚନ ମିଶ୍ର, ଗଣେଶ କୁଣ୍ଡୁ, ଜ୍ୟୋତିଷ ରାୟ ଆଲୋଚନାରେ ଭାଗନେଇ ୧୯୯୮ ମସିହାରୁ ଚାଲି ଆସୁଥିବା ପେନସନ୍ ବ୍ୟବସ୍ଥାରେ ସଂସ୍କାର, ଫ୍ୟାମିଲି ପେନସନ୍‌ରେ ସୁଧାର, ବରିଷ୍ଠ ପେନସନଭୋଗୀଙ୍କ ପାଇଁ ପ୍ରତି ୫ ବର୍ଷରେ ପେନସନ ରାଶି ବୃଦ୍ଧି, ବାର୍ଷିକ ସ୍ବାସ୍ଥ୍ୟ ପରୀକ୍ଷା ପାଇଁ ଉତ୍ତମ ବ୍ୟବ୍ୟସ୍ଥା, ବାଲେଶ୍ବରଠାରେ ଏକ ନୂତନ ମଣ୍ଡଳ କାର୍ଯ୍ୟାଳୟ ଏବଂ ଭୁବନେଶ୍ବରଠାରେ ଏକ ଜୋନାଲ ଅଡିଟ୍ କେନ୍ଦ୍ରର ଶୁଭାରମ୍ଭ ଆଦି ଦାବି ଉପସ୍ଥାପିତ କରିଥିଲେ। ଦାବିଗୁଡ଼ିକୁ ଏମ୍‌ଡି ଶ୍ରୀ ମହାନ୍ତି ଧୈର୍ଯ୍ୟର ସହ ଶୁଣିବା ସହିତ ଉପଯୁକ୍ତ ଫୋରମ୍‌ରେ ଉପସ୍ଥାପିତ କରିବେ ବୋଲି ପ୍ରତିଶ୍ରୁତି ଦେଇଛନ୍ତି। କଟକ ମଣ୍ଡଳର ବରିଷ୍ଠ ମଣ୍ଡଳ ପ୍ରବନ୍ଧକ ଅନନ୍ତ ଭୂଷଣ ରଥ ମଧ୍ୟ ଉକ୍ତ ସାକ୍ଷାତ ଆଲୋଚନା ଅବସରରେ ଉପସ୍ଥିତ ଥିଲେ।