କାମ ଚାହିଦା ବଢ଼ିଲେ ମନରେଗା ବଜେଟ୍ ବଢ଼ିବ

ନୂଆଦିଲ୍ଲୀ: କେନ୍ଦ୍ର ସରକାର ଗରିବ ଓ ଗ୍ରାମାଞ୍ଚଳରେ ବାସ କରୁଥିବା ଦୁର୍ବଳ ଶ୍ରେଣୀର ଲୋକମାନଙ୍କ ସ୍ବାର୍ଥ ରକ୍ଷା ପାଇଁ କାର୍ଯ୍ୟ କରୁଛନ୍ତି। ସେମାନଙ୍କ କଲ୍ୟାଣ ପାଇଁ ସବୁ ପ୍ରକାର ପଦକ୍ଷେପ ଗ୍ରହଣ କରୁଛନ୍ତି। ଯଦି ମହାତ୍ମା ଗ‌ାନ୍ଧୀ ନିଶ୍ଚିତ କର୍ମନିଯୁକ୍ତି ଯୋଜନା (ମନରେଗା) ପାଇଁ ଅଧିକ ଟଙ୍କା ଦରକାର ହେବ ତେବେ ତାହା ଦେବାକୁ ସରକାର ପ୍ରତିଶ୍ରୁତିବଦ୍ଧ ବୋଲି ଅର୍ଥରାଷ୍ଟ୍ର ମନ୍ତ୍ରୀ ଅନୁରାଗ ଠାକୁର କହିଛନ୍ତି।
୨୦୨୧-୨୨ ବଜେଟ୍‌ରେ ମନରେଗା ବ୍ୟୟବରାଦ ହ୍ରାସ କରାଯାଇଥିବାରୁ ସରକାରଙ୍କୁ କଂଗ୍ରେସ କଡ଼ା ସମାଲୋଚନା କରିଥିଲା। ଏହାର ଜବାବ ଦେଇ ଅନୁରାଗ କହିଛନ୍ତି ଯେ ମନରେଗା ପାଇଁ ସରକାର ବଜେଟ୍‌ରେ ହେଉଥିବା ବ୍ୟବସ୍ଥା ଠାରୁ ଅଧିକ ଟଙ୍କା ଦେଉଛନ୍ତି।

୨୦୧୯-୨୦ରେ ଏହି ପ୍ରମୁଖ ଯୋଜନା ଲାଗି ବଜେଟ୍‌ରେ ୬୦ ହଜାର କୋଟି ଟଙ୍କାର ବ୍ୟବସ୍ଥା କରାଯାଇଥିଲା। ମାତ୍ର କାମର ଚାହିଦା ବଢ଼ିବାରୁ ଏଥିରେ ୭୧,୦୦୧.୮୧ କୋଟି ଟଙ୍କା ବ୍ୟୟ କରାଯାଇଥିଲା। ସେହିପରି, ଚଳିତ ଆର୍ଥିକ ବର୍ଷ (୨୦୧୨୦-୨୧)ରେ ଏହି ସ୍କିମ୍ ପାଇଁ ବଜେଟ୍‌ରେ ୬୧,୫୦୦ କୋଟି ଟଙ୍କାର ବ୍ୟବସ୍ଥା କରାଯାଇଥିଲା। ମାତ୍ର କରୋନା ମହାମାରୀ ବ୍ୟାପିବା ପରେ ଲୋକମାନେ ଜୀବିକା ହରାଇବା ପରେ ନିଜ ବାସସ୍ଥାନକୁ ଫେରିବାରୁ ମନରେଗାରେ କାମ ଚାହିଦା ବଢ଼ିଥିଲା। ତାହାକୁ ନଜରରେ ରଖି ସରକାର ଏହି ସ୍କିମ୍ ବ୍ୟୟବରାଦକୁ ୧,୧୧,୫୦୦ କୋଟି ଟଙ୍କାକୁ ବଢ଼ାଇଥିଲେ। ଚଳିତ ଆର୍ଥିକ ବର୍ଷର ବଜେଟ୍ ବ୍ୟୟବରାଦକୁ ଯଦି ବିଚାରକୁ ନିଆଯିବ ତେବେ ମନରେଗା ପାଇଁ ଅଧିକ ଟଙ୍କା ଦିଆଯାଇଛି ବୋଲି କୁହାଯାଇପାରିବ। ୨୦୨୧-୨୨ ବଜେଟ୍‌ରେ ଏହି ଯୋଜନା ପାଇଁ ୭୩,୦୦୦ କୋଟି ଟଙ୍କା ଆବଣ୍ଟନ କରାଯାଇଛି। ଲକ୍‌ଡାଉନ୍‌ ପରେ ମନରେଗା କାମ ଚାହିଦା ବଢ଼ିବାରୁ ସରକାର ‌ଏହି ସ୍କିମ୍ ପାଇଁ ଅଧିକ ଟଙ୍କା ଦେଲେ। ଯଦି ଭବିଷ୍ୟତରେ ପୁଣି ଚାହିଦା ବଢ଼ିବ ତେବେ ସରକାର ବ୍ୟୟବରାଦ ବଢ଼ାଇବାକୁ କୁଣ୍ଠା ପ୍ରକାଶ କରିବେ ନାହିଁ ବୋଲି ସେ କହିଛନ୍ତି।
ବିତ୍ତୀୟ ନିଅଣ୍ଟ ଉପରେ ମତ ଦେଇ ସେ କହିଛନ୍ତି ଯେ ୯.୫% ହାରରେ ଏହା ବହୁତ ମନେ ହେଉଛି। କିନ୍ତୁ ୨୦୨୫-୨୬ ସୁଦ୍ଧା ଏହାକୁ ୪.୫% ପର୍ଯ୍ୟନ୍ତ ହ୍ରାସ କରିବା ଲାଗି ମଧ୍ୟ ସରକାର ନିଷ୍ପତ୍ତି ନେଇଛନ୍ତି। ଗୋଟିଏ ପଟେ କୋଭିଡ୍‌ ମୁକାବିଲା ଲାଗି ବ୍ୟୟ ବୃଦ୍ଧି କରାଯିବା ପରେ ଅନ୍ୟପଟେ ନିଯୁକ୍ତିର ସୁରକ୍ଷା ଲାଗି ବ୍ୟାବସାୟିକ ସଂସ୍ଥାଗୁଡ଼ିକୁ ସରକାର ସାହାଯ୍ୟ ଦେଇଥିଲେ। ଏହି ସମୟରେ ଅଧିକ ବ୍ୟୟ କରାଯାଇଥିବାରୁ ବିତ୍ତୀୟ ନିଅଣ୍ଟ ଉଚ୍ଚ ସ୍ତରରେ ପହଞ୍ଚିଛି। କିନ୍ତୁ ଅର୍ଥନୀତିରେ ଏବେ ଦ୍ରୁତ ସୁଧାର ଘଟୁଛି। ଆସନ୍ତା ଆର୍ଥିକ ବର୍ଷରେ ଅଭିବୃଦ୍ଧି ହାର ୧୪.୪% ହେବ ବୋଲି ଆକଳନ କରାଯାଇଛି।

ସମ୍ବନ୍ଧିତ ଖବର