ମେ’ ୧୨ ସୁଦ୍ଧା ଆସିପାରେ ଏଲ୍‌ଆଇସି ଆଇପିଓ: ଷ୍ଟକ ବଜାର ସ୍ଥିର ହେଲେ ଆସିବ, ସ୍ଥିତି ଉପରେ ସରକାରଙ୍କ ନଜର

ନୂଆଦିଲ୍ଲୀ: ସରକାରୀ ବୀମା କଂପାନି ଏଲ୍‌ଆଇସିର ଇନିସିଆଲ ପବ୍ଲିକ ଅଫର (ଆଇପିଓ)କୁ ନେଇ ନିବେଶକମାନଙ୍କ ମଧ୍ୟରେ ପ୍ରବଳ ଉତ୍କଣ୍ଠା ରହିଥିବା ବେଳେ ୟୁକ୍ରେନ ଉପରେ ରୁଷର ଆକ୍ରମଣ ଏହାକୁ ଅନିଶ୍ଚିତତା ମଧ୍ୟକୁ ଠେଲି ଦେଇଛି। ତଥାପି ଏହି ଆଇପିଓ ଆଣିବା ଲାଗି ସରକାରଙ୍କ ପାଖରେ ମେ’ ୧୨ ପର୍ଯ୍ୟନ୍ତ ସମୟ ରହିଛି। ଏଲ୍‌ଆଇସିର ୫% ଅଂଶଧନ ବିକ୍ରି କରି ୬୦ ହଜାର କୋଟି ଟଙ୍କା ଯୋଗାଡ଼ କରିବାକୁ ସରକାର ଲକ୍ଷ୍ୟ ରଖିଛନ୍ତି। ଚଳିତ ବର୍ଷ ମାର୍ଚ୍ଚ ଶେଷ ସୁଦ୍ଧା ଏହି ଆଇପିଓ ଜାରି କରିବାର ଯୋଜନା ଥିଲା। କିନ୍ତୁ ଯୁଦ୍ଧ ସବୁ ଯୋଜନାକୁ ବିଗାଡ଼ି ଦେଇଛି।

ଆଇପିଓ ଲାଗି ସରକାର ପୁଞ୍ଜି ବଜାରର ନିୟାମକ ସଂସ୍ଥା ସେବି ପାଖରେ ଫେବ୍ରୁଆରି ୧ରେ ଚିଠା ପ୍ରୋସ୍‌ପେକ୍ଟସ୍ ଦାଖଲ କରିଥିଲେ ଯାହାକୁ ଗତ ସପ୍ତାହରେ ମଞ୍ଜୁରି ମିଳିଛି। ସେଥିରେ ଉଲ୍ଲେଖ ରହିଛି ଯେ ମେ’ ୧୨ ଭିତରେ ଆଇପିଓ ଜାରି କରିବା ଲାଗି ସରକାରଙ୍କ ପାଖରେ ସମୟ ରହିଛି। ବର୍ତ୍ତମାନ ବଜାର ସ୍ଥିତି ଉପରେ ନଜର ରଖାଯାଇଛି। ଖୁବ୍‌ଶୀଘ୍ର କଂପାନିର ସେୟାର ପିଛା ମୂଲ୍ୟ କେତେ ରହିବ ସେ ସଂକ୍ରାନ୍ତ ପ୍ରସ୍ତାବ ଦାଖଲ କରାଯିବ ବୋଲି ଜଣାପଡ଼ିଛି। ଯଦି ନିର୍ଧାରିତ ସମୟ ଭିତରେ ଷ୍ଟକ ବଜାରରେ ପ୍ରବେଶ କରିବାରେ ଏଲ୍‌ଆଇସି ବିଫଳ ହେବ ତେବେ ପୁଣି ଥରେ ଏହାକୁ ସେବି ନିକଟରେ ଆବେଦନ କରିବାକୁ ପଡ଼ିବ। ସେତେବେଳେ ଆଉ ଥରେ କଂପାନି ସମ୍ପର୍କିତ ସମସ୍ତ ବିବରଣୀ ଦେବାକୁ ପଡ଼ିବ। ଏବେ ୨୦୨୧ ସେପ୍ଟେମ୍ବର ସୁଦ୍ଧା ଶେଷ ତ୍ରୟମାସ ପର୍ଯ୍ୟନ୍ତର କାରବାର ତଥ୍ୟକୁ ସେବି ନିକଟରେ ଦାଖଲ କରାଯାଇଛି। ମେ’ ୧୨ ଭିତରେ ଆଇପିଓ ଜାରି ନହେଲେ ନୂଆ ତଥ୍ୟ ଦେବାକୁ ପଡ଼ିବ।

ଏଲ୍‌ଆଇସି ବିକ୍ରି କରିବାକୁ ଥିବା ସେୟାରର ୩୫% ଖୁଚୁରା ନିବେଶକମାନଙ୍କୁ ଆବଣ୍ଟନ କରିବ। ଅର୍ଥାତ ସାଧାରଣ ନିବେଶକଙ୍କ ଜରିଆରେ ସରକାର ୨୦ ହଜାର କୋଟି ଟଙ୍କା ଯୋଗାଡ଼ କରିବାକୁ ଲକ୍ଷ୍ୟ ରଖିଛନ୍ତି। ଏହି ଆଇପିଓକୁ ଦେଶର ଷ୍ଟକ ବଜାର ଇତିହାସର ସର୍ବବୃହତ ଇସ୍ୟୁ ବୋଲି କୁହାଯାଉଛି। ଷ୍ଟକ ବଜାରରେ ପ୍ରବେଶ କରିବା ପରେ ଏଲ୍‌ଆଇସିର ମୂଲ୍ୟକୁ ରିଲାଏନ୍ସ ଇଣ୍ଡଷ୍ଟ୍ରିଜ୍ ଓ ଟିସିଏସ୍‌ ସହ ତୁଳନା କରାଯିବ।

ଆଇପିଓ ଜରିଆରେ ସର୍ବାଧିକ ପାଣ୍ଠି ଯୋଗାଡ଼ କରିବାର ‌ରେକର୍ଡ ପେଟିଏମ୍ ନାମରେ ରହିଛି। ଏହା ୨୦୨୧ରେ ୧୮,୩୦୦ କୋଟି ଟଙ୍କା ମୂଲ୍ୟର ଆଇପିଓ ଜାରି କରିଥିଲା। ୨୦୧୦ରେ କୋଲ୍‌ ଇଣ୍ଡିଆ ୧୫,୫୦୦ କୋଟି ଟଙ୍କା ଓ ରିଲାଏନ୍ସ ପାୱାର ୧୧,୭୦୦ କୋଟି ଟଙ୍କାର ଆଇପିଓ ଆଣିଥିଲା। ଏଲ୍‌ଆଇସି ଯଦି ୬୦ ହଜାର କୋଟି ଟଙ୍କାର ଆଇପିଓ ଆଣିବ ତେବେ ତାହା ପୂର୍ବର ସବୁ ରେକର୍ଡକୁ ଭାଙ୍ଗିଦେବ।

ସମ୍ବନ୍ଧିତ ଖବର