ମୁମ୍ବାଇ: ନିର୍ବାଚନ ଫଳାଫଳ ଦିନ ପାଖେଇ ଆସୁଥିବା ବେଳେ ଷ୍ଟକ୍ ବଜାର ନିବେଶକମାନଙ୍କ ମନରେ ଉଦ୍‌ବେଗ ବୃଦ୍ଧି ପାଇଛି। କାହା ସପକ୍ଷରେ ଫଳ ଯିବ ତାହା ଆକଳନ କରିବାରେ ଦ୍ବନ୍ଦ୍ବ ରହିଥିବାରୁ କ୍ଷତି ହେବା ଭୟରେ ନିବେଶକମାନେ ନିଜ ପାଖରେ ଥିବା ସେୟାରକୁ ବିକ୍ରି କରୁଛନ୍ତି। ତାହାର ପ୍ରଭାବରେ ବମ୍ବେ ଷ୍ଟକ୍ ଏକ୍ସଚେଞ୍ଜ୍‌ର ସେନ୍‌ସେକ୍ସରେ ଗୁରୁବାର ୬୧୭ ପଏଣ୍ଟ ହ୍ରାସ ଘଟିଛି। ଏହା ୭୩,୮୮୫ ପଏଣ୍ଟରେ ବନ୍ଦ ହୋଇଛି। ଏକ ସମୟରେ ସେନ୍‌ସେକ୍ସ ୮୦୦ ପଏଣ୍ଟ ହରାଇଥିଲା। ମାତ୍ର କାରବାର ଶେଷ ବେଳକୁ ସେଥିରେ କିଛିଟା ସୁଧାର ଘଟିଥିଲା। ନ୍ୟାସନାଲ୍ ଷ୍ଟକ୍ ଏକ୍ସଚେଞ୍ଜର ନିଫ୍‌ଟି ୨୧୬ ପଏଣ୍ଟ ହ୍ରାସ ପାଇ ୨୨,୪୮୮ ପଏଣ୍ଟରେ ବନ୍ଦ ହୋଇଛି। ଲଗାତାର ପଞ୍ଚମ କାରବାର ଦିବସ ପାଇଁ ସେନ୍‌ସେକ୍ସ ହ୍ରାସ ପାଇଛି। କିନ୍ତୁ ଯଦି ଦେଶରେ ମତଦାନ ଆରମ୍ଭ ହେବା ପରବର୍ତ୍ତୀ ସମୟକୁ ବିଚାରକୁ ନିଆଯିବ ତେବେ ନିବେଶକମାନେ ବିପୁଳ ଲାଭ କରିଥିବା ଜଣାପଡ଼ିଛି। ଏପ୍ରିଲ୍‌ ୧୯ ପରେ ସେନ୍‌ସେକ୍ସରେ ପ୍ରାୟ ୩୫୦୦ ପଏଣ୍ଟ ବୃଦ୍ଧି ଘଟିଥିଲା ଓ ନିବେଶକମାନଙ୍କ ସମ୍ପତ୍ତିରେ ୨୬ ଲକ୍ଷ କୋଟି ଟଙ୍କାର ବୃଦ୍ଧି ହୋଇଥିଲା। ମାତ୍ର ଗତ ପାଞ୍ଚଦିନରେ ସ୍ଥିତି ଓଲଟା ହୋଇଛି। ସେନ୍‌ସେକ୍ସରେ ହ୍ରାସ ଘଟୁଥିବାରୁ ନିବେଶକମାନେ ଯେଉଁ ଲାଭ ପାଇଥିଲେ ସେଥିରୁ କିଛି ଅଂଶ ହରାଇ ସାରିଲେଣି।

