ନୂଆଦିଲ୍ଲୀ: କରୋନା ମହାମାରୀକୁ ନଜରରେ ରଖି କେନ୍ଦ୍ର ସରକାର ଚଳିତ ଆର୍ଥିକ ବର୍ଷର ବ୍ୟୟ ଯୋଜନାରେ ପରିବର୍ତ୍ତନ ଆଣିଛନ୍ତି। ବିଭାଗଗୁଡ଼ିକୁ ଗୁରୁତ୍ବପୂର୍ଣ୍ଣ ଓ ଅଣ-ଗୁରୁତ୍ବପୂର୍ଣ୍ଣ ବର୍ଗରେ ବାଣ୍ଟି ଦିଆଯାଇଛି। ଗୁରୁତ୍ବ କମ୍ ଥିବା ବିଭାଗଗୁଡ଼ିକର ବଜେଟ୍‌ ଖର୍ଚ୍ଚରେ ୪୦ ପ୍ରତିଶତ ହ୍ରାସ କରିବାକୁ ନିଷ୍ପତ୍ତି ନିଆଯାଇଛି। ରାଜସ୍ବ ଆୟ ହ୍ରାସ ପାଇବା ଓ ଅର୍ଥନୈତିକ ଅଭିବୃଦ୍ଧି ହାର କମ୍ ହୋଇଥିବାରୁ ପାଣ୍ଠି ସଞ୍ଚୟ କରିବା ଏବଂ ଖର୍ଚ୍ଚ କାଟ ଜରୁରୀ ହୋଇପଡ଼ିଛି। ମହାମାରୀର ମୁକାବିଲା ଲାଗି ପାଣ୍ଠି ଦରକାର ପଡ଼ିବ। ତାହାକୁ ନଜରରେ ରଖି ବଜେଟ୍‌ରେ ବିିଭିନ୍ନ ବିଭାଗ ଲାଗି ଧାର୍ଯ୍ୟ କରାଯାଇଥିବା ଲକ୍ଷ୍ୟ ପରିବର୍ତ୍ତନ କରାଯାଇଛି। ସଂସ୍କୃତି, ପର୍ଯ୍ୟଟନ ଓ ଯୁବ ବ୍ୟାପାର ଭଳି ବିଭାଗର ବଜେଟ୍‌ ଲକ୍ଷ୍ୟ ହ୍ରାସ ପାଇବ।

Advertisment

କମ୍ ଗୁରୁତ୍ବ ଥିବା ବିଭାଗର ବଜେଟ୍‌ ହ୍ରାସ କରିବା ପରେ ଯେଉଁ ପାଣ୍ଠି ବାହାରିବ ତାହାକୁ ପୁଞ୍ଜି ବ୍ୟୟ ଭାବେ ବ୍ୟବହାର କରାଯିବ। ଚଳିତ ଆର୍ଥିକ ବର୍ଷରେ ୪.୨୧ ଲକ୍ଷ କୋଟି ଟଙ୍କାର ପୁଞ୍ଜି ବ୍ୟୟ କରିବାକୁ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ବଜେଟ୍‌ରେ ଘୋଷଣା କରିଥିଲେ। ଏହି ବ୍ୟୟ ଦ୍ବାରା ଦୀର୍ଘମିଆଦୀ ସମ୍ପତ୍ତି ଓ ଭିତ୍ତିଭୂମି ସୃଷ୍ଟି ହୋଇଥାଏ ଯାହା ଏକ ଦୃଢ଼ ଅର୍ଥନୀତି ଲାଗି ନିହାତି ଜରୁରୀ। କରୋନା ମାହାମାରୀର ମୁକାବିଲା ଲାଗି ଲକ୍‌ଡାଉନ୍ ଘୋଷଣା କରାଯିବା ପରେ ଅନେକ ଲୋକ ଜୀବିକା ହରାଇଛନ୍ତି। ନୂତନ ନିଯୁକ୍ତି ସୃଷ୍ଟି କରିବା ଜରୁରୀ ‌ହୋଇପଡ଼ିଛି ଯାହା ପୁଞ୍ଜି ବ୍ୟୟ ବିନା ସମ୍ଭବ ହେବ ନାହିଁ। ସେଥିପାଇଁ କମ୍ ଗୁରୁତ୍ବ ବହନ କରୁଥିବା ପ୍ରକଳ୍ପର ଟଙ୍କାକୁ ଆଣି ଏବେ ଆବଶ୍ୟକ ହେଉଥିବା ପ୍ରକଳ୍ପରେ ବିନିଯୋଗ କରାଯିବ। ଦେଶ ଭିତରୁ ସାମଗ୍ରୀ ଯୋଗାଡ଼ କରି ଯେଉଁ ପ୍ରକଳ୍ପ କାର୍ଯ୍ୟକାରୀ କରାଯାଇପାରିବ ସରକାର ତାହା ଉପରେ ଅଧିକ ଗୁୁରୁତ୍ବ ଦେଉଛନ୍ତି। ଆମଦାନି ଉପରେ ନିର୍ଭରଶୀଳ ଥିବା ପ୍ରକଳ୍ପକୁ ବିଶେଷ ଗୁରୁତ୍ବ ଦିଆଯାଉନଥିବା ଜଣାପଡ଼ିଛି। ଚଳିତ ବର୍ଷ ଆଉ ନୂଆ ପ୍ରକଳ୍ପ ଆରମ୍ଭ ନକରିବା ଉପରେ କେନ୍ଦ୍ର ସରକାର ଜୋର ଦେଉଛନ୍ତି। ୧୦୦ ‌ଲକ୍ଷ କୋଟି ଟଙ୍କା ବିନିଯୋଗରେ ନିର୍ମାଣ କରାଯିବାକୁ ଥିବା ଜାତୀୟ ଭିତ୍ତିଭୂମି ପାଇପ୍‌ଲାଇନ୍ ଉପରେ ସରକାର ଧ୍ୟାନ ଦେଉଛନ୍ତି। କୌଣସି ନୂଆ ପ୍ରକଳ୍ପ ଆରମ୍ଭ ନକରିବା ଲାଗି ମନ୍ତ୍ରଣାଳୟ ଗୁଡ଼ିକୁ କୁହାଯାଇଛି।