ଭୁବନେଶ୍ୱର: ନ୍ୟାସନାଲ୍ ଆଲୁମିନିୟମ୍ କମ୍ପାନି ଲିମିଟେଡ୍ (ନାଲକୋ)ର ଅଧ୍ୟକ୍ଷ ତଥା ପରିଚାଳନା ନିର୍ଦ୍ଦେଶକ ଶ୍ରୀଧର ପାତ୍ରଙ୍କ ଅଧ୍ୟକ୍ଷତାରେ ନଗର ରାଜଭାଷା କାର୍ଯ୍ୟାନ୍ୱୟନ ସମିତି (ଉପକ୍ରମ)ର ୨୦୨୨-୨୩ ବର୍ଷ ପାଇଁ ଅର୍ଦ୍ଧବାର୍ଷିକ ବୈଠକ ଭୁବନେଶ୍ୱରଠାରେ ଅନୁଷ୍ଠିତ ହୋଇଯାଇଛି। ଏହି ବୈଠକରେ କେନ୍ଦ୍ର ଗୃହ ମନ୍ତ୍ରଣାଳୟର ରାଜଭାଷା ବିଭାଗର ପ୍ରତିନିଧି ନିର୍ମଳ କୁମାର ଦୁବେ, ଉପାଧ୍ୟକ୍ଷ ତଥା ନାଲକୋର ନିର୍ଦ୍ଦେଶକ (ମାନବ ସମ୍ୱଳ) ରାଧାଶ୍ୟାମ ମହାପାତ୍ର ଉପସ୍ଥିତ ଥିଲେ। ଉକ୍ତ ବୈଠକରେ ନାଲକୋ ଅଧ୍ୟକ୍ଷ ଶ୍ରୀ ପାତ୍ର ସମସ୍ତ କାର୍ଯ୍ୟାଳୟଗୁଡ଼ିକୁ ଏକାଠି ହୋଇ କାର୍ଯ୍ୟାଳୟରେ ରାଜଭାଷାର ପ୍ରୟୋଗ ପାଇଁ ମିଳିତ ଭାବେ କାର୍ଯ୍ୟ କରିବା ସହିତ ପାରସ୍ପରିକ ସମନ୍ୱୟ ରକ୍ଷା ଲାଗି ଆହ୍ୱାନ ଦେଇଥିଲେ। କାର୍ଯ୍ୟାଳୟରେ ରାଜଭାଷାର ପ୍ରୟୋଗ ଉପରେ ଗୁରୁତ୍ୱ କରିବା ସହ ଶ୍ରୀ ଦୁବେ ଆବଶ୍ୟକୀୟ ପରାମର୍ଶ ଦେଇଥିଲେ। ସମିତିର ଉପାଧ୍ୟକ୍ଷ ଶ୍ରୀ ମହାପାତ୍ର କହିଥିଲେ, ସମସ୍ତ ସଦସ୍ୟ କାର୍ଯ୍ୟାଳୟ ଭାରତ ସରକାରଙ୍କ ନିର୍ଦ୍ଧାରିତ ବାର୍ଷିକ କାର୍ଯ୍ୟକ୍ରମଗୁଡ଼ିକୁ ସମ୍ପୂର୍ଣ୍ଣ ରୂପେ ଧ୍ୟାନ ଦେଇ ତଥା ସମସ୍ତ ନିୟମାବଳୀ ପାଳନ କରି କାର୍ଯ୍ୟ କରିବା ଉଚିତ। ଏହି ଅବସରରେ ରାଜଭାଷା ନୀତି ଏବଂ ନିୟମାବଳୀ ପ୍ରଚଳନର ଗୁରୁତ୍ୱ ଉପରେ ଆଲୋଚନା ସହିତ ସଦସ୍ୟ କାର୍ଯ୍ୟାଳୟଗୁଡ଼ିକୁ ପରସ୍ପର ସହିତ ପରିଚିତ କରାଇବା ଉଦ୍ଦେଶ୍ୟରେ ପ୍ରତିନିଧିମାନଙ୍କ ପାଇଁ ଏକ ସ୍ୱତନ୍ତ୍ର ହିନ୍ଦୀ କର୍ମଶାଳା ହୋଇଥିଲା। ନିଗମ ସଂଚାର ବିଭାଗର ମହାପ୍ରବନ୍ଧକ ଆଶୁତୋଷ ରଥ ସ୍ୱାଗତ ଭାଷଣ ଦେଇଥିଲେ।