ରିଜର୍ଭ ବ୍ୟାଙ୍କ ଲାଭାଂଶର ଜାଦୁ: ସେନ୍‌ସେକ୍ସରେ ୧୧୯୬ ପଏଣ୍ଟ ବୃଦ୍ଧି

ନିବେଶକଙ୍କୁ ୪ ଲକ୍ଷ କୋଟି ଲାଭ

ମୁମ୍ବାଇ: ଭାରତୀୟ ରିଜର୍ଭ ବ୍ୟାଙ୍କ ପକ୍ଷରୁ କେନ୍ଦ୍ର ସରକାରଙ୍କୁ ରେକର୍ଡ ୨.୧୧ ଲକ୍ଷ କୋଟି ଟଙ୍କାର ଲାଭାଂଶ ପ୍ରଦାନ କରାଯିବ ବୋଲି ଘୋଷଣା ହେବା ପରେ ନିବେଶକମାନେ ଖୁସି ହୋଇଯାଇଛନ୍ତି। ନୂଆ ସରକାରଙ୍କ ଲାଗି ପାଣ୍ଠିର କୌଣସି ଅଭାବ ରହିବନି ବୋଲି ଏଥିରୁ ସ୍ପଷ୍ଟ ହୋଇଛି। ସେଥିପାଇଁ ନିବେଶକମାନେ ଆଜି ମନଖୋଲି କାରବାର କରିଛନ୍ତି। ତାହାର ପ୍ରଭାବରେ ବମ୍ବେ ଷ୍ଟକ୍ ଏକ୍ସଚେଞ୍ଜ୍‌ର ସେନ୍‌ସେକ୍ସ ୧୧୯୬ ପଏଣ୍ଟ ବୃଦ୍ଧି ପାଇ ୭୫,୪୧୮ ପଏଣ୍ଟରେ ବନ୍ଦ ହୋଇଛି। ନ୍ୟାସନାଲ୍ ଷ୍ଟକ୍ ଏକ୍ସଚେଞ୍ଜ୍‌ର ନିଫ୍ଟି ୩୭୦ ପଏଣ୍ଟ ବୃଦ୍ଧି ପାଇ ୨୨,୯୬୮ ପଏଣ୍ଟ‌ରେ ବନ୍ଦ ହୋଇଛି। ସେନ୍‌ସେକ୍ସରେ ଘଟିଥିବା ବୃଦ୍ଧି ପ୍ରଭାବରେ ନିବେଶକମାନଙ୍କୁ ୪ ଲକ୍ଷ କୋଟି ଟଙ୍କାର ଲାଭ ମିଳିଛି। ଷ୍ଟକ୍ ବଜାରରେ ତାଲିକାଭୁକ୍ତ ଥିବା କମ୍ପାନିଗୁଡ଼ିକର ମୋଟ୍‌ ବଜାର ପୁଞ୍ଜି (ମାର୍କେଟ୍ କ୍ୟାପିଟାଲାଇଜେସନ୍) ୪୨୦ ଲକ୍ଷ କୋଟି ଟଙ୍କାକୁ ବୃଦ୍ଧି ପାଇଛି।

