ମୁମ୍ବାଇ: ଭାରତୀୟମାନେ ୧୦୦ ଟଙ୍କିଆ ନୋଟ୍‌କୁ ସବୁଠାରୁ ଅଧିକ ପସନ୍ଦ କରୁଛନ୍ତି। ଅନ୍ୟପକ୍ଷରେ ୨୦୦୦ ଟଙ୍କିଆ ନୋଟ୍ ଲୋକମାନଙ୍କ ମଧ୍ୟରେ ସବୁଠୁ କମ୍ ପସନ୍ଦ ରହିଛି ରିଜର୍ଭ ବ୍ୟାଙ୍କର ଏକ ସର୍ଭେରୁ ଜଣାଯାଇଛି। ସେହିଭଳି କଏନ୍‌ ଭିତରେ ୫ ଟଙ୍କିଆ ଲୋକଙ୍କ ଅଧିକ ପସନ୍ଦ ହୋଇଥିବାବେଳେ ଟଙ୍କିକିଆ କଏନ ସବୁଠୁ କମ୍ ପସନ୍ଦ ବୋଲି ଜଣାଯାଇଛି। ସର୍ଭେରେ ଭାଗ ନେଇଥିବା ପ୍ରତି ୧୦ ଜଣଙ୍କ ମଧ୍ୟରୁ ୭ ଜଣ ବର୍ତ୍ତମାନ ଦେଶରେ ପ୍ରଚଳନରେ ଥିବା ନୂଆ ସିରିଜ୍‌ର ମୁଦ୍ରାକୁ ନେଇ ସନ୍ତୁଷ୍ଟ ଅଛନ୍ତି।
ଦେଶରେ ୧୧୦୦୦ ଲୋକଙ୍କୁ ନେଇ ରିଜର୍ଭ ବ୍ୟାଙ୍କ ଉକ୍ତ ସର୍ଭେ‌ କରିଥିଲା। ଏହାର ଉଦ୍ଦେଶ୍ୟ ଥିଲା ନଗଦ ଅର୍ଥ ଏବଂ ବିଭିନ୍ନ ମୂଲ୍ୟର ମୁଦ୍ରାର ପସନ୍ଦ ଲୋକଙ୍କ ମଧ୍ୟରେ କେମିତି ରହିଛି ତାହା ଜାଣିବା। ସର୍ଭେରେ ଦେଶର ୨୮ଟି ରାଜ୍ୟ ଏବଂ କେନ୍ଦ୍ର ଶାସିତ ଅଞ୍ଚଳର ଗ୍ରାମାଞ୍ଚଳ, ଅର୍ଦ୍ଧ-ସହରାଞ୍ଚଳ, ସହରାଞ୍ଚଳ ଓ ମହାନଗରରେ ଉକ୍ତ ସର୍ଭେ କରାଯାଇଥିଲା। ଏଥିରେ ୩୫୧ ଜଣ ଦୃଷ୍ଟିହୀନଙ୍କୁ ସାମିଲ କରାଯାଇଥିଲା।

Advertisment

ସର୍ଭେରୁ ଅନ୍ୟ ଯେଉଁ ଗୁରୁତ୍ବପୂର୍ଣ୍ଣ ତଥ୍ୟ ସାମ୍ନାକୁ ଆସିଛି ତାହା ହେଲା ୯୭ ପ୍ରତିଶତ ଲୋକ ନକଲି ନୋଟ୍‌ ଜାଣିବା ପାଇଁ ରହିଥିବା ବ୍ୟବସ୍ଥା ସଂପର୍କରେ ଅବଗତ ରହିଛନ୍ତି। କେବଳ ୩ ‌ପ୍ରତିଶତ ‌ନକଲି ନୋଟ୍‌କୁ ଚିହ୍ନିବା ଲାଗି ରହିଥିବା ବ୍ୟବସ୍ଥା ସଂପର୍କରେ ଅବଗତ ନାହାନ୍ତି। ଲୋକମାନେ ମହାତ୍ମା ଗାନ୍ଧୀଙ୍କ ୱାଟରମାର୍କ ଫଟୋ ଏବଂ ସିକ୍ୟୁରିଟି ‌ଥ୍ରେଡକୁ ନକଲି ନୋଟ୍ ଚିହ୍ନିବା ଲାଗି ଅଧିକ ବ୍ୟବହାର କରୁଛନ୍ତି। ଚଳିତ ସପ୍ତାହରେ ରିଜର୍ଭ ବ୍ୟାଙ୍କ ପକ୍ଷରୁ ପ୍ରକାଶିତ ବାର୍ଷିକ ରିପୋର୍ଟରୁ ଜଣାଯାଇଛି ଯେ ୨୦୨୧-୨୨ ଆର୍ଥିକ ବର୍ଷରେ ପ୍ରଚଳନରେ ଥିବା ସମୁଦାୟ ନୋଟ ମୂଲ୍ୟରେ ୨୦୦୦ ଟଙ୍କିଆ ନୋଟ୍‌ର ମୂଲ୍ୟ ୧୩.୮ ପ୍ରତିଶତକୁ ହ୍ରାସ ପାଇଛି। ୨୦୨୦-୨୧ ଆର୍ଥିକ ବର୍ଷରେ ଏହା ୧୭.୩ ପ୍ରତିଶତ ରହିଥିଲା। ଏଥିସହିତ ୨୦୧୮-୧୯ ଆର୍ଥିକ ବର୍ଷରୁ ରିଜର୍ଭ ବ୍ୟାଙ୍କ ୨୦୦୦ ଟଙ୍କିଆ ନୋଟ ଛାପିନାହିଁ।