ସୁରଟ: ହୀରା ଉତ୍ପାଦନର ପ୍ରମୁଖ ପେଣ୍ଠସ୍ଥଳ ଗୁଜରାଟର ସୁରଟ ମାନ୍ଦାବସ୍ଥା ଦ୍ବାରା ଗୁରୁତର ଭାବେ ପ୍ରଭାବିତ ହୋଇଛି। ସେଠାରେ ହୀରା ଉତ୍ପାଦନ୨୧ ପ୍ରତିଶତ ହ୍ରାସ ପାଇଛି। ଉତ୍ପାଦନ କମିବାରୁ ଅଧିକ କାରିଗର ଦରକାର ହେଉନି। ସେଥିପାଇଁ କିଛି ସଂସ୍ଥା ପ୍ରାୟ ୧୦ ହଜାର କର୍ମଚାରୀଙ୍କୁ ବିଦା କରିଛନ୍ତ। ସେମାନଙ୍କ ପରିବାର ଏବେ ଦୁର୍ଦ୍ଦିନରେ ଜୀବନଯାପନ କରୁଛନ୍ତି। ଘର କିମ୍ବା ଗାଡ଼ି କିଣିଥିବା କର୍ମଚାରୀମାନେ ଋଣର ମାସିକ କିସ୍ତି ଶୁଝିପାରୁନାହାନ୍ତି। କିଛି କାରିଗର ମାନସିକ ଭାରସାମ୍ୟ ହରାଇ ଆତ୍ମହତ୍ୟା ମଧ୍ୟ କରିଥିବା ଖବର ଆସିଛି।

Advertisment

ସୁଟର ହୀରା କାରିଗର ସଂଘର ସଭାପତି ରମେଶ ଜିଲାରିୟାଙ୍କ ମତରେ ହଜାର ହଜାର କାରିଗର ଘର ଚଳାଇବାକୁ ସଂଘର୍ଷ କରୁଛନ୍ତି। ସେମାନେ ପିଲାଙ୍କ ପାଠପଢ଼ା ଖର୍ଚ୍ଚ ବାହାର କରିପାରୁନାହାନ୍ତି। ଛୋଟ ଛୋଟ ହୀରା ୟୁନିଟ୍ ବନ୍ଦ ହେବା ପରେ ସେଥିରେ କାମ କରୁଥିବା କାରିଗରମାନେ ବେକାର ହୋଇପଡ଼ିଛନ୍ତି। କୌଣସି ସାମାଜିକ ନିରାପତ୍ତା ବ୍ୟବସ୍ଥା ନଥିବାରୁ ଚାକିରି ହରାଇବା ପରେ ହୀରା ୟୁନିଟ୍‌ରେ କାମ କରୁଥିବା ଲୋକମାନେ ନାହିଁନଥିବା ଅସୁବିଧା ସାମ୍ନା କରୁଛନ୍ତି। ତେଣୁ ଏହି ଶିଳ୍ପରେ ଶ୍ରମ ନିୟମକୁ କଡ଼ାକଡ଼ି ଭାବେ ଲାଗୁ କରିବା ଦିଗରେ ସରକାର କଠୋର ପଦକ୍ଷେପ ଗ୍ରହଣ କରିବା ଉଚିତ ବୋଲି ସେ କହିଛନ୍ତି। ବଡ଼ଦିନ ପର୍ବ ପରଠାରୁ ହୀରା ଚାହିଦା ଓ ଉତ୍ପାଦନ ହ୍ରାସ ପାଇଛି।

ବିଶେ‌ଷ କରି ଆମେରିକା ଓ ଅନ୍ୟାନ୍ୟ ଦେଶରୁ ଚାହିଦା କମ୍ ହୋଇଛି। ଜେମ୍‌ସ ଜୁଏଲାରି ପ୍ରମୋସନ କାଉନ୍‌ସିଲ୍‌ର ଆଞ୍ଚଳିକ ଅଧ୍ୟକ୍ଷ ବିଜୟ ମଙ୍ଗୁକିଆ କର୍ମଚାରୀ ଛଟେଇ ଖବରକୁ ଖଣ୍ଡନ କରିଛନ୍ତି। କାହାକୁ ବିଦା କରାଯାଇନାହିଁ। କାମ କରିବାର ସମୟକୁ ୧୨ ଘଣ୍ଟାରୁ ହ୍ରାସ କରି ୧୦ କିମ୍ବା ୮ ଘଣ୍ଟା କରାଯାଇଛି। ଶ୍ରମିକମାନଙ୍କୁ ସପ୍ତାହକୁ ଦିନେ ସାପ୍ତାହିକ ଛୁଟି ବଦଳରେ ଦୁଇ ଦିନ ଛୁଟି ଦିଆଯାଉଛି ବୋଲି ସେ କହିଛନ୍ତି। ଗତ ତିନି ମାସରେ ଗୋଟିଏ ବି ହୀରା ୟୁନିଟ୍ ବନ୍ଦ ହୋଇନଥିବା ସୁରଟ ହୀରା ସଂଘର ସଭାପତି ନାନୁଭାଇ ଭେକରିୟା କହିଛନ୍ତି। ସୁରଟର ୩୦୦୦ ୟୁନିଟ୍‌ରେ ସାତ ଲକ୍ଷ ଲୋକ କାମ କରୁଥିବା ସେ କହିଛନ୍ତି। ଶ୍ରୀ ଜିଲାରିୟା କିନ୍ତୁ କହିଛନ୍ତି ଯେ ଯେହେତୁ କାରିଗରମାନଙ୍କ ପାଉଣା ସେମାନେ କାଟୁଥିବା ଏବଂ ପଲିସ୍ କରୁଥିବା ହୀରା ଉପରେ ନିର୍ଭର କରୁଛି, ତେଣୁ କମ୍ ସମୟ କାମ କରିବା ଦ୍ବାରା ସେମାନଙ୍କ ପ୍ରାପ୍ୟ ହ୍ରାସ ପାଇଛି। ତାହା କାରିଗରମାନଙ୍କ ଲାଗି ଘାତକ ସାବ୍ୟସ୍ତ ହୋଇଛି।