କୋଇଲା ମନ୍ତ୍ରଣାଳୟ ହସ୍ତକ୍ଷେପ ଲୋଡ଼ିଲେ ଆଲୁମିନିୟମ ନିର୍ମାତା

ଭୁବନେଶ୍ବର: କୋଇଲା ଅଭାବକୁ ନେଇ ଆଲୁମିନିୟମ ନିର୍ମାତାମାନେ ଗଭୀର ଚିନ୍ତା ପ୍ରକଟ କରିଛନ୍ତି। ଏହି ସମସ୍ୟାର ସମାଧାନ ଲାଗି ସେମାନେ କେନ୍ଦ୍ର କୋଇଲା ସଚିବଙ୍କ ହସ୍ତକ୍ଷେପ ଲୋଡ଼ିଛନ୍ତି। ଭାରତୀୟ ଆଲୁମିନିୟମ ସଂଘ (ଏଏଆଇ) ପକ୍ଷରୁ ଏ ନେଇ କୋଇଲା ମନ୍ତ୍ରଣାଳୟକୁ ଏକ ଚିଠି ଲେଖାଯାଇଛି। ସଂଘ ପକ୍ଷରୁ କୁହାଯାଇଛି ଯେ ମନ୍ତ୍ରଣାଳୟ ଓ କୋଲ୍‌ ଇଣ୍ଡିଆର ଉଦ୍ୟମ ଯୋଗୁଁ ଦେଶରେ କୋଇଲା ସ୍ଥିତିରେ ଉଲ୍ଲେଖନୀୟ ଉନ୍ନତି ହୋଇଛି। ବିଦ୍ୟୁତ କ୍ଷେତ୍ର ପାଖରେ ଏବେ ୧୦ ଦିନ ଆବଶ୍ୟକତା ପୂରଣ ହେବା ଭଳି କୋଇଲା ରହିଛି। ମାତ୍ର ଏଥିପାଇଁ କ୍ୟାପ୍‌ଟିଭ୍ ପାୱାର ପ୍ଲାଣ୍ଟ୍ (ସିପିପି)ଗୁଡ଼ିକୁ ବହୁମୂଲ୍ୟ ହେବାକୁ ପଡ଼ିଛି। ସେମାନଙ୍କ ପାଖରେ ମାତ୍ର ୩-୪ ଦିନର ଆବଶ୍ୟକତା ପୂରଣ ହେବା ଭଳି କୋଇଲା ରହିଛି ଯାହା ପୂର୍ବରୁ ପ୍ରାୟ ୧୫ ଦିନ ପାଇଁ ରହୁଥିଲା। ଆଲୁମିନିୟମ ଉତ୍ପାଦନ ଲାଗି ନିରବଚ୍ଛିନ୍ନ ବିଦ୍ୟୁତ ଯୋଗାଣକୁ ନିଶ୍ଚିତ କରିବାକୁ ଦେଶରେ ୯୪୦୦ ମେଗାୱାଟ୍‌ ବିଦ୍ୟୁତ ଉତ୍ପାଦନ ହୋଇପାରିବା ଭଳି ସିପିପି ସ୍ଥାପନ କରାଯାଇଛି।

କୋଇଲା ସ୍ଥିତିରେ ଯଥେଷ୍ଟ ଉନ୍ନତି ହୋଇଥିବା ସରକାର ଦାବି କରୁଥିଲେ ମଧ୍ୟ ରେକ୍ ଅଭାବ ଯୋଗୁଁ ଅଣ ବିଦ୍ୟୁତ କ୍ଷେତ୍ର ଏବେବି ସମସ୍ୟା ଦେଇ ଗତି କରୁଛି। ସିପିପିଗୁଡ଼ିକୁ କୋଇଲା ଯୋଗାଣ କମ୍ କରାଯିବା ଦ୍ବାରା ତାହାର ସିଧାସଳଖ ପ୍ରଭାବ ଆଲୁମିନିୟମ କ୍ଷେତ୍ର ଉପରେ ପଡ଼ିଛି। ଆଲୁମିନିୟମ ସ୍ମେଲଟରରେ ୨ ଘଣ୍ଟାରୁ ଅଧିକ ସମୟର ବିଦ୍ୟୁତ ବିଭ୍ରାଟ ଘଟିଲେ ଗୁରୁତର କ୍ଷତି ହେବ। ସେହି ସମସ୍ୟା ସମାଧାନ କରିବା ଲାଗି ଅତିକମ୍‌ରେ ୬ ମାସ ସମୟ ଲାଗିବ ଓ ପୂର୍ବ ସ୍ଥିତିକୁ ଫେରିବା ପାଇଁ ଅତିକମ୍‌ରେ ବର୍ଷେ ସମୟ ଲାଗିବ ବୋଲି ସଂଘ ପକ୍ଷରୁ କୋଇଲା ମନ୍ତ୍ରଣାଳୟକୁ ଅବଗତ କରାଯାଇଛି। ସ୍ଥିତିର ଗମ୍ଭୀରତାକୁ ବୁଝି କୋଇଲା ସମସ୍ୟାର ଶୀଘ୍ର ସମାଧାନ କରିବାକୁ ସଂଘ ପକ୍ଷରୁ ମନ୍ତ୍ରଣାଳୟକୁ ନିବେଦନ କରାଯାଇଛି।

ସମ୍ବନ୍ଧିତ ଖବର