ନୂଆଦିଲ୍ଲୀ: ବର୍ତ୍ତମାନ ଆମ୍ବ ଋତୁ ଚାଲିଛି। ଦୋକାନ ବଜାରରେ ବିଭିନ୍ନ ପ୍ରକାରର ଆମ୍ବ ବିକ୍ରି ହେଉଛି। କିଛି ଆମ୍ବ ଶସ୍ତା ଥିବା ବେଳେ ଆଉ କିଛି ମହଙ୍ଗା ରହିଛି। ବିଶ୍ବର ସବୁଠୁ ମହଙ୍ଗା ଆମ୍ବ କିନ୍ତୁ ଜାପାନରେ ଚାଷ ହେଉଛି। ଗୋଟିଏ ଆମ୍ବର ଦାମ୍ ୧୯ ହଜାର ଟଙ୍କା ଭଳି ମହଙ୍ଗା ରହିଛି। ତାହାକୁ ବିଶ୍ବର ସବୁଠୁ ମହଙ୍ଗା ଆମ୍ବ ଭାବେ ବିଚାର କରାଯାଉଛି। ଜାପାନରେ ଟୋକାଚି ଅଞ୍ଚଳରେ ହିରୋୟୁକି ନାକାଗୱା ସେହି ଆମ୍ବକୁ ନିଜ ଗ୍ରିନ୍ ହାଉସ୍‌ରେ ଫଳାଉଛନ୍ତି। ୨୦୧୧ ପରଠାରୁ ସେ ଏହି ଆମ୍ବ ବିକ୍ରି କରୁଛନ୍ତି।

Advertisment

ପୂର୍ବରୁ ତୈଳ ବ୍ୟବସାୟ ସହ ଜଡ଼ିଥିବା ନାକାଗୱା ପ୍ରାକୃତିକ ପଦ୍ଧତିକୁ ବ୍ୟବହାର କରି ଆମ୍ବ ଫଳାଉଛନ୍ତି। ପ୍ରଥମେ ତାଙ୍କୁ କେହି ବିଶେଷ ଗୁରୁତ୍ବ ଦେଉନଥିଲେ। ସେ ଶୀତ ଋତୁରେ ବରଫକୁ ସଂରକ୍ଷିତ ରଖନ୍ତି ଓ ନିଜ ଗ୍ରିନ୍‌ହାଉସ୍‌ (ସବୁଜଘର)କୁ ଶୀଳତ ରଖିବା ଲାଗି ତାହାକୁ ଖରାଦିନେ ବ୍ୟବହାର କରନ୍ତି। ଶୀତ ଋତୁରେ ପ୍ରାକୃତିକ ଉଷ୍ମ ପ୍ରସବଣକୁ ବ୍ୟବହାର କରି ସେ ସବୁଜଘରକୁ ଉତ୍ତପ୍ତ ରଖୁଛନ୍ତି। ସେ ଗୋଟିଏ ଋତୁରେ ପାଖାପାଖି ୫୦୦୦ ଆମ୍ବ ଫଳାଉଛନ୍ତି। ସେ ଆମ୍ବର ନାମ ରଖିଛନ୍ତି ‘ସନ୍ ଇନ୍ ଦି ସ୍ନୋ (ବରଫରେ ସୂର୍ଯ୍ୟ)’।