ପେଟ୍ରୋଲ୍‌ ଦରରେ ପଡ଼ିଥିବା ତାଲା ଖୋଲିଲା, ୮୩ ଦିନ ପରେ ଦେଶବ୍ୟାପୀ ବଢ଼ିଲା ଦର

ପେଟ୍ରୋଲ ୬୩ ପଇସା, ଡିଜେଲ ୬୧ ପଇସା ମହଙ୍ଗା

ଭୁବନେଶ୍ବର: ଦୀର୍ଘ ୮୩ ଦିନ ପରେ ସରକାରୀ ତେଲ କମ୍ପାନି ଗୁଡ଼ିକ ଆଜି ‌ପେଟ୍ରୋଲ ଓ ଡିଜେଲ ଦର ବୃଦ୍ଧି କରିଛନ୍ତି। ପେଟ୍ରୋଲ ଦର ଲିଟର ପିଛା ୬୩ ପଇସା ଓ ଡିଜେଲ ଦର ୬୧ ପଇସା ବୃଦ୍ଧି ଘଟିଛି। ପେଟ୍ରୋଲ ଓ ଡିଜେଲ ଦର ଯଥାକ୍ରମେ ୭୨ ଟଙ୍କା ୩୨ ପଇସା ଓ ୬୮ ଟଙ୍କା ୩୧ ପଇସାକୁ ବୃଦ୍ଧି ଘଟିଛି। ଦେଶରେ କରୋନା ମହାମାରୀ ପାଇଁ ଲକ୍‌ଡାଉନ୍‌ ଘୋଷଣା ହେବା ପୂର୍ବରୁ ତେଲ ଦରର ଦୈନିକ ସଂଶୋଧନ ବନ୍ଦ ହୋଇଯାଇଥିଲା। ଶେଷ ଥର ପାଇଁ ତେଲ କମ୍ପାନି ଗୁଡ଼ିକ ପେଟ୍ରୋଲ ଓ ଡିଜେଲ ଦର ମାର୍ଚ୍ଚ ୧୬ ତାରିଖରେ କମାଇଥିଲେ। ‌ପେଟ୍ରୋଲ ଦର ଲିଟର ପିଛା ୧୫ ପଇସା ଓ ଡିଜେଲ ଦର ୧୭ ପଇସା କମିଥିଲା। କିନ୍ତୁ ତାହା ପରଠାରୁ ତେଲ କମ୍ପାନି ଗୁଡ଼ିକ ସେମାନଙ୍କ ତରଫରୁ ଦରରେ କୌଣସି ପରିବର୍ତ୍ତନ ଆଣି ନଥିଲେ।

କିନ୍ତୁ ଅନ୍ତର୍ଜାତୀୟ ବଜାରରେ ଅଶୋଧିତ ତେଲ ଦର କମିବା ସମୟରେ କେନ୍ଦ୍ର ସରକାର ଏହାର ସମ୍ପୂର୍ଣ୍ଣ ଫାଇଦା ନେଇଥିଲେ। ପେଟ୍ରୋଲ ଓ ଡିଜେଲ ଉପରେ ଉତ୍ପାଦନ ଶୁଳ୍କ ଓ ସେସ୍ ମାତ୍ରାଧିକ ବଢ଼ାଇଥିଲେ। ପେଟ୍ରୋଲ ଉପରେ ଲିଟର ପିଛା ୧୦ ଟଙ୍କା ଏବଂ ଡିଜେଲ ଉପରେ ୧୩ ଟଙ୍କାର ଶୁଳ୍କ ବଢ଼ାଇ ଦେଇଥିଲେ। ‌କିନ୍ତୁ ତୈଳ କମ୍ପାନି ଗୁଡ଼ିକ ଏହାର ବୋଝ ଗ୍ରାହକଙ୍କ ଉପରେ ଲଦିବାରୁ ବିରତ ରହିଥିଲେ। ଅଶୋଧିତ ତେଲ ଦର ସେହି ସମୟରେ ବ୍ୟାରେଲ ପିଛା ପ୍ରାୟ ୨୦ ଡଲାର ସ୍ତରକୁ ଖସି ଆସିବା କାରଣରୁ ଗ୍ରାହକଙ୍କୁ ମିଳିବାକୁ ଥିବା ଲାଭକୁ କେନ୍ଦ୍ର ସରକାର ଛଡ଼ାଇ ନେଇଥିଲେ। ଲକ୍‌ଡାଉନ୍‌ ଅବଧିରେ ବିଭିନ୍ନ ରାଜ୍ୟ ସରକାର ତେଲ ଉପରେ ଭାଟ୍ ବଢ଼ାଇବା ଆରମ୍ଭ କଲେ। ଏହି କ୍ରମରେ ଓଡ଼ିଶା ସରକାର ମେ ୧୬ରେ ଭାଟ୍ ବଢ଼ାଇଲେ। ପୂର୍ବରୁ ଓଡ଼ିଶା ସରକାର ଉଭୟ ପେଟ୍ରୋଲ ଓ ଡିଜେଲ ଉପରେ ୨୬ ପ୍ରତିଶତ ଭାଟ୍ ଆଦାୟ କରୁଥିବାବେଳେ ମେ ୧୬ରେ ପେଟ୍ରୋଲ ଉପରେ ଅଧିକ୬ ପ୍ରତିଶତ ଅର୍ଥାତ୍‌ ୩୨ ପ୍ରତିଶତ ଭାଟ୍‌ ଆଦାୟ କଲେ। ସେହିଭଳି ଡିଜେଲ ଉପରେ ୨ ପ୍ରତିଶତ ଭାଟ୍ ବଢ଼ାଇ ତାହାକୁ ୨୮ ପ୍ରତିଶତ କରିଥିଲେ। ଫଳରେ ପେଟ୍ରୋଲ ଦର ଲିଟର ପିଛା ୩ ଟଙ୍କା ୧୪ ପଇସା ଓ ଡିଜେଲ ଦର ଲିଟର ପିଛା ୧ ଟଙ୍କା ୩ ପଇସା ବଢ଼ିଯାଇଥିଲା। ଏଥିଯୋଗୁଁ ଭୁବନେଶ୍ବରରେ ବିପିସିଏଲ୍‌ ପେଟ୍ରୋଲ ପମ୍ପରେ ପେଟ୍ରୋଲ ଦର ୭୧ ଟଙ୍କା ୬୯ ପଇସା ଓ ଡିଜେଲ ଦର ୬୭ ଟଙ୍କା ୭୦ ପଇସାକୁ ବୃଦ୍ଧି ଘଟିଥିଲା। ରାଜ୍ୟ ସରକାର ଭାଟ୍ ବଢ଼ାଇ ଗ୍ରାହକଙ୍କ ଉପରେ ଦର ବୃଦ୍ଧି ବୋଝ ଲଦିବାର ପ୍ରାୟ ୨୧ ଦିନ ପରେ କମ୍ପାନି ଗୁଡ଼ିକ ଆଜି ଦର ବଢ଼ାଇଛନ୍ତି।

