ଚାଷୀଙ୍କ କଲ୍ୟାଣ ପାଇଁ ଶିଳ୍ପ ସହଯୋଗ ଲୋଡ଼ିଲେ ମନ୍ତ୍ରୀ: ‘କୃଷିରେ ଓଡ଼ିଶା ପ୍ରଗତିଶୀଳ’

ଭୁବନେଶ୍ବର: ରାଜ୍ୟର ଚାଷୀମାନଙ୍କ କଲ୍ୟାଣ ଓ ସେମାନଙ୍କ ଉତ୍ପାଦିତ ସାମଗ୍ରୀକୁ ବିଶ୍ବ ବଜାରରେ ପହଞ୍ଚାଇବା ଲାଗି ଆଗେଇ ଆସିବାକୁ କୃଷି ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ବାଇଁ ଶିଳ୍ପ ଜଗତକୁ ଆହ୍ବାନ ଦେଇଛନ୍ତି। ଆଜି ସିଆଇଆଇ ପକ୍ଷରୁ ଆୟୋଜିତ ‘ଫାର୍ମ୨ଫୋର୍କ’ କାର୍ଯ୍ୟକ୍ରମକୁ ସମ୍ବୋଧିତ କରି ସେ କହିଛନ୍ତି ଯେ କୃଷି ଉତ୍ପାଦନ କ୍ଷେତ୍ରରେ ଓଡ଼ିଶା ଏକ ପ୍ରଗତିଶୀଳ ରାଜ୍ୟ ଭାବେ ଉଭା ହୋଇଛି। ଅଣ୍ଡ, ମାଛ ଆଦି କ୍ଷେତ୍ରରେ ରାଜ୍ୟ ପ୍ରାୟ ସ୍ବାବଲମ୍ବୀ ହୋଇପାରିଛି। ମିଲେଟ୍‌ ଓ କଫି ଚାଷରେ ମଧ୍ୟ ଓଡ଼ିଶା ଆଗକୁ ବଢ଼ୁଛି। କର୍ଣ୍ଣାଟକ ଭଳି ଓଡ଼ିଶା ଯେଭଳି ମିଲେଟ୍‌ରେ ସଫଳତା ପାଇବ ସେଥିପ୍ରତି ଧ୍ୟାନ ଦେବାକୁ ସେ ଶିଳ୍ପସଂସ୍ଥାଗୁଡ଼ିକୁ କହିଛନ୍ତି। ରାଜ୍ୟର ସଡ଼କ ସଂଯୋଗ ଅନ୍ୟ ରାଜ୍ୟଗୁଡ଼ିକ ତୁଳନାରେ ବହୁତ ଭଲ ଥିବାରୁ ଶିଳ୍ପସଂସ୍ଥାଗୁଡ଼ିକ ବିଶେ‌ଷ ଅସୁବିଧା ସାମ୍ନା କରିବେନି ବୋଲି ସେ କହିଛନ୍ତି। କାର୍ଯ୍ୟକ୍ରମରେ ସମ୍ମାନିତ ଅତିଥି ଭାବେ ଯୋଗ ଦେଇ ଭୁବନେଶ୍ବର ମେୟର ସୁଲଚନା ଦାସ କହିଛନ୍ତି ଯେ ସିଫୁଡ୍‌ କ୍ଷେତ୍ରରେ ରାଜ୍ୟରେ ବିପୁଳ ସମ୍ଭାବନା ରହିଛି।

ରାଜ୍ୟରେ ଅତ୍ୟାଧୁନିକ ବ୍ୟବସ୍ଥା, ଟେଷ୍ଟିଂ ଲ୍ୟାବ୍ ଆଦି ସ୍ଥାପନ କରିବା ଲାଗି ଆଗେଇ ଆସିବାକୁ ସେ ଶିଳ୍ପସଂସ୍ଥାଗୁଡ଼ିକୁ କହିଛନ୍ତି। ସିଜିଏସ୍‌ଟିର ପ୍ରଧାନ ଆୟୁକ୍ତ ପ୍ରକାଶ କୁମାର ବେହେରା କହିଛନ୍ତି ଯେ ମିଲେଟ୍‌ ଉପରେ ଜିଏସ୍‌ଟି ହାର ହ୍ରାସ କରିବା ଲାଗି ଫିଟ୍‌ମେଣ୍ଟ୍‌ କମିଟି ସୁପାରିସ କରିଛି। ପ୍ୟାକେଟ୍‌ରେ ବିକ୍ରି ହେଉଥିବା ମିଲେଟ୍‌ ଉତ୍ପାଦ ଉପରେ ୫% ଓ ଖୋଲା ମିଲେଟ୍‌ ଉପରେ ଶୂନ ପ୍ରତିଶତ ଜିଏସ୍‌ଟି ଲଗାଇବାକୁ କମିଟି ସୁପାରିସ କରିଥିବା ସେ କହିଛନ୍ତି।

ନିରନ୍ତର କୃଷି ଲକ୍ଷ୍ୟ ହାସଲ କରିବା ପାଇଁ ସମସ୍ତଙ୍କ ସହଯୋଗିତା ଆବଶ୍ୟକ ରହିଛି ବୋଲି ସିଆଇଆଇ ଓଡ଼ିଶାର ଅଧ୍ୟକ୍ଷ ଶଶି ଶେଖର ମହାନ୍ତି କହିଛନ୍ତି। ଦୁବାଇ, ବ୍ୟାଙ୍କକ୍ ଓ ସିଙ୍ଗାପୁରକୁ ରାଜ୍ୟରୁ ବିମାନ ସଂଯୋଗ ରହିଥିବାରୁ ଚାଷୀମାନେ ସେହି ସହରଗୁଡ଼ିକରେ ବାସ କରୁଥିବା ଓଡ଼ିଆଙ୍କ ପାଖରେ ନିଜ ସାମଗ୍ରୀ ପହଞ୍ଚାଇପାରିବେ ବୋଲି ସେ କହିଛନ୍ତି। ଏହି ଅବସରରେ ସିଆଇଆଇ ଓଡ଼ିଶାର ଉପାଧ୍ୟକ୍ଷ ଡ. ପ୍ରଦୀପ୍ତ ମହାନ୍ତି ଧନ୍ୟବାଦ ଅର୍ପଣ କରିଛନ୍ତି।

ସମ୍ବନ୍ଧିତ ଖବର