Advertisment

ଷ୍ଟକ୍ ବଜାରରେ ଆଜି ଘଟିଥିବା ହ୍ରାସ ସମ୍ପର୍କରେ ବିଶେଷଜ୍ଞମାନେ କହିଛନ୍ତି ଯେ ରିଲାଏନ୍ସ ଇଣ୍ଡଷ୍ଟ୍ରିଜ୍, ଇନ୍‌ଫୋସିସ୍ ଓ ଟାଟା କନ୍‌ସଲ୍‌ଟାନ୍ସି ଭଳି କମ୍ପାନିର ସେୟାର ମୂଲ୍ୟ ହ୍ରାସ ପାଇବା ନିବେଶକମାନଙ୍କୁ ପ୍ରଭାବିତ କରିଥିଲା। ଏହା ବ୍ୟତୀତ ଆସନ୍ତା ଶନିବାର ମତଦାନ ପ୍ରକ୍ରିୟା ଶେଷ ହେବାକୁ ଯାଉଥିବାରୁ ନିର୍ବାଚନ ଫଳାଫଳକୁ ନେଇ କିଛିଟା ଦ୍ବନ୍ଦ୍ବ ରହିଛି। ଆଗକୁ ବିଶ୍ବର ବିଭିନ୍ନ ପ୍ରାନ୍ତରେ ମୁଦ୍ରାସ୍ଫୀତି ହାର ବଢ଼ିବ ବୋଲି ଆକଳନ କରାଯାଉଥିବା ବେଳେ କେନ୍ଦ୍ରୀୟ ବ୍ୟାଙ୍କଗୁଡ଼ିକ ସୁଧ କମାଇବା ଲାଗି ଆଉ କିଛିଦିନ ଅପେକ୍ଷା କରିବାକୁ ଚାହୁଥିବା ଖବର ନିବେଶକମାନଙ୍କୁ ବିଚଳିତ କରିଛି। ଅନ୍ୟପକ୍ଷରେ, ଜାପାନର ନିକେଇ, ହଂକଂର ହାଙ୍ଗ ସେଙ୍ଗ ଓ ଚୀନ୍‌ର ସାଂଘାଇ କମ୍ପୋଜିଟ୍ ଇଣ୍ଡେକ୍ସରେ ହୋଇଥିବା ହ୍ରାସ ମଧ୍ୟ ଭାରତୀୟ ଷ୍ଟକ୍ ବଜାରରେ କାରବାରକୁ ପ୍ରଭାବିତ କରିଛି।

୧୦ ଲକ୍ଷ କୋଟି ଉଡ଼ିଗଲା
ମୁମ୍ବାଇ: ଲଗାତାର ପାଞ୍ଚଟି କାରବାର ଦିନରେ ସେନ୍‌ସେକ୍ସରେ ଘଟିଥିବା ହ୍ରାସ ପ୍ରଭାବରେ ନିବେଶକମାନେ ପ୍ରାୟ ୧୦ ଲକ୍ଷ କୋଟି ଟଙ୍କା ହରାଇଛନ୍ତି। ଗୁରୁବାର ଗୋଟିଏ ଦିନରେ ସେମାନେ ୪.୭ ଲକ୍ଷ କୋଟି ଟଙ୍କା ହରାଇଥିବା ଜଣାପଡ଼ିଛି। ଏହି ପାଞ୍ଚଦିନରେ ଷ୍ଟକ୍ ବଜାରରେ ତାଲିକାଭୁକ୍ତ ଥିବା କମ୍ପାନିଗୁଡ଼ିକର ମୋଟ୍‌ ବଜାର ପୁଞ୍ଜି ପରିମାଣ ୪୧୦.୪ ଲକ୍ଷ କୋଟି ଡଲାରକୁ ଖସିଆସିଛି। ଗତ କିଛି ମାସ ଭିତରେ ସେନ୍‌ସେକ୍ସରେ ଏଭଳି ଲଗାତାର ହ୍ରାସ ଦେଖିବାକୁ ମିଳିନଥିଲା। ଏହା ପୂର୍ବରୁ ଗତବର୍ଷ ଅକ୍ଟୋବରରେ ସେଭଳି ସ୍ଥିତି ସୃଷ୍ଟି ହୋଇଥିଲା। ମଧ୍ୟପ୍ରାଚ୍ୟରେ ଉତ୍ତେଜନା ଦେଖାଦେବା ପରେ ନିବେଶକମାନେ ଭୟଭୀତ ହୋଇ ସେୟାର ବିକିଥିଲେ। ସେହି ସମୟରେ ଲଗାତାର ପାଞ୍ଚଦିନ ପର୍ଯ୍ୟନ୍ତ ବଜାର ତଳକୁ ଖସିଥିଲା।