ନିଫ୍ଟିରେ ଆଜି ଆଦାନି ଏଣ୍ଟରପ୍ରାଇଜେସ୍‌, ଆଦାନି ପୋର୍ଟସ୍‌, ଆକ୍ସିସ୍ ବ୍ୟାଙ୍କ, ଏଲ୍‌ଆଣ୍ଡ୍‌ଟି, ମହିନ୍ଦ୍ରା ଆଣ୍ଡ୍‌ ମହିନ୍ଦ୍ରାର ସେୟାର ମୂଲ୍ୟ ବଢ଼ିଥିବା ବେଳେ ସନ୍ ଫାର୍ମା, ପାୱାର ଗ୍ରିଡ୍, ହିଣ୍ଡାଲ୍‌କୋ, କୋଲ୍‌ ଇଣ୍ଡିଆ ଓ ଏନ୍‌ଟିପିସିର ସେୟାର ମୂଲ୍ୟ ହ୍ରାସ ପାଇଛି। ବମ୍ବେ ଷ୍ଟକ୍ ଏକ୍ସଚେଞ୍ଜର ଉଭୟ ମିଡ୍‌କ୍ୟାପ୍ ଓ ସ୍ମଲ୍‌କ୍ୟାପ୍‌ରେ ବୃଦ୍ଧି ଘଟିଛି। ଧାତବ ଓ ଫାର୍ମାକୁ ବାଦ ଦେଲେ ଅନ୍ୟ କ୍ଷେତ୍ରଗୁଡ଼ିକର ପ୍ରଦର୍ଶନ ଉତ୍ସାହଜନକ ରହିଛି। ଅଟୋମୋବାଇଲ୍, ବ୍ୟାଙ୍କ ଓ କ୍ୟାପିଟାଲ୍ ଗୁଡ୍‌ସ କ୍ଷେତ୍ରର ସୂଚକାଙ୍କରେ ବୃଦ୍ଧି ଘଟିଛି। ଗୁରୁବାର ଷ୍ଟକ୍ ବଜାରରେ ଆଦାନି ଏଣ୍ଟରପ୍ରାଇଜେସ୍‌, ଆଦାନି ପୋର୍ଟସ୍‌, ଅଶୋକ ଲେଲ୍ୟାଣ୍ଡ, ଅରବିନ୍ଦ ଫାର୍ମା, ଭାରତୀ ଏୟାରଟେଲ୍‌, ଡିଭିସ୍‌ ଲ୍ୟାବ୍, ଆଇସର୍‌ ମୋଟର୍ସ, ଇଣ୍ଡିଆନ ବ୍ୟାଙ୍କ, ମହିନ୍ଦ୍ରା ଆଣ୍ଡ ମହିନ୍ଦ୍ରା, ଓବରଏ ରିଅଲିଟି, ସୋଲାର୍‌ ଇଣ୍ଡଷ୍ଟ୍ରିଜ୍, ୟୁଏନ୍‌ଓ ମିଣ୍ଡା ଭଳି ୨୦୦ଟି କମ୍ପାନିର ସେୟାର ମୂଲ୍ୟ ଆଜି ଏକ ବର୍ଷର ସର୍ବୋଚ୍ଚ ସ୍ତରକୁ ବୃଦ୍ଧି ପାଇଥିଲା।

ଜୁନ୍ ୪ରେ ରେକର୍ଡ ହେବ: ମୋଦୀ
ଆସନ୍ତା ଜୁନ୍ ୪ରେ ବିଜେପି ରେକର୍ଡ ସଂଖ୍ୟା‌ରେ ପହଞ୍ଚିବା ସହ ଷ୍ଟକ୍ ବଜାର ମଧ୍ୟ ନୂଆ ରେକର୍ଡ ସ୍ତରରେ ପହଞ୍ଚିବ ବୋଲି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ କହିଛନ୍ତି। ଇକୋନମିକ୍‌ ଟାଇମ୍ସକୁ ‌ଏକ ସାକ୍ଷାତକାର ଦେଇ ସେ କହିଛନ୍ତି ଯେ ଆମ ଉପରେ ସେୟାର ବଜାରର ଯେଉଁ ଭରସା ଥିଲା ତାହା ଷ୍ଟକ୍ ବଜାର ପ୍ରଦର୍ଶନରେ ସ୍ପଷ୍ଟ ହୋଇଛି। ଆମେ ଦାୟିତ୍ବ ନେବା ବେଳକୁ ତାହା ୨୫,୦୦୦ ପଏଣ୍ଟ ପାଖାପାଖି ଥିଲା। ଏବେ ତାହା ୭୫,୦୦୦ ପଏଣ୍ଟରେ ପହଞ୍ଚିଛି। ଆମ ଅମଳରେ ଷ୍ଟକ୍ ବଜାର ୫ ଟ୍ରିଲିଅନ୍ ଡଲାର ସ୍ତର ଅତିକ୍ରମ କରିଛି। ଗତ ୧୦ ବର୍ଷ ଭିତରେ ଡିମାଟ୍‌ ଆକାଉଣ୍ଟ ସଂଖ୍ୟା ୨.୩ କୋଟିରୁ ବୃଦ୍ଧି ପାଇ ୧୫ କୋଟି ହୋଇଛି। ମ୍ୟୁଚୁଆଲ୍ ଫଣ୍ଡ ନିବେଶକ ସଂଖ୍ୟା ୧ କୋଟିରୁ ବୃଦ୍ଧି ପାଇ ୪.୫ କୋଟି ହୋଇଛି।

ସମ୍ବନ୍ଧିତ ଖବର