ପାନାଜୀ: ଉପା ସରକାରଙ୍କ ତୁଳନାରେ ମୋଦୀ ସରକାର କୃଷି କ୍ଷେତ୍ରକୁ ବଜେଟରେ ଯଥେଷ୍ଟ ଅଧିକ ଅର୍ଥ ପ୍ରଦାନ କରିଛନ୍ତି। ଉପା ସରକାରଙ୍କ ୨୦୦୯-୨୦୧୪ ଅବଧି ତୁଳନାରେ ମୋଦୀ ସରକାର ୨୦୧୪-୧୧୯ ଅବଧିରେ କୃଷି କ୍ଷେତ୍ରକୁ ୪୩୮ ପ୍ରତିଶତ ଅଧିକ ଅର୍ଥ ପ୍ରଦାନ କରିଛନ୍ତି ବୋଲି କେନ୍ଦ୍ରମନ୍ତ୍ରୀ ଗିରିରାଜ ସିଂହ ଦାବି କରିଛନ୍ତି।

Advertisment

ତେଣୁ ମୋଦୀ ସରକାର କୃଷି କ୍ଷେତ୍ରରେ ଅନେକ କାର୍ଯ୍ୟ କରିଥିଲେ ମଧ୍ୟ ବାମପନ୍ଥୀ ଏବଂ ଟୁକଡେ ଟୁ‌କଡେ ଗ୍ୟାଙ୍ଗ ସରକାରଙ୍କ ବଦନାମ କରୁଛନ୍ତି ବୋଲି ସେ ଅଭିଯୋଗ କରିଛନ୍ତି। ୨୦୦୯-୨୦୧୪ ଅବଧିରେ କୃଷି କ୍ଷେତ୍ରକୁ ବଜେଟରେ ୮୮୮୧୧ କୋଟି ଟଙ୍କା ଦିଆଯାଇ ଥିବାବେଳେ ୨୦୧୪ରୁ ୨୦୨୦ ମଧ୍ୟରେ ମୋଦୀ ସରକାର ଏହି କ୍ଷେତ୍ରକୁ ୪,୮୭,୨୩୮ କୋଟି ଟଙ୍କା ପ୍ରଦାନ କରିଛନ୍ତି। ଏହା ୪୩୮ ପ୍ରତିଶତ ଅଧିକ। ସେହିଭଳି ୨୦୧୩-୧୪ରେ କୃଷି ଋଣ ପରିମାଣ ୭ ଲକ୍ଷ କୋଟି ଟଙ୍କାରେ ଥିବାବେଳେ ୨୦୨୧-୨୨ରେ ଏହା ୧୬.୫ ଲକ୍ଷ କୋଟି ଟଙ୍କାକୁ ବୃଦ୍ଧି ପାଇଛି। ସେହିଭଳି ୨୦୧୩-୧୪ରେ ସରକାର ୩୩ ହଜାର କୋଟି ଟଙ୍କା ମୂଲ୍ୟର ଗହମ ସଂଗ୍ରହ କରିଥିବାବେଳେ ୨୦୧୯-୨୦ରେ ଏହା ୬୨ ହଜାର କୋଟି ଟଙ୍କାକୁ ବୃଦ୍ଧି ପାଇଛି। ଅର୍ଥାତ୍ ଏଥିରେ ୮୭ ପ୍ରତିଶତର ବୃଦ୍ଧି ଘଟିଛି। ସେହିଭଳି ୨୦୧୩-୧୪ରେ ସରକାର ୬୩୨୯୮ କୋଟି ଟଙ୍କାର ଧାନ ସଂଗ୍ରହ କରିଥିବା ବେଳେ ୨୦୧୯-୨୦ରେ ଏହା ୧ ଲକ୍ଷ ୪୧ ହଜାର କୋଟି ଟଙ୍କାକୁ ବୃଦ୍ଧି ପାଇଛି। କୃଷକମାନଙ୍କୁ ଡିବିଟି ମାଧ୍ୟମରେ ମୁଣ୍ଡପିଛା ବର୍ଷକୁ ୬୦୦୦ ଟଙ୍କା ମୋଦୀ ସରକାର ପ୍ରଦାନ କରୁଛନ୍ତି। ଏହାଦ୍ବାରା ୧୦୬ ଲକ୍ଷ କୃଷକ ଉପକୃତ ହୋଇଛନ୍ତି ବୋଳି କେନ୍ଦ୍ରମନ୍ତ୍ରୀ କହିଛନ୍ତି।