ପ୍ରବାସୀ ଶ୍ରମିକ ଫେରିଯିବା ପରେ ଚେତିଲେ; ବିମାନ ଟିକଟ, ଅଧିକ ମଜୁରି ଲୋଭ ଦେଇ ଡାକୁଛନ୍ତି

ହାଇଦ୍ରାବାଦ: ଲକ୍‌ଡାଉନ୍‌ ପୀଡ଼ା ଅସହ୍ୟ ହେବାରୁ ଅତ୍ୟନ୍ତ ଦୟନୀୟ ଅବସ୍ଥାରେ ପାଦରେ ଚାଲିଚାଲି, ସାଇକଲ୍‌ ଓ ଟ୍ରକ୍‌ ଡାଲା ଉପରେ ବସି ପ୍ରବାସୀ ଶ୍ରମିକମାନେ ନିଜ ଘରକୁ ଫେରିଆସିଛନ୍ତି। ଏହି ପ୍ରକ୍ରିୟା ଜାରି ରହିଥିବା ବେଳେ ସେମାନଙ୍କ ଅଭାବ ମଧ୍ୟ ଅନୁଭୂତ ହେବା ଆରମ୍ଭ ହୋଇଗଲାଣି। ଶ୍ରମିକମାନେ ନିଜ ବାସସ୍ଥାନକୁ ଫେରିଯିବା ପରେ ସେମାନେ ଯେଉଁ ସବୁ ପ୍ରକଳ୍ପରେ କାର୍ଯ୍ୟ କରୁଥିଲେ ତାହା ଅଧା ବାଟରେ ଅଟକି ଯାଇଛି। ପ୍ରକଳ୍ପ କାର୍ଯ୍ୟ ନିର୍ଧାରିତ ସମୟ ଭିତରେ ଶେଷ କରିବା ଲାଗି ଶ୍ରମିକମାନଙ୍କୁ ପୁଣି ଥରେ ଡାକିବା ପ୍ରକ୍ରିୟା ଆରମ୍ଭ ହୋଇଯାଇଛି। ଶ୍ରମିକଙ୍କୁ ବିମାନ ଟିକଟ ଓ ଅଧିକ ମଜୁରି ଦେବା ଲାଗି ଲୋଭନୀୟ ପ୍ରସ୍ତାବ ଦିଆ‌ଯାଉଛି।

ପ୍ରେଷ୍ଟିଜ୍‌ ଗ୍ରୁପ୍‌ର ବରିଷ୍ଠ ଉପ ସଭାପତି ଆର୍‌ ସୁରେଶ କୁମାର କହିଛନ୍ତି, କଂପାନିର ଠିକାଦାରମାନେ ବିହାରର ପାଟ୍‌ନାରୁ ୧୦ ଜଣ ବଢ଼େଇଙ୍କୁ ହାଇଦ୍ରାବାଦ ଫେରାଇ ଆଣିବା ଲାଗି ବିମାନ ଟିକଟ ବୁକିଙ୍ଗ୍‌ କରିଛନ୍ତି। ଏହି ପଦକ୍ଷେପ ଯୁକ୍ତିଯୁକ୍ତ ବୋଲି ସେ କହିଛନ୍ତି। ଯଦିଓ ରେରା ଅଧୀନରେ ପ୍ରକଳ୍ପ କାର୍ଯ୍ୟ ଶେଷ କରିବା ଲାଗି ଅଧିକ ସମୟ ଦିଆଯାଇଛି କିନ୍ତୁ ଆମେ ଯଥାଶୀଘ୍ର କାର୍ଯ୍ୟ ଶେଷ କରିବାକୁ ଚାହୁଛୁ ବୋଲି ସେ କହିଛନ୍ତି। ପୂର୍ବରୁ ଆମର ପ୍ରକଳ୍ପ ସ୍ଥଳୀରେ ୨୩୦୦ ପାଖାପାଖି ଶ୍ରମିକ ଥିଲେ। ଏବେ ମାତ୍ର ୭୦୦ ଅଛନ୍ତି। ତେଲେଙ୍ଗାନା ସରକାର କହିଥିଲେ ଯେ ଲକ୍‌ଡାଉନ୍ ପୂର୍ବରୁ ରାଜ୍ୟରେ ସାଢ଼େ ତିନି ଲକ୍ଷ ପ୍ରବାସୀ ଶ୍ରମିକ ଥିଲେ। ସେମାନଙ୍କ ମଧ୍ୟରୁ ଅଧିକାଂଶ ନିଜ ବାସସ୍ଥାନକୁ ଫେରିଯାଇଛନ୍ତି। ତେଣୁ କଂପାନିଗୁଡ଼ିକ ସମସ୍ୟା ସାମ୍ନା କରୁଛନ୍ତି।

ସମ୍ବନ୍ଧିତ ଖବର