ଆଜିର ମୂଲ୍ୟ ବୃଦ୍ଧି ପରେ ପେଟ୍ରୋଲ ଓ ଡିଜେଲ ଦରକୁ ବିଶ୍ଳେଷଣ କଲେ ଜଣାପଡ଼େ‌ ପେଟ୍ରୋଲର ମୌଳିକ ମୂଲ୍ୟ ଏବେ ଲିଟର ପିଛା ୧୯ ଟଙ୍କା ୩୯ ପଇସା ରହିଛି। ଏହା ଉପରେ କେ‌ନ୍ଦ୍ର ସରକାର ଉତ୍ପାଦନ ଶୁଳ୍କ ଓ ସେସ୍‌ ବବାଦରେ ଲିଟର ପିଛା ୩୨ ଟଙ୍କା ୯୮ ପଇସା ଭିଡ଼ୁଛନ୍ତି। ଏହାପରେ ରାଜ୍ୟ ସରକାର ଭାଟ୍ ବାବଦରେ ୧୬ ଟଙ୍କା ୭୬ ପଇସା ନେଉଛନ୍ତି। ଡିଲରମାନେ ସେମାନଙ୍କ କମିସନ ବାବଦରେ ୩ ଟଙ୍କା ୧୯ ପଇସା ‌ପାଉଛନ୍ତି। ତେଣୁ ୭୨ ଟଙ୍କା ୩୨ ପଇସାର ପେଟ୍ରୋଲ ମୂଲ୍ୟରେ ଟିକସ ଓ ଡିଲର କମିସନ ବାବଦରେ ଗ୍ରାହକ ୫୨ ଟଙ୍କା ୫୩ ପଇସା ଗଣୁଛି। ସେହିଭଳି ଲିଟର ପିଛା ଡିଜେଲର ମୌଳିକ ମୂଲ୍ୟ ୧୯ ଟଙ୍କା ୮୫ ପଇସା ରହିଥିବାବେଳେ କେନ୍ଦ୍ର ସରକାର ଏହା ଉପରେ ୩୧ ଟଙ୍କା ୮୩ ପଇସା ଓ ରାଜ୍ୟ ସରକାର ୧୪ ଟଙ୍କା ୪୭ ପଇସାର ଟିକସ ଭିଡ଼ୁଛନ୍ତି। ଡିଲରମାନଙ୍କୁ ଡିଜେଲରେ ଲିଟର ପିଛା କମିସନ ୨ ଟଙ୍କା ୧୬ ପଇସା ମିଳୁଛି। ତେଣୁ ରାଜ୍ୟରେ ଜଣେ ଗ୍ରାହକଙ୍କୁ ଗୋଟିଏ ଲିଟର ଡିଜେଲ କିଣିଲେ ଟିକସ ଓ ଡିଲର କମିସନ ବାବଦରେ ୪୮ ଟଙ୍କା ୪୬ ପଇସା ଦେବାକୁ ପଡ଼ୁଛି।

ସମ୍ବନ୍ଧିତ ଖବର